ବରଗଡ଼: କଂସ ଅଟ୍ଟହାସ୍ୟରେ କମ୍ପିଲା ମଥୁରାନଗରୀ । ଆରମ୍ଭ ହୋଇଯାଇଛି ୭୭ ତମ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି । ଗତକାଲି (ଶୁକ୍ରବାର) ବିରାଟ ଶୋଭାଯାତ୍ରା ସହିତ ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଧନୁଯାତ୍ରା କମିଟି ପହଞ୍ଚି ପୂଜାର୍ଚ୍ଚନା କରି ଆଜ୍ଞାମାଳ ନେବା ପରେ କଂସ ଦରବାରରେ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଉଦଘାଟନ ହୋଇଥିଲା । ଧନୁଯାତ୍ରାର ପ୍ରଥମ ଦିନରେ ରାଜକୀୟ ଆଡମ୍ବର ସହ ଦେବକୀ ବାସୁଦେବଙ୍କ ବିବାହ ହୋଇଛି । ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛନ୍ତି ମହାପ୍ରତାପି କଂସ । ଦେବକୀଙ୍କ ଅଷ୍ଟମ ଗର୍ଭ ହେବ କଂସର ମୃତ୍ୟୁର କାରଣ ଦୈବବାଣୀ ହେବା ପରେ କଂସ ବ୍ୟସ୍ତ ବିବ୍ରତ ହୋଇପଡ଼ିଛି । ଦେବକୀ ଓ ବାସୁଦେବଙ୍କୁ ବନ୍ଦୀ କରି କାରାଗାର ରଖିଛି କରିଛି କଂସ । ଆଜି ଦ୍ବିତୀୟ ଦିନରେ ବନ୍ଦୀଶାଳାରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ ।
ଦେବକୀ ଓ ବାସୁଦେବଙ୍କ ବିବାହ:
ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ କୁହାଯାଉଥିବା ବରଗଡ଼ ଧନୁଯାତ୍ରର ପ୍ରଥମ ଦିବସରେ ମଥୁରାର ମହାରାଜ ଉଗ୍ରସେନଙ୍କ ଝିଅ ଦେବକୀର ବିବାହ ପାଇଁ ଏକ ସୁଯୋଗ୍ୟ ବରପାତ୍ର ଭାବେ ବାସୁଦେବଙ୍କ ପ୍ରସ୍ତାବ ପାଇଛନ୍ତି । ଅବିଳମ୍ବେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି ଉଗ୍ରସେନ୍ । ଏହାପେରେ ସ୍ଥାନୀୟ ତଲିପଡ଼ା ସ୍ଥିତ ରାମଜୀ ମନ୍ଦିର ଠାରେ ରାଜକୀୟ ଆଡ଼ମ୍ବର ସହ ଦେବକୀ ଓ ବାସୁଦେବଙ୍କ ବିବାହ ଆୟୋଜିତ କରାଯାଇଛି । ଦେବକୀ ଓ ବସୁଦେବଙ୍କ ବିବାହକୁ ନେଇ ସାରା ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରିଆସିଛନ୍ତି ମହାରାଜ କଂସ । ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇ ଥିବାରୁ କଂସ ଦୁଖଃତ ହୋଇପଡ଼ିଛନ୍ତି ।
କଂସକୁ ଶୁଭିଲା ଦୈବବାଣୀ:
ଏହାପରେ ଭଉଣୀ ଦେବକୀଙ୍କୁ ଶାଶୁଘରେ ଛାଡ଼ିଦେବା ପାଇଁ ଆନନ୍ଦର ସହ ବାହାରି ଥିବା ବେଳେ ଠିକ୍ ଏତିକି ବେଳେ ଶୁଭିଛି ଦୈବବାଣୀ "ରେ.. ରେ.. କଂସ, ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ହେବ ତୋର ମୃତ୍ୟୁର କାରଣ" ଦୈବବାଣୀ ଶୁଣି ଅତ୍ୟନ୍ତ କ୍ରୋଧିତ ହୋଇପଡ଼ିଛନ୍ତି ଯୁବରାଜ କଂସ । କ୍ରୋଧରେ ସେ ଦେବକୀ, ବାସୁଦେବଙ୍କୁ କାରାଗାରରେ ବନ୍ଦୀ କରିଦେଇଥିବା ବେଳେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ମଥୁରା ନଗରୀର ରାଜସିଂହାସନ ଆହୋରଣ କରିଛନ୍ତି ଏବଂ ଉଗ୍ରସେନଙ୍କୁ ରାଜ କଟୁଆଳ କରିଛନ୍ତି । କଂସଙ୍କ ରାଜଭିଷେକ ପରେ ମନ୍ତ୍ରୀ ପରିଷଦ ଉଲ୍ଲସୀତ ହୋଇପଡ଼ିଥିବା ବେଳେ ସମସ୍ତଙ୍କ ମନୋରଞ୍ଜନ ପାଇଁ ନୃତ୍ୟଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଜନ୍ମ ନେବେ ଶ୍ରୀକୃଷ୍ଣ: