ଭୁବନେଶ୍ବର: ଚାଷୀଙ୍କ ପାଖକୁ ଫେରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗ୍ରହଣ ହୋଇଥିବା ଜମି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦିନେ ଦୁଇଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ । ରେକର୍ଡ ପରିବର୍ତ୍ତନ ସହ ଲୋକଙ୍କୁ ଫେରାଯିବ ଜମି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ୨୦୦୬ ମସିହାରେ ବେଦାନ୍ତ ଫାଉଣ୍ଡେସନ ସାଙ୍ଗରେ ଚୁକ୍ତିନାମା କରିଥିଲେ ବିଗତ ରାଜ୍ୟ ସରକାର ।
'ବିଗତ ସରକାର ବେଦାନ୍ତ ସହ ଏମ୍ଓୟୁ କରିଥିଲେ':
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଓଡିଶାରେ ବିଗତ ସରକାର ୨୦୦୬ ମସିହା ଜୁଲାଇ ୧୯ ତାରିଖରେ ବେଦାନ୍ତ ଫାଉଣ୍ଡେସନ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ । ପୁରୀରେ ବେଦାନ୍ତ ଦ୍ୱାରା ଏକ ବିଶ୍ୱସ୍ତରୀୟ ବହୁମୁଖୀ ଆଧୁନିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଚୁକ୍ତି ହୋଇଥିଲା । ବିଶ୍ୱବିଦ୍ୟାଳୟର ନାଁ ଓ କେଉଁ ନାଁ'ରେ ଜମି ଅଧିଗ୍ରହଣ ହେବା ନେଇ ୩ ଥର ବଦଳିଥିଲା । ବେଦାନ୍ତ ବିଶ୍ୱବିଦ୍ୟାଳୟ ଲାଗି ତତ୍କାଳୀନ ସରକାର ୨୨ଟି ଗାଁ'ର ଜମି ଅଧିଗ୍ରହଣ ସହ ସରକାରୀ ଜମି ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ । ୪୧୭୮.୮୪ ଏକର ଘରୋଇ ଜମିରେ ବିଶ୍ୱବିଦ୍ୟାଳୟ ପାଇଁ ନିଷ୍ପତ୍ତି ହେଲା । ଏଥିରୁ ୩୩୪୨.୫୩ ଏକର ଘରୋଇ ଜମିର ଦଖଲ କମ୍ପାନୀକୁ ଦିଆଯାଇଥିଲା । ସେହିପରି ୬୯୨.୦୨ ଏକର ସରକାରୀ ଜମି ଲିଜ ଲାଗି ଆବେଦନ ହୋଇଥିଲା । ସେଥିରୁ ୫୦୯.୨୭ ଏକର ଜମି ତତ୍କାଳୀନ ସରକାରଙ୍କ ଦ୍ଵାରା ଅନୁମୋଦନ ହୋଇଥିଲା । ୪୯୪.୯୮ ଏକର ଜମି ପୋଜେସନ ଦିଆଯାଇଥିଲା । ଲିଜ ଡିଡ଼ ୫୭.୨୧ ଏକ ସ୍ବାକ୍ଷର ହୋଇଥିଲା ।"
୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ:
ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବାସଚ୍ୟୁତ ହୋଇଥିବା ଲୋକଙ୍କ ମଧ୍ୟରୁ ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବାରମ୍ବାର ନାଁ ପରିବର୍ତ୍ତନ ଓ କମ୍ପାନୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ହାଇକୋର୍ଟରେ ପ୍ରଶ୍ନବାଚୀ ଉଠିଥିଲା । ସାମଗ୍ରିକ ଭାବେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ । ଏଭଳି ଅଧିଗ୍ରହଣ ପ୍ରକ୍ରିୟାକୁ ହାଇକୋର୍ଟ ନାପସନ୍ଦ କରିଥିଲେ । ଭିନ୍ନଭିନ୍ନ ରିଟ-ପିଟିସନର ହାଇକୋର୍ଟ ଶୁଣାଣି କରିଥିଲେ । ଜମି ଅଧିଗ୍ରହଣର ଅବ୍ୟବସ୍ଥାକୁ ନେଇ ୨୦୦୯ରେ ହାଇକୋର୍ଟ ପ୍ରଥମ ଆଦେଶ ଦେଇଥିଲେ । ଜମି ଅଧିଗ୍ରହଣର ସମସ୍ତ ପ୍ରକ୍ରିୟାକୁ ହାଇକୋର୍ଟ ଖାରଜ କରିଥିଲେ । ବିଜେଡି ସରକାରର ଏହି ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଓ ଅପରିପକ୍ଵତାକୁ ଯୋଗୁଁ ହୋଇଥିଲା ।"
ଆରମ୍ଭ ଜମି ଫେରାଇବା ପ୍ରକ୍ରିୟା:
ସେ ଆହୁରି ମଧ୍ୟ କହିଛନ୍ତି, "୨୦୨୩ ମସିହାରେ ହାଇକୋର୍ଟ ଏ ସମସ୍ତ ପ୍ରକ୍ରିୟାକୁ ଖାରଜ କରିଥିଲେ । ସମସ୍ତଙ୍କ ଜମି ଫେରସ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଲିଜ ଆକାରରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ଯାଇଥିବା ସରକାରୀ ଜମି ମଧ୍ୟ ସରକାର ଫେରସ୍ତ ନେବେ । କ୍ଷତିପୂରଣ ଗ୍ରହଣ କରିଥିବା ଲୋକ ଟଙ୍କା ଫେରାଇବେ । ପରିବର୍ତ୍ତିତ ହୋଇଥିବା ଜମି ପଟ୍ଟା ସତ୍ତ୍ୱ ହିତାଧିକାରୀ ଫେରି ପାଇବେ । ଜମି ଦଖଲ ମଧ୍ୟ ଫେରି ପାଇବେ । ସମସ୍ତ ରେକର୍ଡ ରାଜସ୍ୱ ବିଭାଗ ସଂଶୋଧନ କରିବ । ଏହା ବିରୋଧରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି । ଅନୀଲ ଅଗ୍ରୱାଲ ଫାଉଣ୍ଡେସନର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ତେଣୁ ଲୋକଙ୍କୁ ଜମି ଫେରାଇବା ପ୍ରକ୍ରିୟା ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟାକୁ ଦୁଇ ଦିନ ମଧ୍ୟରେ ଶେଷ ହେବ । ଏହା ପରେ ଲୋକଙ୍କୁ ଜମି ଫେରାଇବା ପ୍ରକ୍ରିୟା ମଧ୍ୟ ପୁରୀରେ ଆରମ୍ଭ ହେବ ।"