ଭୁବନେଶ୍ବର: ଆସନ୍ତା ମେ ମାସ ୨୫ ତାରିଖରେ ରାଜଧାନୀ ଭୁବନେଶ୍ବରରେ ହେବ ମତଦାନ । ତେଣୁ ଭୁବନେଶ୍ବରରେ କ୍ରମାଗତ ହ୍ରାସ ପାଉଥିବା ଭୋଟ ହାର ବଢାଇବା ପାଇଁ ନିର୍ବାଚନ କମିଶନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତଦାନ ସଚେତନତା ବାର୍ତ୍ତାଯୁକ୍ତ ଓମଫେଡ଼ କ୍ଷୀର ପ୍ୟାକେଟର ଉନ୍ମୋଚନ କରିଛନ୍ତି । ଏହି ଓମଫେଡ଼ କ୍ଷୀର ପ୍ୟାକେଟ୍ରେ ଭୋଟର ସଚେତନତା ପାଇଁ ‘ମେ ୨୫, ୨୦୨୪ରେ ମତଦାନ ପାଇଁ ଭୁଲନ୍ତୁ ନାହିଁ ' ବୋଲି ମୁଦ୍ରିତ କରାଯାଇଛି । ଖୋର୍ଦ୍ଧାର ସମସ୍ତ ଓମଫେଡ଼ ବୁଥରେ ଏହି ସଚେତନତା ବାର୍ତ୍ତାଯୁକ୍ତ କ୍ଷୀର ପ୍ୟାକେଟ ବିକ୍ରି ହେବ । ଏହା ଦ୍ବାରା ସମଗ୍ର ଜିଲ୍ଲାରେ ଭୋଟର ସଚେତନତା ସୃଷ୍ଟି ହୋଇପାରିବ ।
ଓମଫେଡ଼ର ଏମଡ଼ି ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ଗଣତନ୍ତ୍ରର ଏହି ମହାପର୍ବରେ ଭୋଟର ସଚେତନତା ସୃଷ୍ଟି ପାଇଁ ଓମଫେଡ଼କୁ ଏକ ସହଭାଗୀ ରୂପେ ସୁଯୋଗ ଦେଇଥିବାରୁ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓମଫେଡ଼ ଦୁଗ୍ଧ ଜାତୀୟ ଦ୍ରବ୍ୟ ଉତ୍ପାଦନ ଓ ଯୋଗାଣ କରି ଜନସାଧାରଣଙ୍କ ସ୍ବାସ୍ଥ୍ୟର ଯତ୍ନ ନେଇ ଆସୁଛି । ଏବେ କ୍ଷୀର ପ୍ୟାକେଟ ମାଧ୍ୟମରେ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ମତଦାନ ସଂକ୍ରାନ୍ତୀୟ ସଚେତନତା ବାର୍ତ୍ତା ସୃଷ୍ଟି କରିବ । ଦେଶର ଗଣତନ୍ତ୍ରର ସ୍ବାସ୍ଥ୍ୟକୁ ପରିପୁଷ୍ଟ କରିବାର ସୁଯୋଗ ଓମଫେଡ଼ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, କ୍ଷୀର ପ୍ୟାକେଟ ମାଧ୍ୟମରେ ଭୋଟର ସଚେତନତା ବାର୍ତ୍ତା ପାଇଁ ଓମଫେଡ଼କୁ ସାଧୁବାଦ । ବିଗତ ନିର୍ବାଚନରେ ଜାତୀୟ ମତଦାନ ହାରଠୁ ଓଡ଼ିଶାର ମତଦାନ ହାର ଅଧିକ ରହିଥିଲା । ମାତ୍ର ଭୁବନେଶ୍ବର ଅନ୍ତର୍ଗତ ତିନି ନିର୍ବାଚନ ମଣ୍ଡଳୀରେ ମତଦାନ ହାର ରାଜ୍ୟ ମତଦାନ ହାରଠୁ କମ ରହିବା ସହିତ ୫୦ ପ୍ରତିଶତରୁ କମ ରହିଥିଲା । ଏହାକୁ ପ୍ରତିହତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।