କଟକ: ପୁଣି ଏକ ରେକର୍ଡର ଅଧିକାରୀ ହୋଇଛି କଟକ ଏସସିବି ମେଡିକାଲ କଲେଜ । ଏସସିବିରେ କିଡନୀ ପ୍ରତିରୋପଣ କରାଯାଇଥିବା ମହିଳା ମାଆ ହୋଇଛନ୍ତି । ଗତକାଲି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ବାଲେଶ୍ଵର ଅଞ୍ଚଳର ଯାଜ୍ଞସିନୀ ଜେନା । ୨୦୧୯ ମସିହାରେ ଏସସିବିର ନେଫ୍ରୋଲୋଜି ବିଭାଗରେ ଯାଜ୍ଞସିନୀଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା ।
ତେବେ ବାଲେଶ୍ଵରର ଯାଜ୍ଞସିନୀ ଜେନା ୨୦୧୭ ମସିହାରେ କିଡନୀ ଜନିତ ରୋଗରେ ପୀଡିତ ହେବା ପରେ ଏସସିବିରେ ଭର୍ତ୍ତି ହୋଇଥଲେ । ଏହାପରେ ଡାଇଲେସିସ ହେବା ପରେ ୨୦୧୯ ମସିହାରେ ତାଙ୍କର ସଫଳ କିଡନୀ ପ୍ରତିରୋପଣ କରାଯାଇଥିଲା । ବିଭାଗୀୟ ମୁଖ୍ୟ ଡ଼ଃ ଅରୁଣା ଆଚାର୍ଯ୍ୟଙ୍କ ଅଧୀନରେ ଗଠନ ହୋଇଥିବା ଏକ ଟିମ ତାଙ୍କର ଅସ୍ତ୍ରୋପଚାର କରାଇବାରେ ସଫଳ କରାଇଥିଲେ । ୨୦୨୧ ମସିହାରେ ବିବାହ କରିବା ପରେ ତାଙ୍କର ଗର୍ଭଧାରଣ କ୍ଷମତା ଆସିଥିଲା ।
ସେପଟେ ପ୍ରସବ ସମୟ ହେବା ପରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଏହାପରେ ଏଣ୍ଡୋକ୍ରାଇନ, କାର୍ଡିଓଲୋଜି, ନେଫ୍ରୋଲୋଜି ଓ ଗାଇନାକଲୋଜି ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତର ଟିମ ଗଠନ କରାଯାଇ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଛି । ମହିଳା ଜଣଙ୍କ ଏକ କନ୍ୟା ସନ୍ତାନ ଜନ୍ମ କରିଛନ୍ତି । ବର୍ତ୍ତମାନ ମାଆ ଓ ଶିଶୁ କନ୍ୟା ଉଭୟ ସୁସ୍ଥ ରହିଥିବା କହିଛନ୍ତି ମେଡିକାଲ ପ୍ରଶାସନିକ ଅଧିକାରୀ ଡ଼ଃ ଅଭିନାଶ ରାଉତ । ଅନ୍ୟପଟେ ମେଡିକାଲରେ ଜାଜ୍ଞସିନୀଙ୍କ ଏପରି ଚିକିତ୍ସାକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ସ୍ୱାମୀ ।