ବଜେଟ ନୈରାଶ୍ୟ ଜନକ, ଜଳ ସେଚନ ପାଇଁ ନାହିଁ ସ୍ବତନ୍ତ୍ର ଅନୁଦାନ: ବିରୋଧୀ - ଓଡିଶା ଅନ୍ତରୀଣ ବଜେଟ 2024
Published : Feb 8, 2024, 10:39 PM IST
Odisha Budget 2024: ବ୍ରହ୍ମପୁର: ସାଧାରଣ ନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାର ଆଗତ କରିଛନ୍ତି 2024-25 ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ । ଏହି ବଜେଟରେ ମୋଟ ରାଜ୍ୟ ସରକାର ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବଜେଟ ରହିଥିବା ବେଳେ ସେଥିରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି । ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଏହି ବଜେଟ ଆଗତ କରିଥିବା ବେଳେ ବଜେଟ ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଚଳିତବର୍ଷର ବଜେଟକୁ ନେଇ ବିଜେପି ନେତା କାହ୍ନୁଚରଣ ପତି କହିଛନ୍ତି ଏହି ବଜେଟ ନୈରାଶ୍ୟଜନକ । କୃଷି ରଣ ଛାଡ, କୃଷକଙ୍କୁ ସୁଯୋଗ ମିଳିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଏଥିରେ ଦେଖିବାକୁ ମିଳିନାହିଁ । ଚାଷ ଜମିକୁ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ନୂତନତ୍ବ ନଥିବା କହିଛନ୍ତି ।
ଏଥିସହ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଉଥିବା ବେଳେ ସାମାନଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବା କହିଛନ୍ତି । ସେପଟେ ବ୍ରହ୍ମପୁରର କଂଗ୍ରେସ ନେତା ପିତବାସ ପଣ୍ଡା ମଧ୍ୟ ଏହି ବଜେଟ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା କହିବା ସହିତ ବଜେଟରେ କୌଣସି ନୂଆ ନଥିବା କହିଛନ୍ତି । ଏପରିକି ରାଜ୍ୟରେ ୯୮ ହଜାର ସରକାରୀ ପଦବୀ ଖାଲି ପଡିଥିବା ବେଳେ ସ୍ବାସ୍ଥ ଓ ଶିକ୍ଷା କ୍ଷେତ୍ରରେ ୪୯ ହଜାର ପଦବୀ ଖାଲି ପଡିଥିବା ସରକାରୀ ତଥ୍ୟ ଅନୁଯାୟୀ କୁହାଯାଉଥିବା ବେଳେ ବଜେଟରେ ନିଯୁକ୍ତି କଥାକୁ ଗୁରୁତ୍ବ ଦିଆଯାଉନଥିବା ବେଳେ ଦାଦନ ଶ୍ରମିକ , ଛାତ୍ର , କୃଷକ ଓ ସମାଜର ନିର୍ଯ୍ୟାତିତ ବର୍ଗଙ୍କ ପାଇଁ କୌଣସି ଦୃଷ୍ଟି ଦିଆଯାଇନଥିବା ବେଳେ ଦରଦାମ କଥାକୁ ଏଥିରେ ଗୁରୁତ୍ବ ଦିଆଯାଇନଥିବା କହିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର