ବୌଦ୍ଧ:ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାରେ ପାଳନ ହୋଇଛି ବିଶ୍ବ ଆଦ୍ରଭୂମି ଦିବସ । ଏହି ଅବସରରେ ଗତକାଲି(ଶୁକ୍ରବାର) ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ସହିତ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି ।
ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିର୍ମିତ ହୋଇଥିବା ବୃହତ ଜଳାଶୟଗୁଡିକ ଜୈବ ବିଭିନ୍ନତା ତଥା ବନ୍ୟଜନ୍ତୁଙ୍କ ପାଇଁ ବେଶ ସହାୟକ ହୋଇ ପାରିଛି । ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାର ସୀମାରେଖାରେ ମହାନଦୀ ଓ ତେଲନଦୀ ରହିଥିବା ବେଳେ ଏହାର ଉପକୂଳରେ ବିଭିନ୍ନ ଜୈବ ବିଭିନ୍ନତା ପୂର୍ଣ୍ଣ ସ୍ଥାନ ରହିଛି । ଲତାଝରଣ ଭଳି ଆଭ୍ୟନ୍ତରୀଣ ଜଙ୍ଗଲଠାରୁ ନେଇ ମହାନଦୀ କୂଳରେ ଥିବା ସାତକୋଶିଆ ଅଭୟାରଣ୍ୟର ଜୈବ ବିଭିନ୍ନତା ବୌଦ୍ଧ ଜିଲ୍ଲାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇ ପାରିଛି । ବର୍ତ୍ତମାନ ସମୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ୧୮ ଗୋଟି ଉନ୍ନତ ପ୍ରଣାଳୀରେ ବୃହତ ଜଳାଶୟ ନିର୍ମାଣ ହୋଇଥିବା ସୂଚନା ମିଳିଛି ।
ଏହାଦ୍ବାରା ଅଞ୍ଚଳର ଜୈବ ବିଭିନ୍ନତା ଉପରେ ଏହାର ପ୍ରଭାବ ପଡିବା ସହିତ ଜଙ୍ଗଲର ବନ୍ୟଜନ୍ତୁ ବେଶ ଉପକୃତ ହୋଇ ପାରୁଛନ୍ତି । ତେଣୁ ବିଶ୍ବ ଆଦ୍ର ଭୂମି ଦିବସ ଅବସରରେ ବୌଦ୍ଧ ବନଖଣ୍ଡ ପକ୍ଷରୁ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏ ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ସହିତ ବୌଦ୍ଧ ଜିଲ୍ଲାର ନୂଆପଡା ଡ଼୍ୟାମ ନିକଟରେ ସୃଷ୍ଟି ହୋଇଥିବା ପ୍ରାକୃତିକ ଆଦ୍ରଭୂମି ଅଞ୍ଚଳରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଆଗାମୀ ଦିନରେ ଏହି ଆର୍ଦ୍ରଭୂମି ସୃଷ୍ଟି ପାଇଁ ଜଙ୍ଗଲ ଅଞ୍ଚଳରେ ଅଧିକ ଜଳାଶୟ ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।