ଷଣ୍ଢର ମୃତ୍ୟୁରେ ସମୂହ ସୁଦ୍ଧିକ୍ରିୟା କଲେ ସାମାଜିକ ସଂଗଠନର ସଦସ୍ୟ - LAST RITE RITUALS FOR BULL
Published : Nov 13, 2024, 1:37 PM IST
ନିମାପଡ଼ା: ହିନ୍ଦୁ ଧର୍ମାନୁସାରେ ବ୍ୟକ୍ତିବିଶେଷଙ୍କ ଦେହାନ୍ତ ହେଲେ ପରିବାର ଓ ସମ୍ପର୍କୀୟ ଶୁଦ୍ଧିକ୍ରିୟା କରିଥାଆନ୍ତି । ମାତ୍ର ଏକ ଷଣ୍ଢର ମୃତ୍ୟୁ ପରେ ହୋଇଛି ସମୂହ ଶୁଦ୍ଧିକ୍ରିୟା । ସାମାଜିକ ପରମ୍ପରା ପରି ମୁଣ୍ଡନ କରାଯିବା ସହ ବ୍ରାହ୍ମଣଙ୍କ ଜରିଆରେଲ କ୍ରିୟାକର୍ମ ସମାପନ କରାଯାଇଛି । ପୁରୀ ଜିଲ୍ଲା କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଦେଖିବାକୁ ମିଳିଛି ନିଆରା ଘଟଣା । ଷଣ୍ଢ ପାଇଁ ଶୁଦ୍ଧିକ୍ରିୟା କରିଛନ୍ତି 'ଜୀବେ ଦୟା' ନାମକ ଏକ ସାମାଜିକ ସଂଗଠନ । ଜଣେ କି ଦୁଇଜଣ ନୁହନ୍ତି, ସଂଗଠନ ସଦସ୍ୟ ଥିବା ୨୦ଜଣ ବ୍ୟବସାୟୀ ଏହି ଶୁଦ୍ଧିକ୍ରିୟାରେ ସାମିଲ ହୋଇଛନ୍ତି । ପଣ୍ଡିତ ବ୍ରାହ୍ମଣମାନଙ୍କୁ ଡାକି ମହାପ୍ରସାଦ ଖାଇ ରିତିନୀତି ଅନୁସାରେ ଷଣ୍ଢ ପାଇଁ ଶୁଦ୍ଧିକ୍ରିୟା କରିଛନ୍ତି ଏମାନେ ।
ପଶୁଙ୍କ ସେବା ଯତ୍ନ ପାଇଁ ଗଠନ ହୋଇଥିବା 'ଜୀବେ ଦୟା' ସଂଗଠନ ସଭାପତି ଲିଙ୍ଗରାଜ ମିଶ୍ର କହିଛନ୍ତି, "ଗତ ୫ବର୍ଷ ପୂର୍ବରୁ କୋଣାର୍କ ବଜାରର ବ୍ୟବସାୟୀମାନେ 'ଜୀବେ ଦୟା' ନାମକ ଏକ ସଂଗଠନ କରିଛୁ । ଯେଉଁ ପଶୁମାନଙ୍କର ସମସ୍ୟା ହୁଏ, ସେମାନଙ୍କୁ ଆଣି ଆମେ ସେବା କରୁ । ଏଭଳି ୫୦ରୁ ୬୦ ପଶୁଙ୍କ ସେବା କରି ଆମେ ଭଲ କରିଛୁ । ୨ବର୍ଷ ତଳେ ଏହି ଷଣ୍ଢଟିର ଦୁର୍ଘଟଣା ହୋଇଥିଲା । ଆମେ ତାର ସେବା କରି ତାକୁ ଭଲ କରିଥିଲୁ । କିଛି ଦିନ ତଳେ ଖାଦ୍ୟ ବିଷକ୍ରିୟା ହୋଇ ତାର ମୃତ୍ୟୁ ହୋଇଥିଲା । ଯେହେତୁ ସେ ଆମ ସହିତ ମିଶି ଯାଇଥିଲା ତା ପ୍ରତି ଏକ ଆତ୍ମୀୟତା ଆସିଥିଲା । ତାର ମୃତ୍ୟୁ ପରେ ଆମେ ଶୁଦ୍ଧିକ୍ରିୟା କରିଛୁ ।"
ଏହା ମଧ୍ୟ ପଢ଼ନ୍ତୁ...ଅସହାୟଙ୍କ ଆଶାର କିରଣ ଆଶା କର୍ମୀ 'ଶିବାନୀ', ୭ ବୁଦ୍ଧାଙ୍କୁ କାନ୍ଧେଇ ନେଲେ ବାତ୍ୟା ଆଶ୍ରୟସ୍ଥଳୀ |
ଇଟିଭି ଭାରତ, ନିମାପଡା