ହାଇଦ୍ରାବାଦ: ବିଶ୍ବର ଜଳବାୟୁ ପରିବର୍ତ୍ତନକୁ ମାପିବା ଲାଗି ପ୍ରତିବର୍ଷ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (CCPI) ରିପୋର୍ଟ ପ୍ରକାଶ ପାଇଥାଏ । ଚଳିତ ବର୍ଷ ପ୍ରକାଶ ପାଇଥିବା ରିପୋର୍ଟରେ ଭାରତ 2ଟି ସ୍ଥାନ ତଳକୁ ଖସି ଦଶମ ସ୍ଥାନରେ ରହିଛି । ଜଳବାୟୁ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଦେଶ ହୋଇପାରିଛି, ଯିଏକି ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ କାମ କରୁଛି । ଭାରତ ଦୁଇଟି ସ୍ଥାନ ତଳକୁ ଖସିଲେ ମଧ୍ୟ ଟପ୍-10 ସ୍ଥାନରେ ରହିଛି ।
ଟପ୍-10 ତାଲିକାରେ 2ଟି G20 ଦେଶ:-
ନୂଆ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କରେ ଭାରତ 10 ନମ୍ବରରେ ରହିଛି । ଗତ ବର୍ଷ ଭାରତ 7 ନମ୍ବରରେ ଥିଲା । ହେଲେ ଭାରତ ଶ୍ରେଷ୍ଠ ୧୦ ଦେଶମାନଙ୍କ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିଛି । ଜି-20 ଦେଶ ମଧ୍ୟରେ ଭାରତ ଏବଂ ବ୍ରିଟେନ (ସ୍ଥାନ 6) ମାତ୍ର 2ଟି ଦେଶ ଯିଏ ଶ୍ରେଷ୍ଠ ୧୦ରେ ଅଛନ୍ତି । ଏହାପୂର୍ବରୁ 2014ରେ ଭାରତ 31 ତମ ସ୍ଥାନରେ ରହିଥିଲା ଏବଂ 2019ରେ ଟପ୍-10ରେ ସାମିଲ ହୋଇଥିଲା ।
ଏହା ବି ପଢନ୍ତୁ |
କେମିତି ଭଲ ପ୍ରଦର୍ଶନ କଲା ଭାରତ ?
ଭାରତ ଅକ୍ଷୟ ଶକ୍ତି ବିଶେଷ କରି ସୌର ଶକ୍ତି ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଏବଂ ସବୁଜ ଶକ୍ତିରେ ବିଶ୍ବ ନେତୃତ୍ବ ପାଇଁ ଲକ୍ଷ୍ୟ ରଖିଛି । ଭାରତ ଦେଶରେ ବୃହତ ଆକାରରେ ସୌର ପ୍ରକଳ୍ପ, ଛାତ ସୌର ଯୋଜନା ଏବଂ ବୈଦ୍ୟୁତିକ ଯାନରେ ଅଗ୍ରଗତି, ଅଫ୍ ଗ୍ରୀଡ୍ ସୌର ପ୍ରଣାଳୀ ଦିଗରେ କାମ କରୁଛି । ଏହାବାଦ 2ଟି ସ୍ଥାନ ତଳକୁ ଖସିବାର କାରଣ ହେଉଛି ଦେଶରେ ଏବେ ବି କୋଇଲା ବ୍ୟବହାର ଉପରେ ନିର୍ଭରଶୀଳତା ବଜାୟ ରଖିଛି ।