ଓଡିଶା

odisha

ETV Bharat / technology

ଦକ୍ଷିଣ କୋରିଆ ତିଆରି କଲା ‘Iron Man’ ରୋବୋଟ୍‌; ପିନ୍ଧିଲେ ବଦଳିଯିବ ଭିନ୍ନକ୍ଷମଙ୍କ ଜୀବନ - WEARABLE WALKING ROBOT

ଦକ୍ଷିଣ କୋରିଆର ଏକ ରିସର୍ଚ୍ଚ ଟିମ ଆଇରନ ମ୍ୟାନ୍‌ଠାରୁ ପ୍ରେରିତ ହୋଇ ଏପରି ଏକ ରୋବୋଟ୍‌ ତିଆରି କରିଛନ୍ତି ଯାହାକି ଭିନ୍ନକ୍ଷମଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେବ । ଅଧିକ ପଢନ୍ତୁ

SOUTH KOREAN TEAM DEVELOPS WEARABLE WALKING ROBOT
SOUTH KOREAN TEAM DEVELOPS WEARABLE WALKING ROBOT (Photo Credits: KAIST)

By ETV Bharat Tech Team

Published : Dec 27, 2024, 12:20 PM IST

ହାଇଦ୍ରାବାଦ: ଆଜିକାଲି ଟେକ୍ନୋଲୋଜି ଦିନକୁ ଦିନ ଅନେକ ଆଧୁନିକ ହେବାରେ ଲାଗିଛି ଯାହା ସମଗ୍ର ବିଶ୍ବରେ ଲୋକଙ୍କୁ ନାନାଦି କ୍ଷେତ୍ରରେ ସୁବିଧା ପ୍ରଦାନ କରୁଛି । ଏହାରି ମଧ୍ୟରେ ଦକ୍ଷିଣ କୋରିଆର ଅନୁସନ୍ଧାନକାରୀ ଟିମ୍‌ ଏପରି ଏକ ଆଧୁନିକ ଜ୍ଞାନକୌଶଳରେ ବିକଶିତ ରୋବୋଟ୍‌ ତିଆରି କରିଛନ୍ତି ଯାହାକି ଭିନ୍ନକ୍ଷମଙ୍କ ପାଇଁ କୌଣସି ବରଦାନଠୁ କମ୍ ନୁହେଁ । ଦକ୍ଷିଣ କୋରିଆରେ ସ୍ଥିତ କୋରିଆ ଆଡଭାନ୍ସଡ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (KAIST)ର ରିସର୍ଚ୍ଚ ଟିମ ସଂପୂର୍ଣ୍ଣ ପକ୍ଷାଘାତ ରୋଗୀଙ୍କ ପାଇଁ ଏକ ନୂତନ ପରିଧାନ ଯୋଗ୍ୟ ରୋବୋଟ୍ ତିଆରି କରିଛନ୍ତି । ଏହାର ନାମ ରହିଛି WalkON Suit F1 ।

ଭିନ୍ନକ୍ଷମଙ୍କ ପାଇଁ ୱିୟରବେଲ୍‌ ରୋବୋଟ୍‌

ଭିନ୍ନକ୍ଷମମାନେ ହ୍ବିଲ ଚେୟାରରେ ଜୀବନ ବିତାନ୍ତି କିମ୍ବା ଯେଉଁମାନେ ସଂପୂର୍ଣ୍ଣ ପକ୍ଷାଘାତରେ ପୀଡ଼ିତ ସେମାନେ କୌଣସି ସାହାରା ବିନା ଚାଲିପାରନ୍ତି ନାହିଁ । କିନ୍ତୁ ଏହି ରୋବୋଟ୍‌କୁ ପିନ୍ଧିବା ପରେ ସେମାନେ ନିଜେ ଚାଲିପାରିବେ । ଏପରିକି ପାହାଚ ବି ଚଢିପାରିବେ । ଖାସ୍‌ କଥା ହେଉଛି ଏହି ରୋବୋଟ୍ ନିଜେ ଭିନ୍ନକ୍ଷମଙ୍କ ନିକଟକୁ ଆସିପାରିବ ଯାହା ଦ୍ବାରା ସେମାନେ କାହାର ସାହାଯ୍ୟ ନ ନେଇ ହ୍ବିଲ୍ ଚେୟାରରେ ବସି ନିଜେ ପିନ୍ଧି ପାରିବେ । ଏହି ରୋବୋଟ୍‌କୁ KAISTର ଏକ୍ସୋସ୍କେଲିଟନ୍ ଟିମ୍ ଦ୍ବାରା ସୃଷ୍ଟି କରାଯାଇଛି ଏବଂ ସେମାନେ କହିଛନ୍ତି ଯେ ସେମାନଙ୍କର ଲକ୍ଷ୍ୟ ହେଉଛି ଏକ ରୋବୋଟ୍ ତିଆରି ଶାରୀରିକ ଅକ୍ଷମ ଲୋକଙ୍କ ଦୈନନ୍ଦିନ ଜୀବନକୁ ସହଜ କରିବା ।

3.2 KM ବେଗରେ ଚାଲିପାରିବେ ଭିନ୍ନକ୍ଷମ ବ୍ୟକ୍ତି

KAIST ଟିମର ସଦସ୍ୟ କିମ୍ ସେଙ୍ଗ-ହ୍ବାନ୍ (Kim Seung-hwan) ନିଜେ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ସେ ଏହି ପରିଧାନ ଯୋଗ୍ୟ ରୋବୋଟ୍ ୱାଲକନ୍ ସୁଟ୍ F1ର ପ୍ରୋଟୋଟାଇପ୍ ଉପସ୍ଥାପନ କରିଥିଲେ, ଯେଉଁଥିରେ ଦେଖାଯାଇଥିଲା ଯେ ଏହି ରୋବୋଟ୍ ସାହାଯ୍ୟରେ ସେ ଘଣ୍ଟା ପ୍ରତି 3.2 କିଲୋମିଟର ବେଗରେ ଚାଲୁଛନ୍ତି, ପାହାଚ ଚଢୁଛନ୍ତି ଏବଂ ଏପରି ଅନେକ କାର୍ଯ୍ୟ କରିପାରୁଛନ୍ତି ।

ମୁଁ ଯେଉଁଠାରେ ଅଛି, ଏହା ମୋ ପାଖକୁ ଆସିପାରେ । ଯଦିଓ ମୁଁ ଏକ ହ୍ବିଲ୍ ଚେୟାରରେ ବସିଛି, ଏହା ମୋ ପାଖକୁ ଆସି ମୋତେ ଠିଆ ହେବାରେ ସାହାଯ୍ୟ କରିଥାଏ ଏବଂ ମୁଁ ଏହାକୁ ନିଜେ ପିନ୍ଧିପାରେ । ଏହାର ସବୁଠୁ ଖାସ୍‌ ଫିଚର ମଧ୍ୟରୁ ଏହା ଅନ୍ୟତମ ।

କେଉଁଥିରେ ନିର୍ମିତ ହୋଇଛି ରୋବୋଟ୍‌ ?

ୱାକନ୍ ସୁଟ୍ F1 ହେଉଛି ଆଲୁମିନିୟମ୍ ଏବଂ ଟାଇଟାନିୟମ୍ ଗଠନରେ ନିର୍ମିତ ଏକ ପ୍ରକାରର ସୁଟ୍ । ଏହାର ଓଜନ 50 କିଲୋଗ୍ରାମ ଏବଂ 12ଟି ଇଲେକଟ୍ରୋନିକ୍ ମୋଟର ସାହାଯ୍ୟରେ ଚାଲିଥାଏ, ଯାହା ଚଳପ୍ରଚଳ ସମୟରେ କୃତ୍ରିମ ମାନବ ଗଣ୍ଠି ଭାବରେ କାର୍ଯ୍ୟ କରିଥାଏ ।

ଆଇରନ ମ୍ୟାନ୍‌ଠୁ ପ୍ରେରିତ ହୋଇ ବନାଇଲେ ରୋବୋଟ୍‌

KAIST ଦଳର ଅନ୍ୟ ଜଣେ ସଦସ୍ୟ ପାର୍କ ଜୋଙ୍ଗ-ସୁ କହିଛନ୍ତି ଯେ, ସେ ଏକ ଲୋକପ୍ରିୟ ଚଳଚ୍ଚିତ୍ର ଆଇରନ୍ ମ୍ୟାନ୍‌ଠାରୁ ପ୍ରେରଣା ପାଇଛନ୍ତି । ସେ କହିଛନ୍ତି, "ଆଇରନ୍ ମ୍ୟାନ୍ ଦେଖିବା ପରେ ମୁଁ ଭାବିଲି ଯଦି ମୁଁ ବାସ୍ତବ ଜୀବନରେ ରୋବୋଟ୍ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିପାରିବି ତେବେ ଏହା ଭଲ ହେବ । ଆମର ରୋବୋଟର ଆଗ ଭାଗରେ ଏକ କ୍ୟାମେରା ଲଗାଯାଇଛି । ପାରାପ୍ଲେଜିକ୍ ଭଳି ସମସ୍ୟାରେ ପୀଡିତ ଲୋକଙ୍କ ନିମ୍ନ ଶରୀରର ସେନ୍ସର ଦକ୍ଷତା ଅନ୍ୟ ମଣିଷ ତୁଳନାରେ ସ୍ବାଭାବିକ ଭାବରେ କମ । ଏହି ରୋବୋଟ୍ ସାମ୍ନାରେ ସ୍ଥାପିତ କ୍ୟାମେରା ଭିନ୍ନକ୍ଷମମାନଙ୍କ ସେନ୍ସର ଦକ୍ଷତାର ଅଭାବକୁ ପୂରଣ କରେ । ଉଦାହରଣ ସ୍ବରୂପ, ଏହି କ୍ୟାମେରା ପାହାଚର ଉଚ୍ଚତା ଚିହ୍ନଟ କରିପାରିବ କିମ୍ବା ରାସ୍ତାରେ ଉପସ୍ଥିତ ଥିବା କୌଣସି ପ୍ରତିବନ୍ଧକକୁ ଚିହ୍ନଟ କରିପାରିବ ଏବଂ ବ୍ୟବହାରକାରୀଙ୍କୁ ଏହାକୁ ଏଡାଇବାରେ ସାହାଯ୍ୟ କରିବ ।"

ପାର୍କ ଜୋଙ୍ଗ-ସୋ ଆହୁରି କହିଛନ୍ତି ଯେ ରୋବୋଟର ସେନ୍ସର ପ୍ରତି ସେକେଣ୍ଡରେ 1000 ସିଗ୍ନାଲ୍ ପ୍ରକ୍ରିୟାକରଣ କରେ ଯାହା ଦ୍ବାରା ବ୍ୟବହାରକାରୀ ସେମାନଙ୍କର ସନ୍ତୁଳନ ବଜାୟ ରଖନ୍ତି । ସାଇବଥଲନ୍ 2024ରେ ଏକ୍ସୋସ୍କେଲେଟନ୍ ବର୍ଗରେ ୱାକନ୍ ସୁଟ୍ F1 ପିନ୍ଧି କିମ୍ ସେଙ୍ଗ-ହ୍ବାନ୍ ସ୍ବର୍ଣ୍ଣ ପଦକ ଜିତିଥିଲେ, ଯେଉଁଥିରେ ବିଭିନ୍ନ ପ୍ରକାରର ଶାରୀରିକ ଅକ୍ଷମତା ଥିବା ବିକାଶକାରୀମାନେ 8ଟି ବର୍ଗରେ ସହାୟକ ରୋବୋଟ୍ ଉପସ୍ଥାପନ କରିଥିଲେ । କିମ୍ କହିଛନ୍ତି, "ମୁଁ ମୋ ପୁଅକୁ ଦେଖାଇବାକୁ ଚାହୁଁଥିଲି ଯେ ମୁଁ ମଧ୍ୟ ଚାଲିବାକୁ ସକ୍ଷମ। ମୁଁ ତା' ସହ ଅନେକ ଅନୁଭୂତି ବାଣ୍ଟିବାକୁ ଚାହୁଁଥିଲି।"

ABOUT THE AUTHOR

...view details