ହାଇଦ୍ରାବାଦ:ଚଳିତ ବର୍ଷ ଆଉ ଏକ ସଫଳତା ହାତେଇବା ଦିଗରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) । ଆସନ୍ତା 17 ତାରିଖରେ ଲଞ୍ଚ ହେବ INSAT-3DS ସାଟେଲାଇଟ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଉପଗ୍ରହ ଉନ୍ନତ ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ସମ୍ବନ୍ଧୀୟ ଚେତାବନୀ ଯୋଗାଇବାରେ ସାହାଯ୍ଯ କରିବ । GSLV F-14 ସାହାଯ୍ୟରେ INSAT-3DS ସାଟେଲାଇଟକୁ ଲଞ୍ଚ କରାଯିବା ନେଇ ସୂଚନା ରହିଛି ।
INSAT-3DS ସାଟେଲାଇଟ ହେଉଛି ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାପିତ ହେବାକୁ ଥିବା ତୃତୀୟ ପିଢିର ପାଣିପାଗ ଅନୁସନ୍ଧାନକାରୀ ମିଶନ ଅଟେ । ଏହା ଭୂବିଜ୍ଞାନ ମନ୍ତ୍ରାଳୟ ଦ୍ବାରା ଅନୁଦାନ ପ୍ରାପ୍ତ ହୋଇଛି । ଏନେଇ ଇସ୍ରୋ ପକ୍ଷରୁ କୁହାଯାଇଛି, "INSAT-3DS ସାଟେଲାଇଟକୁ GSLV F-14 ସାହାଯ୍ୟରେ ଆସନ୍ତା 17 ତାରିଖ ସନ୍ଧ୍ୟା 5ଟା 30 ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସ୍ସେସ ସେଣ୍ଟରରୁ(SDSC) ଲଞ୍ଚ କରାଯିବ ।"
ବିପର୍ଯ୍ୟୟ ନେଇ ଦେବ ଚେତାବନୀ: ଏନେଇ ଅନ୍ତରୀକ୍ଷ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, "ପାଣିପାଗର ପୂର୍ବାନୁମାନ, ବିପର୍ଯ୍ୟର ଚେତାବନୀ ବା ପୂର୍ବାନୁମାନ କରିବା ପାଇଁ ଏହାକୁ ଡିଜାଇନ କରାଯାଇଛି । ଏହା ଉଭୟ ସ୍ଥଳ ଏବଂ ସମୁଦ୍ର ପୃଷ୍ଠଭୂମି ଉପରେ ନଜର ରଖିବ ।"