ହାଇଦ୍ରାବାଦ: ଏଣିକି ଅଷ୍ଟ୍ରେଲିଆରେ 16ବର୍ଷରୁ କମ୍ ପିଲାମାନେ TikTok, Facebook, Snapchat, Reddit, X ଓ Instagram ଭଳି ସୋସିଆଲ ମିଡିଆକୁ ବ୍ୟବହାର କରିପାରିବେ ନାହିଁ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ନେତୃତ୍ବରେ ନଭେମ୍ବର 28 ତାରିଖରେ ଦେଶରେ ଏହି ଆଇନ ଲାଗୁ କରାଯାଇଛି । ଏପରି ଆଇନ ଆଣିବାରେ ଏବେ ଅଷ୍ଟ୍ରେଲିଆ ପ୍ରଥମ ଦେଶ ହୋଇଛି । କୁନି କୁନି ପିଲାଙ୍କ ଅତ୍ୟଧିକ ସୋସିଆଲ ମିଡିଆ ବ୍ୟବହାରକୁ ରୋକି ସେମାନଙ୍କୁ ସୁରକ୍ଷିତ ରଖିବା ଲାଗି ଏଭଳି ଆଇନ ଆଣିଥିବା କହିଛନ୍ତି ଆନ୍ଥୋନି ।
ମିଳିଲା ଶାସକ ଓ ବିରୋଧୀଙ୍କ ସମର୍ଥନ:-
ଗୁରୁବାର ଅଷ୍ଟ୍ରେଲିଆର ଉଚ୍ଚ ସଦନ 'ସିନେଟ୍'ରେ ଏହି ବିଲ୍କୁ ପାରିତ ହୋଇଥିବା ବେଳେ ସପକ୍ଷରେ 34ଟି ଭୋଟ୍ ଓ ବିପକ୍ଷରେ 19ଟି ଭୋଟ୍ ପଡ଼ିଥିଲା । ବୁଧବାର ନିମ୍ନ ସଦନରେ ବହୁମତରେ ଏହି ବିଲ୍କୁ ପାରିତ କରାଯାଇଥିଲା । ବିଲ୍ ସପକ୍ଷରେ 103ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ମାତ୍ର 13ଟି ଭୋଟ ଥିଲା । ଉଭୟ ସଦନରେ ବିଲ୍ ପାରିତ ହେବା ପରେ ଏବେ ଏହା ଆଇନ ଭାବେ ସାରା ଦେଶରେ ଲାଗୁ କରାଯାଇଛି । ଖାସ କଥା ହେଉଛି ଏହି ବିଲ୍କୁ ଉଭୟ ଶାସକ ଦଳ ଲେବର ପାର୍ଟି ଓ ବିପକ୍ଷ ଦଳ ଲିବରାଲ ପାର୍ଟିର ସମର୍ଥନ ମିଳିଛି ।
ନିୟମ ନ ମାନିଲେ ଭରିବେ 270କୋଟି ଜୋରିମାନା:-
ବିଧେୟକ ବା ବିଲ୍ ମୁତାବକ ପିତାମାତାଙ୍କ ସହମତି କିମ୍ବା ପୂର୍ବରୁ ଏହି ନିର୍ଦ୍ଦିଷ୍ଟ ବୟସ୍କ ପିଲାଙ୍କ ଯଦି ସୋସିଆଲ ମିଡିଆ ଆକାଉଣ୍ଟ ଅଛି ତେବେ ତାହାକୁ ମଧ୍ୟ ହଟାଇ ଦିଆଯିବ । ଖୋଦ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ 16ବର୍ଷରୁ କମ ବୟସ୍କ ପିଲାଙ୍କୁ ଏଥିରୁ ଦୂରେଇବା ଲାଗି କିଛି ବ୍ୟବସ୍ଥା ଆଣିବାକୁ ପଡ଼ିବ । ଏହି ଆଇନ ଲାଗୁ ହେବା ପରେ ପ୍ଲାଟଫର୍ମଗୁଡ଼ିକୁ ଏପରି ପ୍ରତିବନ୍ଧକ ଆଣିବା ଲାଗି ବର୍ଷେ ସମୟ ଦିଆଯାଇଛି । ଯଦି ପିଲାଙ୍କୁ ସୋସିଆଲ ମିଡିଆର ପ୍ରତିବନ୍ଧକ ନେଇ ପ୍ଲାଟଫର୍ମଗୁଡ଼ିକ ଅସଫଳ ହୁଅନ୍ତି ତେବେ 50 ମିଲିୟନ ଅଷ୍ଟ୍ରେଲିଆୟନ ଡଲାର ବା 270କୋଟି ଟଙ୍କା ଜୋରିମାନା ଭରିବାକୁ ପଡ଼ିବ ।
କଣ କହୁଛନ୍ତି ଅଷ୍ଟ୍ରେଲିଆ ସରକାର ?
ସରକାରଙ୍କ କହିବାନୁସାରେ, ଅଷ୍ଟ୍ରେଲିଆର ଯୁବପିଢିଙ୍କ ଲାଗି ସୋସିଆଲ ମିଡିଆ ଅସୁରକ୍ଷିତ ହୋଇପାରେ । 14ରୁ 17ବର୍ଷ ବୟସର 66% ପିଲାମାନେ ସୋସିଆଲ ମିଡିଆରେ ବିପଦପୂର୍ଣ୍ଣ କଣ୍ଟେଣ୍ଟ ଦେଖିଛନ୍ତି, ଯେଉଁଥିରେ ନିଶା ଦ୍ରବ୍ୟ ଖାଇବା, ଆତ୍ମହତ୍ୟା ଓ ନିଜକୁ କଷ୍ଟ ଦେବା ଭଳି କଣ୍ଟେଣ୍ଟ ସାମିଲ । ଏହାପରେ ଅଷ୍ଟ୍ରେଲିଆର ସରକାର ଏକ ସର୍ଭେ ଆରମ୍ଭ କରିଥିଲା । ସେଥିରୁ ଜଣାପଡ଼ିଥିଲା ଅନେକ ପିତାମାତା ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ ବେଶ ଚିନ୍ତିତ । ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏପରି ଆଇନ ଆଣିବାକୁ ନିଷ୍ପତ୍ତି ନେଇଥିଲେ ।
ବିରୋଧ କରୁଛନ୍ତି ଟେକ୍ କମ୍ପାନୀ:-
ଏହି ଆଇନକୁ ଅନେକ ଟେକ୍ କମ୍ପାନୀ ବିରୋଧ କରିଛନ୍ତି । ଅଷ୍ଟ୍ରେଲିଆ ସୋସିଆଲ ମିଡିଆ ବ୍ୟାନ୍ ନେଇ ଯେଉଁ ନିର୍ଦ୍ଦିଷ୍ଟ ବୟସ ସୀମା ଆଣିଛି ତାହା ଅଧିକ ରହିଛି ବୋଲି ଟେକ୍ କମ୍ପାନୀ ମତ ରଖିଛନ୍ତି । ଖାଲି ସେତିକି ନୁହେଁ ଯୁବପିଢିଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ କାମ କରୁଥିବା କିଛି ସଂସ୍ଥା ମଧ୍ୟ ଏହି ନିୟମକୁ ବିରୋଧ କରିଛନ୍ତି । ସେମାନଙ୍କ କହିବା କଥା 73 ପ୍ରତିଶତ ଯୁବପିଢି ସୋସିଆଲ ମିଡିଆ ମାଧ୍ୟମରେ ମାନସିକ ସ୍ବାସ୍ଥ୍ୟର ସହାୟତା ନେଇଥାନ୍ତି । ବ୍ୟାନ୍ ପରେ ସେମାନେ ପ୍ରଭାବିତ ହୋଇପାରନ୍ତି ।
ଏହି କ୍ଷେତ୍ରରେ କଣ କରୁଛନ୍ତି ଅନ୍ୟ ଦେଶ ?
- ଆମେରିକା:ବିଶ୍ବର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ପିଲାଙ୍କ ସୁରକ୍ଷା ଲାଗି 26ବର୍ଷ ପୂର୍ବରୁ ଏଭଳି ଏକ ଆଇନ ଆଣିଥିଲା । ନିୟମର ନାମ ଥିଲା 'ଚିଲଡ୍ରେନ୍ ଅନଲାଇନ ପ୍ରାଇଭେସି ପ୍ରୋଟେକ୍ସନ ଆକ୍ଟ' । ଏହି ନିୟମ ଅନୁସାରେ 13ବର୍ଷରୁ କମ ପିଲାଙ୍କ ତଥ୍ୟ ସଂଗ୍ରହ କରିବା ପୂର୍ବରୁ ଉକ୍ତ ୱେବସାଇଟକୁ ପିତାମାତାଙ୍କ ଅନୁମତି ଲୋଡ଼ିଥାଏ ।
- ବ୍ରିଟେନ:ଅଷ୍ଟ୍ରେଲିଆ ପରେ ଏବେ ବ୍ରିଟିଶ ସରକାର ମଧ୍ୟ 16ବର୍ଷରୁ କମ ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ବିଚାର ବିମର୍ଷ ଜାରି ରଖିଛନ୍ତି । ଭବିଷ୍ୟତରେ ବ୍ରିଟେନ ମଧ୍ୟ ସମାନ ଆଇନ ଲାଗୁ କରିପାରେ ।
- ଫ୍ରାନ୍ସ: ଏହି ଦେଶରେ ସ୍କୁଲରେ 15ବର୍ଷରୁ କମ ପିଲାଙ୍କ ମୋବାଇଲ ଫୋନ ବ୍ୟାନ୍ ନେଇ ପରୀକ୍ଷଣ ଆରମ୍ଭ ହୋଇଛି । ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ସାରା ଦେଶରେ ଏହାକୁ ଲାଗୁ କରାଯିବ । ଫ୍ରାନ୍ସରେ ଆଉ ଏକ ନିୟମ ରହିଛି ଯେ 15ବର୍ଷରୁ କମ ବୟସର ପିଲାମାନେ ପିତାମାତାଙ୍କ ଅନୁମତି ବିନା ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ।
- ନରୱେ: ୟୁରୋପୀୟ ରାଷ୍ଟ୍ର ନରୱେ ସୋସିଆଲ ମିଡିଆ ବ୍ୟବହାର ଲାଗି ଆଇନଗତ ବୟସ ସୀମା 13ବର୍ଷରୁ ବୃଦ୍ଧି କରି 15ବର୍ଷ କରିଛି । ଏ ନେଇ ଏକ ବିଧିବଦ୍ଧ ଆଇନ ଆଣିବା ଲାଗି ମଧ୍ୟ ଏଠାକାର ସରକାର ଚିନ୍ତା କରୁଛନ୍ତି ।