ହାଇଦ୍ରାବାଦ:ଚାଟ୍ଜିପିଟି ବିକଶିତ କରି ଚର୍ଚ୍ଚାକୁ ଆସିଥିବା ଆମେରିକୀୟ କମ୍ପାନୀ OpenAIର ପୂର୍ବତନ ଚିଫ୍ ଟେକ୍ନୋଲୋଜି ଅଫିସର (CTO) ମୀରା ମୁରାତୀ ନିଜର ଏଆଇ ଷ୍ଟାର୍ଟଅପ୍ ଥିଙ୍କିଙ୍ଗ ମେସିନ ଲ୍ୟାବ୍ (Thinking Machines Lab) ଆଣିଛନ୍ତି । ସେ ଗତବର୍ଷ ସେପ୍ଟେମ୍ବରରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ମୀରା ଥିଙ୍କିଙ୍ଗ ମେସିନ୍ସ ଲ୍ୟାବ୍ରେ ପ୍ରାୟ 30 ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।
ଗତ ସେପ୍ଟେମ୍ବରରେ ମୀରା ଓପନଏଆଇ ଛାଡ଼ିବା ସମୟରେ ଏକ ବିବୃତ୍ତି ଜାରି କରି କହିଥିଲେ, "ମୁଁ କମ୍ପାନୀ ଛାଡ଼ିବାର କାରଣ ମୁଁ ମୋ ପାଇଁ କିଛି ସମୟ ବାହାର କରିବାକୁ ଚାହୁଁଛି ଓ ନିଜସ୍ବ ଗବେଷଣା କରିବାକୁ ଇଚ୍ଛା ପ୍ରକାଶ କରୁଛି ।" ଏହାପରେ ଆଜି (ଫେବୃଆରୀ 19)ରେ ସେ ନିଜର ଏଆଇ ଷ୍ଟାର୍ଟଅପ୍ ଥିଙ୍କିଙ୍ଗ ମେସିନ୍ସ ଲ୍ୟାବ୍ ସମ୍ପର୍କରେ ଘୋଷଣା କରିଛନ୍ତି, ଏହି ଟିମରେ ଅନେକଙ୍କୁ ସାମିଲ କରିବା ଲାଗି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି ।
କଣ ଏହି ଷ୍ଟାର୍ଟଅପ୍ର ଲକ୍ଷ୍ୟ ?
ରଏଟର୍ସର ରିପୋର୍ଟ ଅନୁସାରେ, ମୀରା ଏହି ଷ୍ଟାର୍ଟଅପ୍ରେ ସିଇଓ ପଦ ସମ୍ଭାଳିବାକୁ ଥିବାବେଳେ ମୁଖ୍ୟ ବୈଜ୍ଞାନିକ ଭାବେ ଜନ୍ ସୁଲମ୍ୟାନ୍ ଓ ଚିଫ୍ ଟେକ୍ନୋଲୋଜି ଅଫିସର ବା ସିଟିଓ ଭାବେ ବାରେଟ୍ ଜୋଫ୍ କାମ କରିବେ । ତେବେ ଏହି ଷ୍ଟାର୍ଟଅପ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି 'ଏଆଇକୁ ଜରୁରୀ ଆବଶ୍ୟକତା ଓ ଲକ୍ଷ୍ୟକୁ ପୂରଣ କରିବା ଲାଗି ଉପକରଣ ବିକଶିତ କରିବା' । ଏହାସହ ଏଆଇ ସିଷ୍ଟମକୁ ଅଧିକ ବ୍ୟାପକ ରୂପରେ ବୁଝିବା ଯୋଗ୍ୟ, ଅନୁକୂଳ ଓ ସକ୍ଷମ କରିବାକୁ ମୀରା ଲକ୍ଷ୍ୟ ରଖିଛନ୍ତି ।
ଏକ ବ୍ଲଗ୍ ପୋଷ୍ଟରେ ଷ୍ଟାର୍ଟଅପ୍ ପକ୍ଷରୁ କୁହାଯାଇଛି ଯେ 'ବିଭିନ୍ନ ପ୍ରକାର ପ୍ରଣାଳୀକୁ ବିକଶିତ କରୁଛୁ ଯାହାକି ଲୋକଙ୍କ ସହିତ ମିଳିତ ଭାବରେ କାମ କରିବ । ଏହାସହିତ ବୈଜ୍ଞାନିକମାନେ ପ୍ରୋଗ୍ରାମିଂ କ୍ଷେତ୍ରରେ ମଡେଲ ବିକଶିତ କରୁଛି । '