ଭୁବନେଶ୍ବର: ପୂର୍ବ-ତଟୀୟ ରାଜ୍ୟ ଓଡିଶା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯେପରି ପରସ୍ପର ସହଚର । ଦୀର୍ଘ ଉପକୂଳ ଓ ବିସ୍ତିର୍ଣ୍ଣ ବେଳାଭୂମି ଥିବା ଓଡିଶା ପ୍ରତିବର୍ଷ ସାମୁଦ୍ରିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ପ୍ରତିବର୍ଷ ଛୋଟ-ବଡ ଏକାଧିକ ବାତ୍ୟା ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରି ପ୍ରଭୂତ କ୍ଷତି ଘଟାଉଛନ୍ତି । ଧନ-ଜୀବନ କ୍ଷୟକ୍ଷତି ଉଜାଡୁଛି ରାଜସ୍ବ । ପ୍ରଗତିରେ ବାଧକ ସାଜୁଛି ବିପର୍ଯ୍ୟୟ । ତେବେ ଓଡିଶାର ପୂର୍ବରେ ଥିବା ବଙ୍ଗୋପସାଗରର ଅବସ୍ଥିତି ଓ ଉକ୍ତ କ୍ଷେତ୍ରର ଭୌଗଳିକ ସମୀକରଣ ହିଁ ବାରମ୍ବାର ସାମୁଦ୍ରିକ ଝଡ ସୃଷ୍ଟି ହେବା ଓ ପୂର୍ବ-ଉପକୂଳ ମୁହାଁ ହେବାର ମୁଖ୍ୟ କାରଣ । କିନ୍ତୁ ପଶ୍ଚିମ-ଉପକୂଳ ଆରବ ସାଗରରେ ତୂଳନାରେ ବଙ୍ଗୋପସାଗରରେ ଅଧିକ ଓ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବା ପଛରେ ରହିଛି ଏକାଧିକ ଜଟିଳ ଭୌଗଳିକ ସମୀକରଣ । ଆସନ୍ତୁ ଜଳବାୟୁ ବିଶେଷଜ୍ଞଙ୍କଠାରୁ ଜାଣିବା ସେ ସମ୍ପର୍କରେ...
- IIT ବିଶେଷଜ୍ଞଙ୍କ ମତ ଅନୁସାରେ...
ଏସମ୍ପର୍କରେ ଦୁଇ ବରିଷ୍ଠ ଜଳବାୟୁ ବିଶେଷଜ୍ଞ ତଥା ଭୁବନେଶ୍ବର ‘ଆଇଆଇଟି’ର ସହକାରୀ ପ୍ରାଧ୍ୟାପକ ସନ୍ଦୀପ ପଟ୍ଟନାୟକ ଓ ଦେବଦତ୍ତ ସ୍ବାଇଁଙ୍କ ସହ ଆଲୋଚନା କରିଥିଲା ‘ଇଟିଭି ଭାରତ’ ଟିମ୍ । ଏକାଧିକ ଜଟିଳ ଭୌଗଳିକ କାରଣ ସମ୍ପର୍କରେ ଉଭୟ ମତବ୍ୟକ୍ତ କରିଥିଲେ । ସେମାନଙ୍କ କହିବା କଥା ଓଡିଶା ଦେଇ ବାୟୁମଣ୍ଡଳର ଉପରସ୍ତରରେ ଶୁଷ୍କ ଆଉ ଉତ୍ତପ୍ତ ବାୟୁ ଉତ୍ତର-ପଶ୍ଚିମ ଭାରତରୁ ବଙ୍ଗୋପସାଗରକୁ ପ୍ରବେଶ କରୁଛି । ସେହି ସମୟରେ ବହୁମାତ୍ରାରେ ଆଦ୍ରତାପୂର୍ଣ୍ଣ ବାୟୁ ବଙ୍ଗୋପସାଗରରୁ ସ୍ଥଳଭାଗକୁ ମଧ୍ୟ ପ୍ରବେଶ କରୁଛି । ଏହି ଦୁଇ ବାୟୁର ସମିଶ୍ରଣରେ ସୃଷ୍ଟି ହେଉଥିବା ସମୀକରଣରେ ସ୍ଥିତି ବଦଳୁଛି ଓ ଲଘୁଚାପ ସୃଷ୍ଟି ହେଉଛି ।
- ଓଡିଶା ଉପକୂଳର ତାପମାତ୍ରା ବାତ୍ୟା ପାଇଁ ଅନୁକୂଳ କେମିତି !
ସହକାରୀ ପ୍ରଫେସର ଡଃ. ଦେବଦତ୍ତ ସ୍ବାଇଁ କହିଛନ୍ତି, ଦକ୍ଷିଣ-ଚୀନ ସଗାର ଓ ଭିଏତନାମ-ସାଗରୀୟ କ୍ଷେତ୍ରର ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ । ପରେ ଏହା ସ୍ଥଳଭାଗ ମୁହାଁ ହେବାରେ ଲାଗେ । ଉପକୂଳ ଏରିଆରେ ସମୁଦ୍ର ମଧ୍ୟରେ ବାତ୍ୟା ଦୁର୍ବଳ ହେଲେ ଏହା ସ୍ଥଳଭାଗ ଆଡକୁ ଅଗ୍ରସର ହୁଏ । ଯେଉଁ ବାୟୁମଣ୍ଡଳୀୟ କ୍ଷେତ୍ରରେ ଅନୁକୂଳ ପାଣିପାଗ ଶକ୍ତି ଯୋଗାଏ, ବାତ୍ୟା ସେହି ଦିଗରେ ବଢେ । ଓଡିଶାରେ ବିଶାଳ ଚିଲିକା ହ୍ରଦ ଓ ଅନ୍ୟ ନଦୀ ଉପରସ୍ତରରେ ତାପମାତ୍ରା ଅନୁକୂଳ ରହୁଛି । ସ୍ଥଳଭାଗ ବାୟୁମଣ୍ଡଳ ଅପେକ୍ଷା ନଦୀ ଉପର ପୃଷ୍ଠରେ ଅଧିକ ତାପମାତ୍ରା ରହୁଥିବାରୁ ଏହା ବାତ୍ୟାକୁ ସେହିଦିଗରେ ଗତି କରିବା ପାଇଁ ବଳ ଯୋଗାଇଥାଏ । ଯାହା ଉପକୂଳ ଓଡିଶାରେ ଏକାଧିକ ନଦୀର ଉପସ୍ଥିତି କାରଣରୁ ବାତ୍ୟା ସ୍ଥଳ ଭାଗ ମୁହାଁ ହେବାରେ ଏକ ଅନୁକୂଳ ସମୀକରଣ ସୃଷ୍ଟି କରେ ।
- ବାତ୍ୟା ବଡ ହେଲେ ବାଂଲାଦେଶ ଓ ଛୋଟ ହେଲେ ଓଡିଶା ମୁହାଁ
ଅନ୍ୟପଟେ ବାତ୍ୟାଟି ଛୋଟ କିମ୍ବା ମଧ୍ୟମଧରଣର ହୋଇଥିଲେ ଏହା ସମୁଦ୍ର ମଧ୍ୟରେ ଘନୀଭୂତ ହୋଇ ଅଧିକ ସମୟ ରହିପାରନ୍ତି ନାହିଁ କିମ୍ବା ବାରମ୍ବାର ରିକର୍ଭ କରି ଲମ୍ବା ଦୂରତା ଅତିକ୍ରମ କରିପାରେ ନାହିଁ । ଫଳରେ ସେ କେନ୍ଦ୍ରୀୟ ବଙ୍ଗୋପସାଗରରୁ ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗ ଆଡକୁ ଗତିକରିବା ପରିବର୍ତ୍ତେ ନିକଟବର୍ତ୍ତୀ ଓଡିଶା ଉପକୂଳକୁ ବଢେ । ଓଡିଶା ଉପକୂଳରେ ବାତ୍ୟା ଅନୁକୂଳ ତାପମାତ୍ରା ଓ ଅନ୍ୟ ବାୟୁମଣ୍ଡଳୀୟ ସମୀକରଣ ପାଇବା ପାଇବା ଏହା ଲ୍ୟାଣ୍ଡଫଲ କରିଥାଏ ।
ଅନ୍ୟ ଜଣେ ଆଇଆଇଟି ସହକାରୀ ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି, ଅକ୍ଟୋବର ଓ ନଭେମ୍ବର ମାସରେ ବଙ୍ଗୋପସାଗରରେ ଥିବା ବାୟୁମଣ୍ଡଳୀୟ ସ୍ଥିତି ବାତ୍ୟା ସୃଷ୍ଟି ହେବାର ସର୍ବୋତ୍କୃଷ୍ଠ ସ୍ଥିତି ଯୋଗାଏଇଥାଏ । ପ୍ରଶାନ୍ତ ମହାସାଗର ମଧ୍ୟ ବଙ୍ଗୋପସାଗର ସଲଗ୍ନ ରହିଛି । ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ‘ଟାଇଫୁନ’ର ଆଂଶିକ ପ୍ରଭାବ ମଧ୍ୟ ବଙ୍ଗୋପସାଗରର ସ୍ଥିତିରେ ପରିବର୍ତ୍ତନ ଆଣିଥାଏ ।