ଢେଙ୍କାନାଳ:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ବାସଭବନରେ ଭିଜିଲାନ୍ସ ଚାଢ଼ାଉ କରିଛି । ରାଜ୍ୟ ଭିଜିଲାନ୍ସ ସେଲ୍ ପକ୍ଷରୁ ଏକକାଳୀନ ୧୦ଟିମ୍ ଆଜି ସକାଳୁ ନାରାୟଣଙ୍କ ଅଫିସ, ସରକାରୀ ବାସଭବନ ସମେତ ଏକାଧିକ ସ୍ଥାନରେ ଚାଢ଼ାଉ କରି ସର୍ଚ୍ଚ ଜାରି ରଖିଛି । କାମାକ୍ଷାନଗରରେ ଥିବା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ପୈତୃକ ଘର, ରାଜଧାନୀ ଭୁବନେଶ୍ୱର ଥିବା ଘର ଓ କିଛି ନିକଟ ସମ୍ପର୍କୀୟଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚାଢ଼ାଉ କରି ତଲାସି ଜାରି ରଖିଛି ।
ସକାଳୁ ସକାଳୁ ଭିଡିଲାନ୍ସର ଏକ ବଡ ଟିମ କାମାକ୍ଷାନଗରରେ ପହଞ୍ଚିଥିଲେ । ସେମାନେ ପ୍ରଥମେ ଉପ-ଜିଲ୍ଲାପାଳଙ୍କ ଅଫିସ ଓ ତାଙ୍କ ସରକାରୀ ବାସଭବନରେ ପହଞ୍ଚି ତଲାସି ଆରମ୍ଭ କରିଥିଲେ । ଏହି ଚଢ଼ାଉରେ ୭ ଜଣ ଡ଼ିଏସପି, ୩ ଜଣ ଇନିସପେକ୍ଟର, ୮ ଜଣ ଏଏସଆଇଙ୍କ ସମେତ ପ୍ରାୟ ୫୦ଜଣ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ସାମିଲ ରହିଛନ୍ତି । ନାରାୟଣ ନାୟକଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ନିଜସ୍ୱ ବାସଭାବନରୁ ଠାବ କରିବା ପରେ ଭିଜିଲାନ୍ସ ଟିମ୍ ଅଟକ କରିଛି । ନାରାୟଣ ଭୁବନେଶ୍ବରରେ ଥିବାରୁ ତାଙ୍କ ଅନୁପସ୍ଥିତିରେ କାମାକ୍ଷାନଗର ସରକାରୀ ବାସଭବନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗିଥିଲା ଭିଜିଲାନ୍ସ ଟିମ୍ ।