ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ: ୩ ମୃତ ଅଲିଭ ରିଡ଼ଲେ ଉଦ୍ଧାର, ୬ ଗିରଫ - 6 FISHERMEN ARRESTED IN ASTARANG
Published : Dec 31, 2024, 7:20 PM IST
ନିମାପଡା: ନିଷିଦ୍ଧାଞ୍ଚଳରେ ଚାଲୁଛି ଟ୍ରଲର, ଅକାରଣେ ଯାଉଛି ବିରଳ ସାମୁଦ୍ରିକ କଇଁଛ ଅଲିଡ ରିଡଲେଙ୍କ ଜୀବନ । ଆଜି (ମଙ୍ଗଳବାର) ଦେବୀ ନଦୀ ମୁହାଣରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ଥିବା ସମୁଦ୍ରରେ ବେଆଇନ ଭାବେ ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କରି ମାଛ ଧରୁଥିବା ବେଳେ ୬ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଅସ୍ତରଙ୍ଗ ଓ କୋଣାର୍କ ବନ ବିଭାଗ । ଜାଲରେ ୭ଟି କଇଁଛ ପଡିଥିବା ବେଳେ ୩ଟିକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।
- ନିଷିଦ୍ଧାଞ୍ଚଳରେ ବେଆଇନ ମାଛଧରା, ୬ ଗିରଫ:
ଆଜି ଦେବୀ ନଦୀ ମୁହାଣ ନିଷିଦ୍ଧାଞ୍ଚଳରେ ବେଆଇନ ମାଛ ଧରୁଥିବା ବେଳେ ଅସ୍ତରଙ୍ଗ ଓ କୋଣାର୍କ ବନ ବିଭାଗର ମିଳିତ ଚଢାଉ କରିଛନ୍ତି । ମା କାଳି ନାମକ ଏକ ଟ୍ରଲର ଜବତ ସହ ସେଥିରେ ଥିବା ୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ତେବେ ଜାଲରେ ୭ଟି ଅଲିଡ ରିଡଲେ ପଡିଥିବା ବେଳେ ସେଥିମଧ୍ୟରୁ ୪ଟି ଜୀବିତ ଉଦ୍ଧାର କରାଯାଇ ଛଡାଯାଇଛି । ୩ଟି କଇଁଛଙ୍କ ମୃତ୍ୟୁ ହୋଇଥିବା ବେଳେ ସେଗୁଡିତୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଧରାପଡିଥିବା ଟ୍ରଲରର ମାଲିକ ଅସ୍ତରଙ୍ଗ ଅଞ୍ଚଳର ପ୍ରତାପ ସେନାପତି ବୋଲି ଜଣାପଡିଛି ।
ବନ୍ୟପ୍ରାଣୀ ସଂରକ୍ଷଣ ନିୟମ ଉଲ୍ଲଂଘନ ଅନୁସାରେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ନେଇ ନିୟମ ରହିଛି । ବନ ବିଭାଗ ଓ ମତ୍ସ୍ୟ ବିଭାଗ ପକ୍ଷରୁ ବାରମ୍ଵାର ବାରଣ ସତ୍ତ୍ୱେ ଅସାଧୁ ଟ୍ରଲରଗୁଡ଼ିକ ନିଷିଦ୍ଧାଞ୍ଚଳରେ ମାଛ ଧରୁଛନ୍ତି । ଯାହା ଫଳରେ ଜାଲରେ ପଡ଼ି ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ଘଟୁଛି ।
ଏହାମଧ୍ୟ ପଢନ୍ତୁ... |
ଅନ୍ୟପଟେ ପରିବେଶପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଏହି ଘଟଣାକୁ ଘୋର ନିନ୍ଦା କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି, "ଅଲିଭ ରିଡଲେ କଇଁଛ ବହୁ ଦୂରରୁ ଏଠାକୁ ଆସି ଅଣ୍ଡା ଦେଉଛନ୍ତି । ଯେଉଁଥିପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । କିନ୍ତୁ କିଛି ଟ୍ରଲରମାଲିକ ନିଜର ଲାଭ ପାଇଁ ଏହି ଅଞ୍ଚଳରେ ଟ୍ରଲର ଚଳାଇ ମାଛ ଧରୁଛନ୍ତି । ଯେଉଁଥିପାଇଁ ବିରଳ ଅଲିଭ ରିଡଲେଙ୍କ ମୃତ୍ୟୁ ଘଟୁଛି । ବିଗତ ଦିନରେ ମଧ୍ୟ ଶହ ଶହ କଇଁଛଙ୍କ ମୃତ୍ୟୁ ହେବାର ନଜିର ରହିଛି । ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।"
ବର୍ତ୍ତମାନ ଅଲିଭ ରିଡେଲଙ୍କ ଅଣ୍ଡାଦାନ ସମୟ । ହଜାର ହଜାର କଇଁଛ ଅଣ୍ଡାଦାନ ନିମନ୍ତେ ଦେବୀ ମୁହାଣକୁ ଆସିଥାନ୍ତି । ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷାକୁ ଦୃଷ୍ଟିରୁ ନଭେମ୍ବର ୧ ତାରିଖରୁ ଦେବୀ ନଦୀ ମୁହାଣରେ ମାଛଧରା ଉପରେ କଟକଣା ଲାଗୁ କରାଯାଇଛି । ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ହେଲେ ନିୟମକୁ ବେଖାତିର କରି ଟ୍ରଲର ମାଲିକମାନେ ବେଆଇନ ଭାବେ ସମୁଦ୍ରରେ ମାଛ ଧରୁଛନ୍ତି । ଯେଉଁଥିପାଇଁ ଅନେକ ଅଲିଭ ରିଡଲେଙ୍କ ଜୀବନ ଯାଉଛି ।
ଇଟିଭି ଭାରତ, ପୁରୀ