ବ୍ରହ୍ମପୁର:ଆଜି ଦିନ ତମାମ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷ ଜମିରେ ନଜର ଆସିଥିଲେ ମୋହନ ସରକାରଙ୍କ ବିଭିନ୍ନ ମନ୍ତ୍ରୀ । ନିଜେ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ କ୍ଷେତକୁ ଓହ୍ଲାଇଛନ୍ତି । ଦିନ ତମାମ ପ୍ରଭାବିତ ଚାଷୀଙ୍କୁ ଭେଟି ସରଜମିନ ସ୍ଥିତି ସମୀକ୍ଷା କରିବା ପରେ ସଂଧ୍ୟାରେ ପ୍ରେସମିଟ୍ କରି ବଡ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିବାକୁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
- ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ପାଇଁ ଦାବି କରିବ ରାଜ୍ୟ: ମୁଖ୍ୟମନ୍ତ୍ରୀ
ଗଞ୍ଜାମ ସଦର ମହକୁମା ଛତ୍ରପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସମିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି,‘‘ ଆଜି ସରକାର ନିଜେ ଚାଷ ଜମିକୁ ଆସିଛନ୍ତି । ଓଡ଼ିଶାରେ କୃଷକମାନେ ଯେପରି ଅଧିକରୁ ଅଧିକ ସହାୟତା ପାଇବେ, ସେ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଉଛି । ଏପରିକି ଓଡିଶାରେ ଅଧିକ କୃଷକ ସହାୟତା ମିଳୁଥିବା ବେଳେ ପିଏମ ଓ ସିଏମ କିଷାନ ଯୋଜନାରେ ଅଧିକ ସହାୟତା ମିଳୁଛି । ହେଲେ ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ସ୍ଥାନିତ ହୋଇନି । ରାଜ୍ୟ କେନ୍ଦ୍ର ନିକଟରେ ଏସମ୍ପର୍କରେ ଦାବି କରିବ । ଆଜି ଅନୁଧ୍ୟାନ ପରେ ମନ୍ତ୍ରୀମାନେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ପ୍ରଭାବିତ ଚାଷୀମାନଙ୍କୁ ଖୁବ ଶୀଘ୍ର କ୍ଷତିପୂରଣ ଯୋଗାଇବା ଦିଗରେ ସରକାର କାମ କରୁଛନ୍ତି ।’’
- ବୀମା ସମ୍ପର୍କରେ ଏଭଳି କହିଲେ ମୁଖ୍ୟମନ୍ତ୍ରୀ
ଯେଉଁମାନେ ଇନ୍ସୁରାନ୍ସ କରିଛନ୍ତି କିନ୍ତୁ ଆବେଦନ କରିପାରିନାହାନ୍ତି ସେମାନେ ଆଜି ଶେଷ ଦିନ ରହିଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅନେକ ବ୍ୟକ୍ତିବିଶେଷ ଆବେଦନ କରିପାରିନଥିବା କହୁଥିବାରୁ ଏହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଣୁ ଆସନ୍ତାକାଲି (ସୋମବାର) ସମସ୍ତ ଚାଷୀ ବ୍ଳକ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟ କାର୍ଯ୍ୟାଳୟରେ ଆବେଦନ କରିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଫସଲ କ୍ଷୟକ୍ଷତି ଅନୁଧ୍ୟାନ ସମୟରେ ଅନେକ ଚାଷୀ ସେମାନଙ୍କ ସହାୟତା ଦାବି ପାଇଁ ଆଉ ଗୋଟିଏ ଦିନ ବୃଦ୍ଧି କରାଯିବ ବୋଲି କହିଛନ୍ତି ।
- ଅଦିନିଆ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି -
ଅଦିନିଆ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି ।ବ୍ୟାପକ ଫସଲ ହାନି ହୋଇଥିବା ଚାଷୀ ଅଭିଯୋଗ କରିଥିଲେ। ବାସ୍ତବରେ ଚାଷୀ କେତେ ପ୍ରଭାବିତ ହୋଇଛନ୍ତି ଏବଂ ଫସଲ କେତେ ନଷ୍ଟ ହୋଇଛି, ଏହାର ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ, ଗଜପତି, ନୟାଗଡ ଜିଲ୍ଲା ଗସ୍ତ କରିଥିଲେ. ଚାଷୀଙ୍କ ସହ ଆଲୋଚନା କରିଥିଲେ। ଗତ ୨୦ ତାରିଖରୁ ପର୍ଯ୍ୟାୟକ୍ରମେ ଦୁଇ ଥର ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ କ୍ଷତି ହୋଇଥିବା ଚାଷୀ ମାନେ ଅଭିଯୋଗ ହୋଇଥିଲା। ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସରକାରୀ କର୍ମଚାରୀଙ୍କୁ କ୍ଷେତକୁ ପଠାଯାଇଥିଲା ସରଜମିନ ପାଇଁ । ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ସମୀକ୍ଷା ବୈଠକ କରିବା ସହିତ ଚାଷୀ ମାନେ ହେଉଛନ୍ତି ରାଜ୍ୟର ମେରୁଦଣ୍ଡ. ଚାଷୀଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ପଦକ୍ଷେପ ଗ୍ରହଣ କରୁଛନ୍ତି । ଚାଷୀମାନେ ହେଉଛନ୍ତି ଅନ୍ନଦାତା ।
- ତିନି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି, ନୟାଗଡ ଜିଲ୍ଲାର ମଝିଆ କାଣ୍ଡ, କାଂଦିଗୁଡାରେ 6350 ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗଜପତି ଜିଲ୍ଲାର ଲିଙ୍ଗିପୁର, ଗୁରାଣ୍ଠିରେ ମଧ୍ୟ ଚାଷୀ ପ୍ରଭାବିତ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଅଧିକ ପ୍ରଭାବିତ ହୋଇଛି । ଗଞ୍ଜାମ ଛତ୍ରପୁର, ରଙ୍ଗେଇଲୁଣ୍ଡା ପ୍ରମୁଖ ଅଞ୍ଚଳରେ ଫସଲହାନୀ ହୋଇଛି । ଏନେଇ ଚିତ୍ର ଆକାଶ ମାର୍ଗରୁ ମଧ୍ୟ ସ୍ଥିତି ଦେଖିଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଗଞ୍ଜାମରେ 37871 ହେକ୍ଟର ଧାନ ଚାଷ 822 ହେକ୍ଟର ପରିବା ଚାଷ ନଷ୍ଟ ହୋଇଛି ବୋଲି ଛତ୍ରପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ।
- ଆକଳନ ପରେ ମିଳିବ ସହାୟତା
ବିଭିନ୍ନ ଜିଲ୍ଲାର କ୍ଷୟକ୍ଷତି ଆକଳନ ପରେ ସହାୟତା ରାଶି ପ୍ରଦାନ କରାଯିବ । ଏପରିକି ଯେଉଁମାନେ ରିଲିଫ କୋଡ୍ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି, ଭାଗଚାଷୀଙ୍କୁ ମଧ୍ୟ ସହାୟତା ଦେବା ପାଇଁ ବ୍ୟବସ୍ଥା ସରକାର କରୁଥିବା କୁହାଯାଇଛି ।