ଓଡିଶା

odisha

ETV Bharat / state

ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ - ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

World Odia Language Conference: ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବ । ରାଜ୍ୟର ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ । ଅଧିକ ପଢନ୍ତୁ

World Odia Language Conference
World Odia Language Conference

By ETV Bharat Odisha Team

Published : Jan 27, 2024, 8:46 PM IST

ଭୁବନେଶ୍ବର:ରାଜ୍ୟର ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏ ନେଇ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ମହାନଗର ନିଗମର କମିଶନର ଏବଂ ପୌର ପରିଷଦ ଓ ଏନଏସିର ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି । ଭିସି ଜରିଆରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଛି ଓଡ଼ିଆ । ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି । ଓଡ଼ିଆ ଭାଷାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି । ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ସହ ଭାଷାକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି । ପ୍ରତ୍ୟେକ ବ୍ୟକ୍ତି ଏଠାକୁ ଆସି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବେ । ଏହା ସହ ଅଭୁଲା ସ୍ମୃତି ନେଇଯିବେ ।

ଏହା ବି ପଢନ୍ତୁ- ଜନତା ମଇଦାନରେ ସାମୟିକ ସଂଗ୍ରାହଳୟ; ସ୍ଥାନ ପାଇବ ଓଡ଼ିଆ ଅସ୍ମିତା ଓ ଗୌରବର ଗାଥା

ଏହି ସମୟରେ ରାଜ୍ୟର ସମସ୍ତ ପୌରାଞ୍ଚଳମାନଙ୍କରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରିବା ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ମହାନଗର ନିଗମର କମିଶନର ଏବଂ ପୌର ପରିଷଦ ଓ ଏନଏସିର ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି । ଏହା ସହ ଭିସି ଜରିଆରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ସଂପୃକ୍ତ କାର୍ଯ୍ୟକ୍ରମର ବିବରଣୀ ଓ ହାଇ ରିଜୋଲୁସନ ଫଟୋଗୁଡ଼ିକ ବିଭାଗର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଇବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । ଭିସିରେ ଆଲୋଚନା ସମୟରେ ସମସ୍ତ ପୌର ପରିଷଦ ସାମିଲ ହୋଇଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ରକ୍ଷା କରିବା ଦିଗରେ ସେମାନଙ୍କ ପ୍ରତିବଦ୍ଧତା ମଧ୍ୟ ଜଣାଇଛନ୍ତି ।

ସଂଗ୍ରାମଜିତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବା ବାବଦରେ ଆପଣମାନେ ସମସ୍ତେ ଅବଗତ ଅଛନ୍ତି । ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀକୁ ବ୍ୟାପକ କରିବା ଲାଗି ସବୁ ସହରାଞ୍ଚଳ, ସ୍ବାୟତ୍ତ ଶାସନ ସଂସ୍ଥାମାନଙ୍କରେ ଏହା ପାଳନ କରିବାର ଆବଶ୍ୟକତା ରହିଛି । ଏହି ଆୟୋଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ହାତକୁ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

  • ବ୍ୟାପକ ସଚେତନତା ଲାଗି ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଅବଦାନ ରଖିଥିବା ପ୍ରସିଦ୍ଧ କବି, ଲେଖକ ଓ ଭାଷାବିତଙ୍କ ପରି ଓଡ଼ିଆ ବ୍ୟକ୍ତିତ୍ୱଙ୍କ ଚିତ୍ର / ଛବିର ପେଣ୍ଟିଂ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ପ୍ରମୁଖ ସ୍ଥାନଗୁଡ଼ିକରେ ରଖାଯାଇପାରେ ।
  • ଓଡ଼ିଆ ଗବେଷକ, ବିଦ୍ୱାନ ଓ ବୁଦ୍ଧିଜୀବୀମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ସମ୍ବର୍ଦ୍ଧିତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରେ ।
  • ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜନ କରାଯାଇପାରେ ଓଡ଼ିଆ ତର୍କ, ପ୍ରବନ୍ଧ ଓ ତତ୍କାଳ ବକ୍ତୃତା ପ୍ରତିଯୋଗିତା ।
  • ସମ୍ମିଳନୀର ଯଥାର୍ଥ ଆୟୋଜନକୁ ଦୃଷ୍ଟିରେ ରଖି ଓଡ଼ିଆ ଅସ୍ମିତା ରଥ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ବିଭିନ୍ନ ୱାର୍ଡରେ ପରିକ୍ରମା କରାଯାଇପାରେ ।
  • ଓଡ଼ିଆରେ ସାଇନବୋର୍ଡ/ବିଲବୋର୍ଡ/ ହୋର୍ଡିଂଗୁଡ଼ିକ ଲେଖାଯିବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରାଯାଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details