କେନ୍ଦୁଝରରେ ମ୍ୟାଡାମ୍ ପ୍ରେସିଡେଣ୍ଟ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
Published : Feb 29, 2024, 12:04 PM IST
President Kendujhar visit:କେନ୍ଦୁଝର: ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ କେନ୍ଦୁଝରରେ ପହଞ୍ଚିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ଆଜି ସକାଳ ୧୦ଟାରେ ସେ କେନ୍ଦୁଝର ପହଞ୍ଚି ଥିବାବେଳେ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ସକାଳୁ ରାଇରଙ୍ଗପୁରରୁ ହେଲିକପ୍ଟର ଯୋଗେ ରାଇସୁଆଁ ହେଲିପ୍ୟାଡରେ ପହଞ୍ଚିଥିଲେ ମହାମହିମ । ସେଠାରୁ କାରକେଡରେ ଯାଇ ବାଂଶପାଳ ବ୍ଲକର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସଭାରେ ଆଦିମ ଜନଜାତି ଜୁଆଙ୍ଗଙ୍କ ସହ ଆଲୋଚନା କରିଥିଲେ । ଏହାପରେ ରାଷ୍ଟ୍ରପତି ଧରଣୀଧର ବିଶ୍ବ ବିଦ୍ୟାଳୟରେ ଅନୁଷ୍ଠିତ ଆଦିବାସୀ ପ୍ରଦର୍ଶନୀ ଏବଂ କେନ୍ଦୁଝର ଆଦିବାସୀ ସଂସ୍କୃତି ଉପରେ ଜାତୀୟ ସ୍ତରୀୟ ପାଠ୍ୟଚକ୍ରରେ ଯୋଗ ଦେଇଛନ୍ତି । ମହାମହିମଙ୍କ ସ୍ବାଗତ ପାଇଁ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏହି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାକୁ ଏକ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ପ୍ରଥମ ବର୍ଷରେ ଆୟୋଜିତ ଜାତୀୟ ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତି ସାମିଲ ହେବା ବିଶ୍ଵବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ ହୋଇଛି । ଏହି ଜାତୀୟ ସ୍ତରୀୟ ପାଠ୍ୟଚକ୍ରରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଓ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନୂତନ ଉଦ୍ଦୀପନା ଭରିବ ବୋଲି ବିଶ୍ବବିଦ୍ୟାଳୟ ଓଏସଡି ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେଉଥିବାରୁ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଖୁବ୍ ଉତ୍ସାହିତ ଅଛନ୍ତି । ମହାମହିମଙ୍କ ଗସ୍ତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଇଟିଭି ଭାରତ, କେନ୍ଦୁଝର