ଭୁବନେଶ୍ବର:ସପ୍ତାହକ ପରେ ଆୟୋଜିତ ହେବାକୁ ଯାଉଛି ‘ଉତ୍କର୍ଷ ଓଡ଼ିଶା’ । ଚଳିତମାସ 28 ଓ 29 ତାରିଖରେ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ସାମିଲ ହେବେ 50 ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି । ସେହିପରି ଓଡ଼ିଶା ଆସିବେ 5ଶହ ବିଦେଶୀ ପୁଞ୍ଜି ନିବେଶକ । 12 ଦେଶ କଣ୍ଟ୍ରି ଇନ୍ ଫୋକସରେ ରହିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ।
- ଭାଗ ନେବେ 50 ହଜାର ନିବେଶକ:
‘ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା-2025’ କନକ୍ଲେଭରେ ଯୋଗ ଦେବେ ଦେଶର ଶହେ ଫର୍ଚ୍ୟୁନ ଓ 500 କମ୍ପାନୀ । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମାକହିଛନ୍ତି, "ଆସନ୍ତା ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡି଼ଶା -2025 ସମାବେଶରେ 5 ଶହ ବିଦେଶୀ ପୁଞ୍ଜି ନିବେଶକଙ୍କ ସହ 50 ହଜାର ନିବେଶକ ଭାଗ ନେବେ । ଭାରତୀୟ ଶିଳ୍ପସଂଘ 'ଉତ୍କର୍ଷ ଓଡ଼ିଶା'ର ଏଥର ଜାତୀୟ ଶିଳ୍ପ ସହଯୋଗୀ ରହିଛନ୍ତି । 12 ରାଷ୍ଟ୍ର କଣ୍ଟ୍ରି ଇନ୍ ଫୋକସରେ ରହିବେ । ବିଜେପି ସରକାର ଆସିବା ପରଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ 1 ଲକ୍ଷ 80 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିସାରିଛି । ଏସବୁ ପ୍ରକଳ୍ପ ବାସ୍ତବ ରୂପ ନେବା ପରେ 1 ଲକ୍ଷ 10 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।
- ଯୋଗଦେବେ 5000 ଶିଳ୍ପ ପ୍ରତିନିଧି :
ସେହିପରି ସଚିବ ହେମନ୍ତ ଆହୁରି ମଧ୍ୟ କହିଛନ୍ତି, "ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସମ୍ବର୍ଦ୍ଧିତ ହେବେ ରାଜ୍ୟର '60 ଅଣ୍ଡର 40' MSME ଉଦ୍ୟୋଗୀ । 29 ତାରିଖ ଉଦଯାପନୀ ଉତ୍ସବରେ ପ୍ରତି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ଚଳିତଥର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରୋସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ କ୍ଷେତ୍ର ଭାବେ ଚୟନ କରାଯାଇଛି । ସେହିପରି ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି 12ଟି ରାଷ୍ଟ୍ର 'କଣ୍ଟ୍ରି ଅଫ୍ ଫୋକସ' ରହିବାକୁ ନିମନ୍ତ୍ରଣ କରାଯାଇଛି । 27 ତାରିଖରେ ପ୍ରାକ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଅଂଶସ୍ୱରୂପ ଆୟୋଜନ ହେବ CII ନ୍ୟାସନାଲ କାଉନସିଲର 5 ଅଧିବେଶନ । ଯେଉଁଥିରେ ଯୋଗ ଦେବେ CII ନ୍ୟାସନାଲ କାଉନସିଲର 200 ସଦସ୍ୟ । ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଦେଶ ତଥା ବିଦେଶର 5000 ଶିଳ୍ପ ପ୍ରତିନିଧି ଯୋଗଦେବେ।