ଓଡିଶା

odisha

ଚଳଚଞ୍ଚଳ ରଥଖଳା: ସରିଲା ତିନି ରଥର ଚନ୍ଦ୍ରଶାଳୀ ନିର୍ମାଣ, ନାଟ ଗୋଡ଼ରେ ରୂପ ଖୋଦେଇ ଜାରି - PURI RATH YATRA 2024

By ETV Bharat Odisha Team

Published : Jun 27, 2024, 1:07 PM IST

ଚଳଚଞ୍ଚଳ ରଥଖଳା: ସରିଲା ତିନି ରଥର ଚନ୍ଦ୍ରଶାଳୀ ନିର୍ମାଣ (ETV Bharat Odisha)

ପୁରୀ: ଦିନ କେଇଟା ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀରେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ । ଗତକାଲି (ବୁଧବାର) ତିନି ରଥର ମୂଳ କଇଞ୍ଚି ଚାରି ନାହାକା ଭିତର ପାର୍ଶ୍ଵ ଉଭୟ ପଟରେ ପଡ଼ିବା ସହ ତିନି ରଥକୁ ବଡଧରା ପୋଟଳ ଉଠିଥିଲା । ଆଜି ମହାରଣା ସେବକ ଏବଂ ଭୋଇ ସେବକମାନଙ୍କ ମିଳିତ ସହଯୋଗରେ ତିନି ରଥର ପ୍ରଥମ ଭୂଇଁରେ କଇଞ୍ଚି ପଡ଼ିବା ସହ ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ଵରେ ଅନ୍ଧାରୀ ତାଗ ବାଡିଆ ଯାଇ ଅଗ ଭୂଇଁ ବା ତୃତୀୟ ଭୂଇଁରେ କଇଞ୍ଚି ସହ ଅନ୍ଧାରୀ ତାଗ ବାଡିଆ ଶେଷ ହୋଇଛି । ରଥମାନଙ୍କର ପଛପାର୍ଶ୍ଵରେ ପାରୁସ ପଟା ପଡ଼ିଛି । ଏଥିସହ ତିନି ରଥର ଦୁଆର ବେଢ଼ା ପାଇଁ ୪ଟି ଲେଖାଏଁ ଚନ୍ଦ୍ରଶାଳୀ ନିର୍ମାଣ ଶେଷ ହୋଇ ରଥମାନଙ୍କରେ ସାଇତା ଯାଇଛି ।
 

ଏହା ମଧ୍ୟ ପଢନ୍ତୁ: ପୁରୀରେ ରଥ ଟାଣିବେ ରାଷ୍ଟ୍ରପତି, 6 ତାରିଖରୁ 4 ଦିନିଆ ଓଡ଼ିଶା ଗସ୍ତ - President odisha visit

ତିନି ରଥର ଚାରପରିଛା ରଥ ସମ୍ମୁଖ ଭାଗ ଦଣ୍ଡା ମୁହାଁଟି ଉପର ଭାଗ ସାଲଗୁଜ ଫିଟିଙ୍ଗ କରାଯାଇଛି । ଏହାର ପାରଭାଡ଼ି ସହ ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାର ସେବକମାନେ ନାଟ ଗୋଡ଼ରେ ରୂପ ଖୋଦେଇ ସହ ପଟା ଗୁଜରେ ସିଂହ ବିରାଳ, ଗଜ ବିରାଳ, ନର ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି । ଚିତ୍ରକାର ସେବକମାନେ ରଥ ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ସହ ବାହ୍ୟ ଅଂଶ କୋଣ ଗୁଜ, ପଟାଗୁଜରେ ଧଳା ପ୍ରାଇମର ଦେବା ପରେ ରୂପଗୁଡିକରେ ରଙ୍ଗ କରୁଛନ୍ତି । ଦରଜୀ ସେବକମାନେ ତିନି ରଥର କନା କଟିଙ୍ଗ ପରେ ବତା କନାରେ ବିଳାସ ପଟି ସହ ଲେସ ପକା କାର୍ଯ୍ୟ ଜାରି ରଖିଛନ୍ତି । ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ପୋଟଳ ପାଇଁ ଗୋଡ଼ି ସାଲ ଏବଂ ବାଗିଆ କଣ୍ଟା ନିର୍ମାଣରେ ଲାଗିଛନ୍ତି ।



 ଇଟିଭି ଭାରତ, ପୁରୀ

ABOUT THE AUTHOR

...view details