ଭୁବନେଶ୍ବର: ଚଳିତ ବର୍ଷ ଉତ୍କଳ ଦିବସକୁ ରାଜ୍ୟ, ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ଏହି ଦିବସ ପାଳନ ହେବ । ଏଥି ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଭିସି ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।
ତେବେ ଚଳିତ ବର୍ଷ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ମୁତାବକ ଉତ୍କଳ ଦିବସ ପାଳନର ରୂପରେଖ ସମ୍ପର୍କରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ପ୍ରାରମ୍ଭିକ ସୂଚନା ଦେଇଛନ୍ତି । ପ୍ରମୁଖ ଶାସନ ସଚିବ ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଉତ୍କଳ ଦିବସକୁ ସଠିକ ମର୍ଯ୍ୟାଦାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଦିବସ ପାଳନ ଅବସରରେ ଜିଲ୍ଲାରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ରେକର୍ଡ ମାଧ୍ୟମରେ କେବଳ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯିବ । ସକାଳ ସମୟରେ ପ୍ରଭାତ ଫେରି ଅନୁଷ୍ଠିତ ହେବ ।
ସେହିପରି ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ, ଶିକ୍ଷାବିତ, ବୁଦ୍ଧିଜୀବୀ ଆଦିଙ୍କୁ ସାମିଲ କରି ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ବରପୁତ୍ରମାନଙ୍କର ଅବଦାନ ସମ୍ପର୍କରେ ଏକ ସାଧାରଣ ସଭା ଆୟୋଜନ ହେବ । ସଭା ଆରମ୍ଭରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯିବ । ଏହି ସଭାକୁ ୧୮ ବର୍ଷରୁ କମ ବୟସ ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରଣ କରାଯିବ । ଏହା ବ୍ୟତୀତ ବରପୁତ୍ରଙ୍କ ରଚନାରୁ ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହେବ । ଜିଲ୍ଲା ଓ ଉପଖଣ୍ଡର ପ୍ରମୁଖ ସରକାରୀ କୋଠାବାଡ଼ି ଗୁଡ଼ିକର ଆଲୋକସଜ୍ଜା କରାଯାଇପାରିବ । ଏହି କାର୍ଯ୍ୟକ୍ରମକୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯିବ ନାହିଁ । କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମର ପ୍ରଚାର, ପ୍ରସାର ଏବଂ ଦଳୀୟ ଲୋଗୋ ଆଦିର ବ୍ୟବହାର ମଧ୍ୟ କରାଯାଇପାରିବ ନାହିଁ ।