ବାଲେଶ୍ବର:କାଳିଆର ଦର୍ଶନ ପାଇଁ ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ଆସୁଥିଲେ । କିନ୍ତୁ ଜଗା ଦୁଆରରେ ପହଞ୍ଚିବା ପୂର୍ବରୁ ଅଧାବାଟରେ ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ଅଧା ରହିଗଲା ଜଗା ଦର୍ଶନ, ଭାରସାମ୍ୟ ହରାଇ ବସ୍ ଓଲଟିବାରୁ 4 ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । 13 ଜଣ ଗୁରୁତରଙ୍କ ସମେତ ପ୍ରାୟ 30 ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଆହତଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
- ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍:
ମିଳିଥିବା ସୂଚନା ଅନୁଯାୟୀ, ଗତ 18 ତାରିଖରୁ ଉତ୍ତର ପ୍ରଦେଶରୁ ‘କ୍ରିଷ୍ଣା’ ନାମକ ଏକ ଘରୋଇ ବସ 61ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବାହାରି ଥିଲା । ଗତକାଲି ରାତିରେ ବସଟି କୋଲକାତାରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଜଳେଶ୍ବର 60 ନମ୍ବର ଜାତୀୟ ରାଜପଥର ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତର 20 ଫୁଟ ତଳକୁ ଓଲଟି ପଡିଥିଲା । ଏନେଇ ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ, ଜଳେଶ୍ବର ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣା ପରେ ବସର ଡ୍ରାଇଭର ଏବଂ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଜଳେଶ୍ବର ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି ।
- ହସ୍ପିଟାଲରେ ଆହତଙ୍କୁ ଭେଟିଲେ ଅତିରିକ୍ତ ଜିଲ୍ଲାପାଳ:
ଅନ୍ୟପଟେ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ପହଞ୍ଚି ଚିକିତ୍ସା ବନ୍ଦୋବସ୍ତ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଏ ବିଷୟରେ ଅଧିକ ସୂଚନା ଦେଇ କହିଛନ୍ତି ଯେ,"ଜଳେଶ୍ବରରେ ବସ ଦୁର୍ଘଟଣା ଘଟିଛି । ଉତ୍ତର ପ୍ରଦେଶରୁ କ୍ରୀଷ୍ଣା ନାମକ ଏକ ବସ 61 ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ ଓଲଟି ପଡିଥିଲା । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ 4 ଜଣଙ୍କ ମୃତ୍ୟୁ ହୋଇଛି । ତିନିଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ବାଲେଶ୍ୱର ମେଡିକାଲ ଆଣିବା ବାଟରେ ମୃତ୍ୟୁ ହୋଇଛି । ତାଙ୍କୁ ପୁଣି ଜଳେଶ୍ୱରକୁ ଫେରାଇ ନିଆଯାଇଛି । ଏଠାରେ 13 ଜଣ ଆହତଙ୍କୁ ଆମେ ରିସିଭ କରିଛୁ । ସେମାନଙ୍କ ଭିତରୁ ଦୁଇଜଣ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । 11ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଦୁଇଜଣଙ୍କୁ ଦରକାର ପଡିଲେ ଆମେ କଟକ ରେଫର କରିପାରୁ। ତାହା ନିଷ୍ପତ୍ତି ନିଯାଇନାହିଁ, ରିପୋର୍ଟ ଆସିଲା ପରେ ଯାହା ପଦକ୍ଷେପ ନେବୁ। ''