ନିଆଳି:'ପାଣି ନାହିଁ ତ ଭୋଟ ନାହିଁ' । ଭୋଟ ବର୍ଜନ ଚେତାବନୀ ସହ ଗରା, ବାଲଟି ଧରି ମହିଳାଙ୍କ ପ୍ରତିବାଦ । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଉତ୍ତାରଣ ପଞ୍ଚାୟତ ଅଲିଙ୍ଗି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପାଇପ ଲାଇନ୍ ବିଛାଯାଇଛି, ଓଭରହେଡ ଟାଙ୍କି ବି ନିର୍ମାଣ ହୋଇଛି କିନ୍ତୁ ପାଣି ମିଳୁନଥିବା ନେଇ ଅଭିଯୋଗ କରିଛନ୍ତି ଅଲିଙ୍ଗି ଗ୍ରାମବାସୀ ।
ସୂଚନା ଅନୁସାରେ, ୨୦୨୧ ଏବଂ ୨୦୨୨ ଆର୍ଥିକ ବର୍ଷରେ କଟକ ଜିଲ୍ଲା କଣ୍ଟାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ ଖଣ୍ତ କଟକ ପକ୍ଷରୁ ଅଲିଙ୍ଗି ଗ୍ରାମରେ ୯୦ ଲକ୍ଷ ୮୩ ହଜାର ଟଙ୍କାରେ ଓଭରହେଡ ଟାଙ୍କି ନିର୍ମାଣ ସହ ପାଇପ ଲାଇନ୍ ବିଛା ହୋଇଥିଲା । ଏଥିସହ ଘର ସମ୍ମୁଖରେ ଟ୍ୟାପ ବସିଥିଲା । ହେଲେ ସେଥିରେ ପାଣି ଆସୁନି । ରାଜ୍ୟ ସରକାରଙ୍କ ଦ୍ଵାରା ଅନେକ ଯୋଜନାମାନ ପ୍ରସ୍ତୁତ କରାଯାଉଥିବା ବେଳେ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ବସୁଧା ପାନୀୟ ଜଳ ଯୋଜନା କରାଯାଇଛି । ହେଲେ ଅଲିଙ୍ଗି ଗ୍ରାମରେ ବସୁଧା ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ଲୋକେ ପାଣି ପାଇ ପାରୁନଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକେ ସୂଚନା ଫଳକରେ ଦିଆଯାଇଥିବା ମୋବାଇଲ ନମ୍ବରରେ ଯୋଗାଯୋଗ କରି ପାଣି ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ଅସହ୍ୟ ଖରାରେ ଦାଉ ସାଧୁଛି ଜଳସଙ୍କଟ, ଶୁଖି ଗଲାଣି ନାଳ ଗାଡିଆ