ଓଡ଼ିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଏମିତି କହିଲେ ଜୁଏଲ ଓରାମ - Jual Oram
Published : Jun 6, 2024, 1:02 PM IST
ରାଉରକେଲା: ଓଡ଼ିଶାରେ ଗଠନ ହେବ ବିଜେପି ସରକାର । ରାଜ୍ୟର ୧୪୭ ବିଧାନସଭାରୁ ୭୮ ଏବଂ ୨୧ ଲୋକସଭାରୁ ୨୦ ଆସନରେ ବିଜୟୀ ହୋଇ ୨୪ ବର୍ଷ ପରେ ନୂଆ ସରକାର କରିବାକୁ ଯାଉଛି ବିଜେପି । ଏମିତିରେ ଏବେ ସବୁଠୁ ବଡ ପ୍ରଶ୍ନ ହୋଇଛି, କିଏ ହେବ ମୁଖ୍ୟମନ୍ତ୍ରୀ । ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ନେଇ କଳ୍ପନା ଜଳ୍ପନା ଜାରି ରହିଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚିତ ଜୁଏଲ ଓରାମ । ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରଶ୍ନରେ ଜୁଏଲ କହିଛନ୍ତି, କେନ୍ଦ୍ର ହାଇକମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ ।
କହିରଖୁଛୁ କି, ଜୁଏଲ ସୁନ୍ଦରଗଡ ଆସନରୁ ବିପୁଳ ଭୋଟରେ ପୁଣିଥରେ ବାଜିମାତ୍ କରିଛନ୍ତି । ସେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କୁ ୧,୩୮,୮୮୦ ଭୋଟ ବ୍ୟବଧାନରେ ହରାଇଛନ୍ତି । ଏନେଇ ତାଙ୍କର ସମର୍ଥକଙ୍କ ମହଲରେ ଖୁସିରେ ଲହରୀ ଖେଳିଯାଇଛି । ବିପୁଳ ବିଜୟ ନେଇ ଜୁଏଲଙ୍କ ପାଖକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦଳୀୟ କର୍ମୀ ଓ ସମର୍ଥକମାନେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଇଛନ୍ତି । ଷଷ୍ଠ ଥର ପାଇଁ ବିଜେପିର ସାଂସଦ ଭାବରେ ତାଙ୍କୁ ନିର୍ବାଚିତ କରିଥିବାରୁ ଜୁଏଲ ଓରାମ ସୁନ୍ଦରଗଡବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଚଳିତ ନିର୍ବାଚନରେ ଜୁଏଲ ଓରାମ 4,94,282 ଭୋଟ ପାଇଥିବା ବେଳେ ଦିଲ୍ଲୀପ ତିର୍କୀ 3,55,474 ଭୋଟ ପାଇଥିଲେ । କଂଗ୍ରେସକୁ 2,61,981 ଭୋଟ ମିଳିଥିଲା ।
ଇଟିଭି ଭାରତ, ରାଉରକେଲା