ରାଇରଙ୍ଗପୁର(ମୟୂରଭଞ୍ଜ): ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟିରେ ପାଦ ଦେଇଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଉପରବେଡ଼ା ଏକ ଗାଁ ନୁହେଁ, ମୋ ପରିବାର ବୋଲି କହିଛନ୍ତି ରାଷ୍ଟ୍ରପତି ।
ମାଆ ମାଟିରେ ମହାମହିମ:
କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଠିକ୍ ୧୧ଟା ୦୫ ମିନିଟ ସମୟରେ ରଙ୍ଗମାଟିଆ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ ମହାମହିମ । ସ୍ବତନ୍ତ୍ର କାରକେଡ ଯୋଗେ ସଡ଼କ ପଥରେ ଉପରବେଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆସିଥିଲେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହାମହିମ । ନିଜ ଅଭିଭାଷଣରେ ସର୍ବ ପ୍ରଥମେ ବଡ଼ମାନଙ୍କୁ ପ୍ରଣାମ, ସାଙ୍ଗମାନଙ୍କୁ ନମସ୍କାର ଓ ଛୋଟ ପିଲାମାନଙ୍କୁ ସ୍ନେହ ଜଣାଇବା ସହିତ ନିଜ ମା' ମାଟିକୁ ପ୍ରଣାମ ଜଣାଇଥିଲେ ।
'ଦେବାଦେବୀଙ୍କ ଆଶୀର୍ବାଦ ରହିଛି'
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ଯେ, ଉପରବେଡା ଗାଁର ସମସ୍ତ ଦେବାଦେବୀଙ୍କ ଆଶୀର୍ବାଦ ମୋ ଉପରେ ରହିଛି । ସ୍କୁଲ ଯାଇ ତଳେ ବସି ପଢୁଥିଲେ । ଘରେ ଓ ସ୍କୁଲରେ ଗୋବର ମଧ୍ୟ ଲେପି ଥିବାର କହିଛନ୍ତି । ପିଲାଦିନେ ପ୍ରତ୍ୟେକ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ତାରିଖ ଦିନ ପଞ୍ଚାୟତର ଗାଁ ଗାଁ ବୁଲି ସମସ୍ତଙ୍କ ଘରକୁ ଯାଉଥିବାର କହିଛନ୍ତି ମହାମହିମ । ଲେଖିବା ପାଇଁ କଲମ, ଖାତା ନଥିଲା । ସିଲେଇ କରି ଖାତା ତିଆରି କରି ପାଠ ପଢିଥିବା କହିଛନ୍ତି ମାଡାମ ପ୍ରେସିଡେଣ୍ଟ ।
ସଂଘର୍ଷର କାହାଣୀ କହିଲେ ମହାମହିମ:
ରାଷ୍ଟ୍ରପତି ଆହୁରି କହିଛନ୍ତି, "ବର୍ତ୍ତମାନ ସମୟରେ ଶିକ୍ଷାର ବହୁତ ଆବଶ୍ୟକତା ରହିଛି । ପାଠ ପଢ଼ିବାକୁ ହେଲେ ଉତ୍ତମ ପରିବେଶର ଆବଶ୍ୟକତା ରହିଛି । ଘରେ ଘରେ ସମସ୍ତେ ଶିକ୍ଷିତ ହେବା ହିଁ ମୁଖ୍ୟ ଉଦ୍ଦେଶ୍ୟ । ସେତେବେଳେ ପଢ଼ିବାର ଆଗ୍ରହ ଥିଲା ହେଲେ ସେ ସମୟରେ ଗାଁରେ ବିଦ୍ୟୁତ୍ ସଂଯୋଗ ନଥିଲା । ଡିବି ଆଲୁଅ ଜଳାଇ ପାଠ ପଢୁଥିଲି । ୩ କ୍ଲାସ , ୫ କ୍ଲାସରେ ସ୍କଲାରସିପ ମଧ୍ୟ ମିଳିଥିଲା । ବର୍ତ୍ତମାନ ସମାଜର ଭବିଷ୍ୟତ ହେଉଛନ୍ତି କୁନି କୁନି ପିଲାମାନେ । ଆସନ୍ତାକାଲିର ବି ଭବିଷ୍ୟତ ସେମାନେ। ବାପା ମାଆ ବହୁ ପରିଶ୍ରମ କରିଛନ୍ତି, ତେଣୁ ଛାତ୍ରଛାତ୍ରୀମାନଙ୍କୁ ମନ ଦେଇ ପାଠ ପଢ଼ନ୍ତୁ ।"