ବୌଦ୍ଧ:ସେମାନଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ । ନା ଭଲ ଘରଖଣ୍ଡେ ଅଛି ନା ଭଲରେ ଖାଇବାକୁ ପାଉଛନ୍ତି । ସେମାନଙ୍କୁ ଦେଖିଲେ ଲାଗୁଛି ଯେମିତି ସରକାରଙ୍କ ବିକାଶର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛନ୍ତି । ଭାଗ୍ୟକୁ ଆଦରି ଜରି ପାଲ ଟଣା ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଆଉ କେହି କେହି ଭିଟାମାଟି ଛାଡି ଚାଲିଯାଉଛନ୍ତି । ଅବଶ୍ୟ ନିର୍ବାଚନ ଆସିଲେ ସେମାନଙ୍କ କଥା ସମସ୍ତଙ୍କର ମନେପଡ଼େ ଓ ପ୍ରତିଶୃତି ମିଳେ । କିନ୍ତୁ ନିର୍ବାଚନ ସରିଗଲେ ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ସୀମିତ ହୋଇ ରହିଯାଏ । ଯଦି ସେମାନଙ୍କ ମୌଳିକ ସୁବିଧା ପୂରଣ ନହୁଏ ତେବେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଶୁଣାଇ ଦେଇଛନ୍ତି ଗ୍ରାମବାସୀ ।
ଜିଲ୍ଲା ସଦର ବ୍ଲକର ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଘିଙ୍ଗିରାସାହି ଗାଁ । ସାଲୁଙ୍କୀ ନଦୀ ଓ ମହାନଦୀର ସଙ୍ଗମ ସ୍ଥଳରେ ତଥା ଠିକ ମୁହାଣ ନିକଟରେ ରହିଛି ଏହି ଗାଁ । କୈାଣସି ଉପାନ୍ତ କିମ୍ବା ଦୁର୍ଗମ ଅଞ୍ଚଳରେ ନୁହେଁ, ବରଂ ଖାସ ଜିଲ୍ଲା ସଦରମହକୁମାଠାରୁ ମାତ୍ର 7 କିଲୋମିଟର ଦୂରରେ ଅବସ୍ଥିତ ଘିଙ୍ଗିରାସାହି ଗାଁ । ସଦର ମହକୁମାଠାରୁ ସିନା ଗାଁଟୁି ପାଖରେ ଅଛି ହେଲେ ଗାଁର ଅବସ୍ଥା କହିଲେ ନସରେ । ଦୀପତଳ ଅନ୍ଧାର ଉକ୍ତି ଭଳି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି ଏହି ଗ୍ରାମବାସୀ ।
ଘିଙ୍ଗିରାସାହି ଗାଁରେ ଘିଙ୍ଗିରା ସଂପ୍ରଦାୟର ଅଧିବାସୀ ଶହ ଶହ ବର୍ଷ ଧରି ବସବାସ କରିବା ସହିତ ସେମାନଙ୍କ ପାରମ୍ପରିକ ବୃତ୍ତି ନଦୀରୁ ମାଛ ଧରିବା ଓ ସାରୁ ଚାଷ କାର୍ଯ୍ୟ କରି ଜୀବିକା ନିର୍ବାହ କରିଆସୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଜିଲ୍ଲା ସଦରମହକୁମାଠାରୁ ଅଳ୍ପ ଦୂରରେ ଥିବା ଏହି ଗାଁଟି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ଗାଁକୁ ସଂଯୋଗ କରୁଥିବା ରାସ୍ତାଟି ସାଲୁଙ୍କୀ ନଦୀ କୁଳରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ବର୍ଷା ଦିନେ ଗାଁର ଚତୁର୍ପାଶ୍ବକୁ ବନ୍ୟା ଜଳ ଘେରି ରହୁଛି । ଏଠାରେ ଅଧିକାଂଶ ପରିବାର ଆବାସ ଯୋଜନାରୁ ବଞ୍ଚିତ ଥିବା ବେଳେ ଅନେକ ପରିବାର ବିଦ୍ୟୁତ ସେବାରୁ ମଧ୍ୟ ବଞ୍ଚିତ ରହିଛନ୍ତି ।