ହାଇଦ୍ରାବାଦ:ବର୍ଷ 2024 ରେ ଏକାଧିକ ଐତିହାସିକ ସଫଳତା ପାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ISRO’ ବର୍ଷ ଶେଷରେ ମଧ୍ୟ ଇତିହାସ ରଚିଛି । ସଫଳତାର ସହ ଉତକ୍ଷେପଣ ହେଲା ବହୁଚର୍ଚ୍ଚିତ 'SpaDex’ ଉପଗ୍ରହ । ସମୟ ରାତି ପ୍ରାୟ 10 ଟା 15 ସେକେଣ୍ଡରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ଥିବା ସର୍ବବୃହତ୍ତ ସ୍ପେଶପୋର୍ଟ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚପ୍ୟାଡରୁ ସଫଳତାର ଉତକ୍ଷେପଣ ହୋଇଛି ଏହି ବହୁପ୍ରତୀକ୍ଷିତ ଉପଗ୍ରହ । ସମସ୍ତ ପର୍ଯ୍ୟାୟ ସଫଳତାର ସହ ଅତିକ୍ରମ କରି ‘ପିଏସଏଲଭି’ ରକେଟ ଉପଗ୍ରହକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଠିକ୍ କକ୍ଷପଥରେ ଅବସ୍ଥାପିତ କରିଛି । ଉତକ୍ଷେପଣ ସଫଳ ହେବା ପରେ ବୈଜ୍ଞାନିକଙ୍କୁ ସମ୍ବୋଧନ ମାଧ୍ୟମରେ ପୁରା ଦେଶକୁ ସୂଚିତ କରିଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ ।
- କେମିତି ଲଞ୍ଚ ହେଲା SpaDex ମିଶନ ?
ସ୍ପେଡେକ୍ସ ମିଶନକୁ PSLV-C60 ଲଞ୍ଚିଂ ଭେଇକଲରୁ ଉତକ୍ଷେପଣ କରାଯାଇଛି । ଏହି ମିଶନରେ ଦୁଇଟି ସାଟେଲାଇଟ୍ ଉତକ୍ଷେପିତ ହୋଇଛି । ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ଦୁଇଟି ସାଟେଲାଇଟ୍ 24 ଘଣ୍ଟା ମଧ୍ୟରେ ପରସ୍ପରଠାରୁ 20 କିଲୋମିଟର ପର୍ଯ୍ୟନ୍ତ ଦୂରେଇ ଯିବେ । ଏହାପରେ ଇସ୍ରୋ ଡକିଂ ଓ ଅନଡକିଂ ପ୍ରକ୍ରିୟା ଆରମ୍ଭ କରିବ । ଅନବୋର୍ଡ ପ୍ରପଲସନ୍ ସାହାଯ୍ୟରେ ଧିରେ ଧିରେ ଉଭୟ ସାଟେଲାଇଟ୍ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରାଯିବ ଓ ପରେ ଉଭୟ ନିକଟବର୍ତ୍ତୀ ହେବା ସହ ପରସ୍ପର ସହିତ ଯୋଡ଼ି ହେବେ । ଉଭୟ ସାଟେଲାଇଟ୍ ମଧ୍ୟରେ ପାୱାର ଟ୍ରାନ୍ସଫର ସିଷ୍ଟମ ରହିଛି ଓ ପେଲୋଡ୍ ଅପରେସନକୁ ବ୍ୟବହାର କରି ଅନଡକିଂ ପ୍ରକ୍ରିୟା ଆରମ୍ଭ ହେବ । ଭାରତର ଏହି ମହାକାଶ ମିଶନ ଉପରେ ସମଗ୍ର ବିଶ୍ବର ନଜର ରହିଛି ।
ସଫଳତାର ସହ ଉତକ୍ଷେପଣ ହେଲା ମିଶନ SpaDex (Photo Credit- ISRO) ଖବର ଅନୁଯାୟୀ ପୋଲାର ସାଟେଲାଇଟ୍ ଲଞ୍ଚିଂ ଯାନ (PSLV-C60) 220 କିଲୋଗ୍ରାମର ଦୁଇଟି ସାଟେଲାଇଟ୍ SDX01 ଓ SDXO2କୁ 470 କିଲୋମିଟର ବୃତ୍ତାକାର କକ୍ଷପଥରେ ରଖିବ । ରକେଟ୍ ଦ୍ବାରା ପ୍ରଦାନ କରାଯାଇଥିବା ଆପେକ୍ଷିକ ବେଗ ଆଡଜଷ୍ଟମେଣ୍ଟ୍ ବ୍ୟବହାର କରି 10–20 କିଲୋମିଟର ଦୂରତାରୁ ସାଟେଲାଇଟ୍ ପୃଥକ ପ୍ରକ୍ରିୟା ଆରମ୍ଭ କରିବେ । ଏହି ମିଶନର ଉଦ୍ଦେଶ୍ୟ ହେଉଛି ମହାକାଶରେ କୌଣସି ମହାକାଶ ଯାନକୁ 'ଡକ୍' ଓ 'ଅନଡକ୍' କରିବାର କ୍ଷମତା ପ୍ରଦର୍ଶନ କରିବା । ତେବେ ଡକିଂର ଅର୍ଥ ହେଉଛି ଗୋଟିଏ ମହାକାଶଯାନକୁ ଅନ୍ୟ ସହିତ ସଂଯୋଗ କରିବା ଏବଂ ମହାକାଶରେ ସଂଯୁକ୍ତ ଦୁଇଟି ମହାକାଶଯାନର ପୃଥକୀକରଣକୁଅନଡକିଂ କୁହାଯାଏ । ଚନ୍ଦ୍ରରୁ ନମୁନା ଆଣିବା, ଭାରତୀୟ ମହାକାଶ ଷ୍ଟେସନ (BAS) ନିର୍ମାଣ ଭଳି ଭାରତର ଉଚ୍ଚାଭିଳାଷୀ ମିଶନ ପାଇଁ ଏହି ଟେକ୍ନୋଲୋଜି ବେଶ ଗୁରୁତ୍ବପୂର୍ଣ୍ଣ ।
‘ସ୍ପେଡେକ୍ସ ମିଶନ’ ଚଳିତ ବର୍ଷ ଇସ୍ରୋର ଶେଷ ମିଶନ । ଏହି ମିଶନ ସଫଳ ହେଲେ ଭାରତର ନାଁରେ ଆଉ ଏକ ଇତିହାସ ଯୋଡ଼ିହେବ । ଏହାସହ ମିଶନ ସଫଳ ହେଲେ ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିପାରିବା ସହ ମହାକାଶରେ 'ଡକିଙ୍ଗ' ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବିଶ୍ବରେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ସଫଳ ଦେଶ ଭାବେ ରେକର୍ଡ କରିବ । ଖାଲି ସେତିକି ନୁହେଁ, ଚନ୍ଦ୍ରଯାନ-4 ମିଶନକୁ ମଧ୍ୟ ଏଥିରୁ ବହୁ ଫାଇଦା ମିଳିବ ।
- କ’ଣ ସମସ୍ୟା ଭୋଗିପାରେ SpaDex ମିଶନ ?
ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥାଏ । ଏଥିଲାଗି ମହାକାଶରେ ପ୍ରତ୍ୟେକଟି ଜିନିଷ ଖୁବ ଜୋରରେ ହଲିବାକୁ ଲାଗିଥାଏ । ଏପରି ସ୍ଥିତିରେ ସେମାନଙ୍କୁ ପାଖକୁ ଆଣିବା କାଠିକର ପାଠ ହୋଇଥାଏ । ଏଥିଲାଗି ଯଦି ଇସ୍ରୋ ସାଟେଲାଇଟକୁ 'ଡକିଂ ଓ ଅନଡକିଂ' କରିବାରେ ସଫଳ ହୁଏ, ତେବେ ଭବିଷ୍ୟତରେ ଇସ୍ରୋ ବହୁ କାମ କରିବାରେ ସଫଳ ହେବ । ଉଦାହରଣ ସ୍ବରୂପ, ମହାକାଶରେ ସାଟେଲାଇଟର ମରାମତି କରିବା, ଇନ୍ଧନ ଭରିବା ଓ ଅଦରକାରୀ ପଦାର୍ଥ ହଟାଇବା ଇସ୍ରୋ ପାଇଁ ସହଜ ହେବ ।