ଓଡିଶା

odisha

By ETV Bharat Odisha Team

Published : Jun 14, 2024, 4:59 PM IST

ETV Bharat / videos

ବୌଦ୍ଧରେ ପହିଲି ରଜ, ସବୁଆଡ଼େ ଆନନ୍ଦ ଉଲ୍ଲାସ - RAJA FESTIVAL 2024

ବୌଦ୍ଧ: ପହିଲି ରଜରେ ପୁରପଲ୍ଲୀରେ ମହକୁଛି ପିଠାପଣାର ବାସ୍ନା । ରଜଦୋଳି ଗୀତ ଗାଇ ପୋଡପିଠାର ମଜା ଉଠାଇବା ସହିତ ସାଙ୍ଗସାଥିଙ୍କ ଗହଣରେ କୁମାରୀ ଝିଅମାନେ ପହିଲି ରଜକୁ ଧୁମଧାମରେ ପାଳନ କରିଛନ୍ତି । ଗାଁ ଠାରୁ ସହର ଆଜି ପହିଲି ରଜ ପାଇଁ ଉତ୍ସବ ମୁଖର ହୋଇଉଠିଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ରଜ ପାଇଁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରଜ ମଉଜ ପାଳନ ପାଇଁ କୁମାରୀ ଝିଅମାନେ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ସ୍ବତନ୍ତ୍ର ରଜ ଦୋଳି ପ୍ରସ୍ତୁତ କରି ଦୋଳି ଝୁଲିଥିଲେ ।

ଆଜି ପହିଲି ରଜରେ ବିଭିନ୍ନ ଦେବାଦେବୀ ପୀଠରେ ମହିଳା ମାନଙ୍କ ପ୍ରବେଶ ନିଷେଧ ଥିବାବେଳେ ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ମା' ଭୈରବୀଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ସହିତ ପୂଜାର୍ଚ୍ଚନା କରାଯାଇଥିଲା । ପହିଲି ରଜ ଅବସରରେ କୁମାରୀମାନେ ପାଦରେ ଅଳତା ଓ ମଥାରେ ଟିକା ସଜେଇ ହୋଇ ସାଙ୍ଗସାଥିଙ୍କ ଗହଣରେ ବେଶ ଆନନ୍ଦ ଉଲ୍ଲାସରେ ମଜା ଉଠାଇଥିଲେ । ବନସ୍ତେ ଡାକିଲା ଗଜ ଭଳି ଗୀତର ତାଳେ ତାଳେ କୁମାରୀ ଝିଅମାନେ ଦୋଳି ଝୁଲିଥିଲେ । ଆଜି ପହିଲି ରଜରେ ପୁରପଲ୍ଲୀରେ ବିଭିନ୍ନ ମିଠା ସହିତ ପାରମ୍ପରିକ ପୋଡପିଠା, ଆରିସା, କାକରା, ମଣ୍ଡା ପିଠା ଭଳି ଅନେକ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ସାହି ପଡୋଶୀ ମଧ୍ୟରେ ଦିଆନିଆ ହୋଇଥିଲା । କୃଷି ଭିତ୍ତିକ ଏହି ପ୍ରାଚୀନ ତଥା ପାରମ୍ପାରିକ ପର୍ବର ଆଜି ପ୍ରଥମ ଦିନ ପହିଲି ରଜ ଥିବାବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି ଓ ଶେଷ ଦିନରେ ବସୁମତୀ ସ୍ନାନ ହେବାର ବିଧାନ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ପହିଲି ରଜ; ସଜେଇ ହୋଇଛି ପୁରପଲ୍ଲୀ, ପିଠା-ମିଠାରେ ମହକିଲାଣି ଗାଁଦାଣ୍ଡ - Raja Parba 2024

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details