ଖୋର୍ଦ୍ଧା:ପାରିବାରିକ କଳହ ହେଲା କାଳ । ଦ୍ୱିତୀୟ ପତ୍ନୀଙ୍କ ଘରୁ ପ୍ରଥମ ପତ୍ନୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ମହିଳାଙ୍କୁ ମାଡ଼ ମାରି ହତ୍ୟା କରିବା ପରେ ଆତ୍ମହତ୍ୟା ଜନିତ ମୃତ୍ୟୁର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ମୃତ ପ୍ରଥମ ପତ୍ନୀଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ ହନ୍ତୁଆଡ଼ ଗାଁରେ । ଖବର ପାଇ ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ବାଣପୁର ଥାନା ଅନ୍ତର୍ଗତ ବଡ଼ ହନ୍ତୁଆଡ ଗାଁର ମୁସଲିମ ସାହିର ହାୱା ବିବି ମୋହିଉଦ୍ଦିନ ମିର୍ଜାଙ୍କୁ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ ବିବାଦ ଲାଗି ରହିଥିଲା । ଫଳରେ ହାୱା ସ୍ୱାମୀଙ୍କ ଘର ଛାଡ଼ି ଭୁବନେଶ୍ବରରେ ରହୁଥିଲେ । ଏହା ମଧ୍ୟରେ ମୋହିଉଦ୍ଦିନ ମହିରୁନ ନାମକ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏହା ପରେ ଗତ କିଛି ଦିନ ହେବ ହାୱା ଓ ମୋହିଉଦ୍ଦିନଙ୍କ ପିଲାମାନେ ପାରିବାରିକ ବିବାଦର ସମାଧାନ କରିବା ସହ ତାଙ୍କୁ ଡାକିଆଣି ବାଣପୁରରେ ରହୁଥିଲେ । ସେହି ଘରେ ମୋହିଉଦ୍ଦିନଙ୍କ ଦ୍ୱିତୀୟ ପତ୍ନୀ ମହିରୁନ ମଧ୍ୟ ରହୁଥିଲେ ।
ଗତକାଲି ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ହାୱାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଖବର ପାଇଥିଲେ ଭୁବନେଶ୍ବରରେ ରହୁଥିବା ତାଙ୍କ ଭାଇ ଆୟୁବ ଖାଁ । ଏହି ଖବର ପାଇ ସେ ମୋହିଦ୍ଦିନଙ୍କ ଘରେ ପହଞ୍ଚି ଘରେ ହାୱାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ହାୱାଙ୍କ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗ କରିଥିଲେ । ଏନେଇ ଆୟୁବ ବାଣପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ।