ବ୍ରହ୍ମପୁର:'ବନ୍ଦେ ଭାରତ ଏକ୍ସପ୍ରେସ' ହେଉଛି ଏକ ଅତ୍ୟାଧୁନିକ ଏକ୍ସପ୍ରେସ ଟ୍ରେନ । ଯେଉଁଥିରେ ଯାତ୍ରୀଙ୍କୁ ମିଳୁଛି ସମସ୍ତ ଆଧୁନିକ ସୁବିଧା । ନୂଆ ଟେକ୍ନୋଲୋଜି ସହ ଯାତ୍ରୀଙ୍କ ପାଇଁ ଉନ୍ନତମାନର ବ୍ୟବସ୍ଥା କରାଯାଇଛି । ଏହାସହ ସମସ୍ତଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି । ସେପ୍ଟେମ୍ବର ୧୫ (ରବିବାର) ରାଜ୍ୟକୁ ମିଳିଛି ଆଉ ୩ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନରେ ଯାତ୍ରା କଲେ, କେଉଁ ସବୁ ଅତ୍ୟାଧୁନିକ ସୁବିଧା ମିଳିବ, ଆସନ୍ତୁ ଜାଣିବା ।
ବନ୍ଦେ ଭାରତ ଟ୍ରେନ ସ୍ପିଡ୍ :
ରେଳ ବିଭାଗର ଏହା ଏକ ସେମି ହାଇସ୍ପିଡ୍ ଟ୍ରେନ । ଏହା ଖୁବ ଦ୍ରୁତ ଗତିରେ ଯାତ୍ରା କରିବାରେ ଏହାର କ୍ଷମତା ରହିଛି । ସମସ୍ତ ବଗି ଶୀତତାପ ନିୟନ୍ତ୍ରିତ ରହିଥିବାବେଳେ ଏହା ସମୟାନୁବର୍ତ୍ତିତା ଅନୁସରଣ କରି ଗୋଟିଏ ଷ୍ଟେସନରୁ ଅନ୍ୟ ଷ୍ଟେସନରେ ପହଞ୍ଚିଥାଏ । ଭାରତୀୟ ରେଳ ବ୍ୟବସ୍ଥାରେ ଆଧୁନିକୀକରଣ ନୂଆ ଅଧ୍ୟାୟ ଆରମ୍ଭ କରିଛି ବନ୍ଦେ ଭାରତ । ବନ୍ଦେ ଭାରତର ଘଣ୍ଟା ପ୍ରତି ୧୩୦ କିଲୋମିଟର ଗଡ଼ିବାର କ୍ଷମତା ରହିଛି । ରେଳ ବିଭାଗ ପକ୍ଷରୁ ଦିଆଯାଇଥିବା ଗାଇଡଲାଇନକୁ ଅନୁପାଳନ ଦ୍ବାରା ଗତିକୁ ବୃଦ୍ଧି ଏବଂ କମ କରାଯାଇଥାଏ ।
- ବନ୍ଦେ ଭାରତ ଏକ ସେମି ହାଇସ୍ପିଡ ଟ୍ରେନ
- ଖୁବ ଦ୍ରୁତ ଗତିରେ ଯାତ୍ରା କରିବାର କ୍ଷମତା ଏହାର ରହିଛି
- ସବୁ ବଗି (କୋଚ୍) ଶୀତତାପ ନିୟନ୍ତ୍ରିତ
- ଘଣ୍ଟା ପ୍ରତି ବେଗ ୧୩୦ କିଲୋମିଟର
- ଗାଇଡଲାଇନ ଅନୁସାରେ ବେଗ (Speed) କମ୍ କିମ୍ବା ବୃଦ୍ଧି କରାଯାଇ ପାରିବ
ବନ୍ଦେ ଭାରତରେ କେଉଁ ସବୁ ସୁବିଧା ରହିଛି:
ସେପ୍ଟେମ୍ବର ୧୫ରେ ବ୍ରହ୍ମପୁରରୁ ଟାଟାନଗର ଗଡିଲା ବନ୍ଦେ ଭାରତ ଟ୍ରେନ । ଏଥିରେ ମୋଟ ୮ଟି ବଗି ରହିଥିବାବେଳେ ରେଳଯାତ୍ରୀଙ୍କ ପାଇଁ ଚେୟାର କାର ରହିଛି । ସେଥିରୁ ଗୋଟିଏ ଏକ୍ସକ୍ୟୁଟିଭ କୋଚ୍ ରହିଥିବାବେଳେ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିବା ବ୍ୟକ୍ତି ଏହି ଚେୟାର କାରରେ ଅତ୍ୟନ୍ତ ଆରାମ ଦାୟକ ଭାବରେ ବସିପାରିବ । ନିଜର ଚେୟାର କାର ପାଖରେ ହିଁ ବସି କୌଣସି ଜିନିଷ ରଖିବା ହେଉ ବା ଖାଦ୍ୟ ଖାଇପାରିବା ଭଳି ଏକ ଛୋଟିଆ ଡେସ୍କ ସେଥିରେ ସଂଲଗ୍ନ ହୋଇ ରହିଛି । ଯାତ୍ରୀଙ୍କ ସାଥିରେ ରହିଥିବା ଲଗେଜ ରଖିବା ପାଇଁ ମଧ୍ୟ ଟ୍ରେନ ପରିସରରେ ସୁବିଧା ରହିଥିବା ବେଳେ ୩:୨ ଅନୁପାତରେ ଟ୍ରେନ ବଗିରେ ଚେୟାର ରହିଛି । ଯାତ୍ରା ସମୟରେ ଯେପରି କୌଣସି ଅସୁବିଧା ହେବ ନାହିଁ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
- ବ୍ରହ୍ମପୁରରୁ ଟାଟାନଗରକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ
- ଏଥିରେ ମୋଟ ୮ଟି ବଗି, ରେଳଯାତ୍ରୀଙ୍କ ପାଇଁ ଚେୟାର କାର୍
- ଏଥିରେ ଗୋଟିଏ ଏକ୍ସକ୍ୟୁଟିଭ କୋଚ୍ ରହିଛି
- ଚେୟାର କାରରେ ଖାଦ୍ୟ ଖାଇବା ପାଇଁ ଡେସ୍କ ବ୍ୟବସ୍ଥା
- ଲଗେଜ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
- ୩:୨ ଅନୁପାତରେ ଟ୍ରେନ ବଗିରେ ଚେୟାର