କେନ୍ଦୁଝର:ସରକାରୀ ଯୋଜନାରୁ ବଞ୍ଚିତ ନିପୋ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ । ଆଦିମ ଜନଜାତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ଲକ୍ଷ୍ୟରେ ସରକାରୀ ସ୍ତରରେ ସେମାନଙ୍କ ପାଇଁ ଅନେକ କରାଯାଉଥିବା କୁହାଯାଉଥିବା ବେଳେ ଏବେବି ଏଭଳି ଅନେକ ଗାଁ ରହିଛି ଯେଉଁଠି ଲୋକମାନଙ୍କ ପାଖରେ ରାସ୍ତାଘାଟ, ପାନୀୟ ଜଳ ଭଳି ସୁବିଧା ପହଞ୍ଚି ପାରୁନାହିଁ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ କୁଆଁର ପଞ୍ଚାୟତ ନିପୋ ଗ୍ରାମରେ ସରକାରଙ୍କ ଯୋଜନା ଅପହଞ୍ଚ ଥିବାବେଳେ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଓ୍ବାର୍ଡ ସଭ୍ୟା ଚିଲ ସନଙ୍ଗୀଙ୍କ ନେତୃତ୍ବରେ ଗ୍ରାମର ମହିଳା ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଗ୍ରାମବାସୀମାନେ ଭୋଟ ଦେବେ ନାହିଁ ବୋଲି କହିଛନ୍ତି ।
ଜାତୀୟ ରାଜପଥ ୪୯ ଠାରୁ ମାତ୍ର ୨୦୦ମିଟର ଦୂରରେ ଅବସ୍ଥିତ ନିପୋ ଗ୍ରାମରେ ୧୦୨ ପରିବାର ବସବାସ କରୁଥିବା ବେଳେ ଏହି ଗ୍ରାମବାସୀଙ୍କ ପାଇଁ ପାନୀୟଜଳ, ବିଦ୍ୟୁତ୍ ଓ ଯାତାୟାତ ଯୋଗ୍ୟ ରାସ୍ତାଟିଏ ମଧ୍ୟ ନିର୍ମାଣ ହୋଇପାରିଲା ନାହିଁ । ଗ୍ରାମରେ ଯଦିଓ ୭ଟି ନଳକୂପ ରହିଛି ସେଥୁରୁ ୪ଟି ଅଚଳ ଥିବାବେଳେ ୨ଟି ନଳକୂପର ପାଣି ବ୍ୟବହାର ଯୋଗ୍ୟ ହୋଇ ନଥିବାରୁ ବର୍ଷତମାମ ଗ୍ରାମବାସୀ ପାନୀୟଜଳ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ବୋଲି ୱାର୍ଡ ସଭ୍ୟା ଚିଲ ସନଙ୍ଗୀ କହିଛନ୍ତି ।