ନିମାପଡା: ଧଳା ଘୁଷୁରୀ ଚାଷ ଦେଖାଇଛି ରୋଜଗାର ବାଟ । ଚାକିରି ଛାଡ଼ି ଚାଷୀ ସାଜିଲେ ଉଚ୍ଚଶିକ୍ଷିତ ଦମ୍ପତି। ଘୁଷୁରୀ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ବିରତୁଙ୍ଗ ପଞ୍ଚାୟତର କଣ୍ଟି ଗ୍ରାମର ଲିଟନ ବେହେରା ଓ ତାଙ୍କ ପତ୍ନୀ ଝୁନା ବେହେରା । ଏହି ଚାଷ କରି ଖାଲି ନିଜେ ଆତ୍ମନିର୍ଭଶୀଳ ହୋଇପାରିଛନ୍ତି ତାହା ନୁହେଁ ବରଂ ୧୦ ପରିବାରଙ୍କ ସାହାର ସାଜିଛନ୍ତି । କାହା ଅଧୀନରେ ରହି ଚାକିରି କରିବାରେ ଆତ୍ମ ସନ୍ତୋଷ ନ ମିଳିବାରୁ ଶେଷରେ ଗାଁକୁ ଆସି ଧଳା ଘୁଷୁରୀ ଚାଷ କରି ଏବେ ଚର୍ଚ୍ଚାରେ ଏହି ଦମ୍ପତି । ଦିନେ ପେଟ ପାଟଣା ପାଇଁ ପର ଉପରେ ନିର୍ଭର କରୁଥିବା ଦମ୍ପତି ଆଜି ଘୁଷୁରୀ ଚାଷ କରି ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା ।
ନିଜସ୍ବ ଚାଷ ଜମିରେ କରିଥିବା ଏହି ଫାର୍ମରେ ୨ ହଜାରରୁ ଅଧିକ ଘୁଷୁରୀ ଅଛନ୍ତି । ଧଳା ଘୁଷୁରୀ ବିଦେଶୀ ପ୍ରଜାତିର ହୋଇଥିବାରୁ ଲିଟନ ଉତ୍ତମ ଭାବରେ ସେମାନଙ୍କ ଯତ୍ନ ନେଉଛନ୍ତି । ସେମାନଙ୍କ ଉପଯୁକ୍ତ ରହିବା ସ୍ଥାନ, ଦାନା ଓ ଟୀକାକରଣ କରାଉଛନ୍ତି । ଆସାମ, ନାଗାଲାଣ୍ଡ, ମେଘାଳୟ ଆଦି ରାଜ୍ୟରେ ଏହି ଘୁଷୁରୀର ଅଧିକ ଚାହିଦା ହୋଇଥିବା ବେଳେ ସେ ରାଜ୍ୟ ବାହାରେ ଏହାକୁ ବିକ୍ରି କରି ବାର୍ଷିକ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାର ଆଗ୍ରହ ଯୁବକ ଯୁବତୀମାନଙ୍କୁ ଧଳା ଘୁଷୁରୀ ଚାଷ ନିମନ୍ତେ ତାଲିମ ଦେବା ସହିତ ଇଚ୍ଛୁକ ଚାଷୀମାନଙ୍କୁ ବ୍ରିଡ୍ ଯୋଗାଇ ଦେଇଥାନ୍ତି।
ଫାର୍ମରୁ ଖାଲି ବଡ଼ ଘୁଷୁରୀ ନୁହେଁ, ଛୋଟ ଘୁଷୁରୀ ଛୁଆ ମଧ୍ୟ ଜିଲ୍ଲାର ଅନ୍ୟ ଚାଷୀଙ୍କୁ ଯୋଗାଉଛନ୍ତି । ଏମାନଙ୍କୁ ନିର୍ଦ୍ଦିଷ୍ଟ କମ୍ପାନିର ଦାନା ଦିଆଯାଉଛି। ଫଳରେ ଘୁଷୁରୀଗୁଡ଼ିକ ଭଲ ବଢୁଛନ୍ତି । ମାତ୍ର ୬ ମାସ ଭିତରେ ଏହା ବିକ୍ରି ଉପଯୋଗୀ ହୋଇପାରୁଛି। ସେହିପରି ଏନେଇ ସରକାରଙ୍କ ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଦ୍ୱାରା ମଧ୍ୟ ଏହି ଦମ୍ପତି ଉପକୃତ ହୋଇଛନ୍ତି । ଧଳା ଘୁଷୁରୀ ବ୍ୟବସାୟ ପାଇଁ କୈାଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଦମ୍ପତି। ଧଳା ଘୁଷୁରୀ ବର୍ଷକୁ ୨ଥର ଛୁଆ ଦେଇଥିବା ବେଳେ ଗୋଟେ ଘୁଷୁରୀ ୧୦ ରୁ ୧୫ ଟି ଛୁଆ ଦେଇଥାନ୍ତି ।