ହାଇଦ୍ରାବାଦ: ଭାରତୀୟ ବାୟୁ ସେନା (IAF)ର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନକୁ ଯାତ୍ରା କରିବାକୁ ଯାଉଛନ୍ତି । ଆମେରିକୀୟ ସ୍ପେଶ ଏଜେନ୍ସି ନାସାର ଏକ ମିଶନ Ax-4ର ପାଇଲଟ ଭାବେ ସେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ ସେଣ୍ଟରରୁ ISSକୁ ଯାତ୍ରା କରିପାରିବେ । ଏ ନେଇ ଗୁରୁବାର ଆମେରିକୀୟ ସ୍ପେଶ ଏଜେନ୍ସି ଘୋଷଣା କରିଛି ।
ଏହା ଘୋଷଣା ହେବା ପରେ IAF ଗ୍ରୁପ କ୍ୟାପ୍ଟେନ ବେଶ ଖୁସି ବ୍ୟକ୍ତି କରିଥିବା ବେଳେ ତାଙ୍କ ମହାକାଶ ଯାତ୍ରା ସମୟରେ ସେ ଭାରତବାସୀଙ୍କ ସହିତ ନିଜର ଅନୁଭୂତିକୁ ସେୟାର କରିବେ ବୋଲି କହିଛନ୍ତି । ଏହାସହିତ ଦେଶକୁ ପ୍ରତିନିଧିତ୍ବ କରୁଥିବା କିଛି ସାମଗ୍ରୀକୁ ସେ ନିଜ ସାଥୀର ନେବେ ବୋଲି ଯୋଜନା କରୁଥିବା କହିଛନ୍ତି । ଏହାବାଦ ମହାକାଶରେ ଯୋଗାସନ କରିବେ ବୋଲି ମଧ୍ୟ କହିଛନ୍ତି । ତେବେ ପ୍ରଥମେ ଆସନ୍ତୁ ଜାଣିନେବା ଶୁଭାଂଶୁ ଶୁକ୍ଲାଙ୍କ ସମ୍ପର୍କରେ ।
କିଏ ଶୁଭାଂଶୁ ଶୁକ୍ଳା ?
ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ଲାଗି ଆକ୍ସିଓମ ମିଶନ4 (Axiom Mission 4)ର ପାଇଲଟ ଭାବେ ତାଙ୍କୁ ଚୟନ କରାଯାଇଛି । ସେ ପ୍ରଥମ ଭାରତୀୟ ଯିଏକି ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ଯିବେ । ଶୁଭାଂଶୁଙ୍କ ଜନ୍ମ 1985 ମସିହା ଅକ୍ଟୋବର 10 ତାରିଖରେ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ହୋଇଥିଲା । ଜୁନ 2006ରେ ଭାରତୀୟ ବାୟୁ ସେନାରେ ଫାଇଟର ପାଇଲଟ ଭାବରେ ସେ ଯୋଗଦାନ କରିଥିଲେ । ମାର୍ଚ୍ଚ 2024ରେ ତାଙ୍କୁ ଗ୍ରୁପ କ୍ୟାପ୍ଟେନ ଦାୟିତ୍ବ ଦିଆଯାଇଥିଲା । ସେ Su-30 MKI, MiG-21, MiG-29, Jaguar, Hawk, Dornier ଓ An-32 ଭଳି ଅନେକ ବିମାନ ଚଲାଇଥିବା ବେଳେ ତାଙ୍କ ନିକଟରେ 2000ଘଣ୍ଟାରୁ ଅଧିକ ସମୟ ଧରି ଉଡ଼ାଣ ଅଭିଜ୍ଞତା ରହିଛି । ଖାଲି ସେତିକି ନୁହେଁ ଭାରତର ପ୍ରଥମ ମାନବ ମିଶନ 'ଗଗନ ଯାନ' ଲାଗି ମଧ୍ୟ ତାଙ୍କୁ ମହାକାଶଚାରୀ ଭାବେ ଚୟନ କରାଯାଇଛି ।
Axiom-4 ମିଶନ କଣ ?
ଆକ୍ସିଓମ-4 ମିଶନରେ 4ଜଣ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ ଯାତ୍ରା କରିବେ । ଏହି ଟିମରେ କମାଣ୍ଡର ପେଗି ହ୍ବିଟସନ, ଭାରତର ପାଇଲଟ ଶୁଭାଂଶୁ ଶୁକ୍ଳା, ପୋଲାଣ୍ଡରୁ ମିଶନ ବିଶେଷଜ୍ଞ ସାୱୋଜ୍ ଉଜନାସ୍କି ଓ ହଙ୍ଗେରୀରୁ ମିଶନ ବିଶେଷଜ୍ଞ ଟିବର କାପୁ ସାମିଲ । ଏହି ଘରୋଇ ମିଶନରେ ଭାରତ, ପୋଲାଣ୍ଡ ଓ ହଙ୍ଗେରୀରୁ ପ୍ରଥମ ଭାବେ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହିବା ଲାଗି ନିଆଯିବ । ଏମାନେ ଏଲନ ମସ୍କଙ୍କ ଏରୋସ୍ପେଶ କମ୍ପାନୀ ସ୍ପେଶଏକ୍ସର ସ୍ସେଶକ୍ରାଫ୍ଟ ବା ମହାକାଶ ଯାନରେ ଯାତ୍ରା କରିବେ ।