ପୁରୀ:ଅଦିନିଆ ବର୍ଷା ସବୁ ସାରିଦେଲା... ପାଣିରେ ଲୋଟୁଛି ଧାନ ଫସଲ । କାଟିବୁ କଣ... କେମିତି ଚଳାଇବୁ ପରିବାର.. ସରକାର ସାହାଯ୍ୟ ନ କଲେ ଜୀବନ ହାରିବୁ....ଏ ବ୍ୟଥା ଅନ୍ନଦାତାଙ୍କର । ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହେବା ପରେ ଧର୍ଯ୍ୟ ଧରିପାରୁନି ଚଷା ପୁଅ । ଅଦିନିଆ ବର୍ଷାରେ କୃଷି ବିଭାଗର ଆକଳନ ଅନୁଯାୟୀ, ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ପ୍ରାୟ ୬୦ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ କରିବେ କଣ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି । ସରକାର ସହାୟତା ନଦେଲେ ଚରମ ନିଷ୍ପତ୍ତି ନେବେ ବୋଲି ସଫା ସଫା ଶୁଣାଇଛନ୍ତି ।
ଦୁଃଖ ଦେଇଗଲା ଅଦିନିଆ ବର୍ଷା:
ଫସଲ କ୍ଷତି (ETV Bharat Odisha) ଅଦିନିଆ ବର୍ଷାରେ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ ହାନି ହୋଇଛି । ବର୍ଷା ଯୋଗୁ ବିଲରେ ଗଜା ହୋଇଯାଇଛି ଧାନ । ସେହିପରି ଯେଉଁ ଧାନ କଟାଯାଇନି ତାହା ବର୍ଷା ପାଣିରେ ବୁଡି ରହି ଗଜା ହୋଇଯାଇଛି । କେବଳ ଧାନ ଫସଲ ନୁହେଁ ପୁରୀ ଜିଲ୍ଲାରେ ପନିପରିବା, ଚିନାବାଦାମ, ମୁଗ, ବିରି ଆଦି ଫସଲ ମଧ୍ୟ ବ୍ୟାପକ କ୍ଷତି ହୋଇଛି । ତେବେ ଏହି କ୍ଷୟକ୍ଷତିର ଆକଳନ କରିଛି ଜିଲ୍ଲା କୃଷି ବିଭାଗ । ଆକଳନ ଅନୁଯାୟୀ ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ପ୍ରାୟ ୬୦ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗ ରିପୋର୍ଟରେ ଦର୍ଶାଇଛି ।
ପୁରୀର 2 ବ୍ଲକ କ୍ଷତିପୂରଣରୁ ପଡିଲା ବାଦ୍:
ଫସଲ କ୍ଷତିଗ୍ରସ୍ତ (ETV Bharat Odisha) ପୁରୀ ଜିଲ୍ଲା କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ନିୟମ ଅନୁଯାୟୀ ଯେଉଁ ଅଞ୍ଚଳରେ ୩୩ ପ୍ରତିଶତ ଅବା ଏହାଠାରୁ ଅଧିକ ପରିମାଣର ଫସଲ କ୍ଷତିଗ୍ରସ୍ତ ହୋଇଛି, ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ପୁରୀ ଜିଲ୍ଲାରେ ମୋଟ ୧୧ଟି ବ୍ଲକରୁ ୯ଟି ବ୍ଲକ ଏହି ମାନଦଣ୍ଡ ପୂରଣ କରୁଛି । ୩୩ ପ୍ରତିଶତରୁ କମ୍ ଫସଲ କ୍ଷୟକ୍ଷତି ହୋଇଥିବାରୁ କାକଟପୁର ଓ ଅସ୍ତରଙ୍ଗ ବ୍ଲକ କ୍ଷତିପୂରଣ ତାଲିକାରୁ ବାଦ୍ ପଡ଼ିଛି ।
ପୁରୀରେ କେତେ ହେକ୍ଟରରେ ହେଉଛି ଚାଷ ?
ଫସଲ କ୍ଷତିଗ୍ରସ୍ତ (ETV Bharat Odisha) ପୁରୀ ଜିଲ୍ଲାରେ ୧ ଲକ୍ଷ ୫୦ ହଜାର ୩୦ ହେକ୍ଟର ଜମିରେ ଚାଷବାସ ହେଉଛି । ଯେଉଁଥିରୁ ୧ ଲକ୍ଷ ୩୦ ହଜାର ୫୦ ହେକ୍ଟର ଜମିରେ ଧାନ ଫସଲ ଓ ୧୯ ହଜାର ୯୮୦ ହେକ୍ଟର ଜମିରେ ଚିନାବାଦାମ, ମୁଗ, ବିରି, ପନିପରିବା ଆଦି ଚାଷ ହେଉଛି । ତେବେ ଚଳିତବର୍ଷ ଖରିଫ ଫସଲ ଭଲ ହୋଇଥିଲା । ଧାନ ଅମଳ ବି ଭଲ ହୋଇଥାନ୍ତା । କିନ୍ତୁ ଡ଼ିସେମ୍ବର ମାସ ଶେଷ ଆଡ଼କୁ ଅଦିନିଆ ବର୍ଷା ଚାଷୀଙ୍କ ସ୍ବପ୍ନକୁ ଚୂରମାର କରିଦେଇଛି । ଅମଳ ପୂର୍ବରୁ ଫସଲ ଉଜାଡି ଦେଇ ସର୍ବସ୍ୱାନ୍ତ କରିଦେଇଛି । ଯାହାକୁ ନେଇ ଏବେ ଚାଷୀ କାନ୍ଦୁଥିବା ବେଳେ କିଭଳି କରଜ ସୁଖିବେ ଓ କିଭଳି ବର୍ଷ କର ଆହାର ଯୋଗାଡ କରିବେ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏହି ମହାବିପଦରେ ସରକାରୀ ସହାୟତାକୁ ଚାହିଁ ବସିଛି ଚାଷୀ।
ଚାଷୀଙ୍କ ଚେତାବନୀ, କ୍ଷତିପୂରଣ ନଦେଲେ ଜୀବନ ହାରିବୁ:
ଫସଲ କ୍ଷତିଗ୍ରସ୍ତ (ETV Bharat Odisha) ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଜଣେ ଚାଷୀ
ରବୀନ୍ଦ୍ର ନାଥ ସ୍ବାଇଁ ଫସଲ କ୍ଷତିକୁ ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ଯେଉଁ ଅଦିନିଆ ବର୍ଷା ହେଲା ବିଲରେ କଟା ହୋଇ ରହିଥିବା ଧାନକୁ ନଷ୍ଟ କରିଦେଇଛି । ଧାନ ଗଜା ହୋଇ ଯାଇ ବ୍ୟାପକ ଫସଲ ଆମର ନଷ୍ଟ ହୋଇଛି । ତେବେ କ୍ଷତି ସହିଥିବା ଚାଷୀଙ୍କୁ ସରକାର ରକ୍ଷା କରନ୍ତୁ । ଚାଷୀ ଯେଉଁ ଋଣ କରିଛନ୍ତି ତାହା ସରକାର୍ ଛାଡ କରନ୍ତୁ । ଆଗାମୀ ଦିନରେ ହେବାକୁ ଥିହା ରବି ଫସଲ ପାଇଁ ସରକାର ଚାଷୀଙ୍କୁ ସାହାଯ୍ୟ କରନ୍ତୁ । ପୁରୀ ଜିଲ୍ଲାରେ ଥିବା ସବୁ କୃଷକଙ୍କ ପାଇଁ ସରକାର ଋଣ ଛାଡ କରନ୍ତୁ । ନ ହେଲେ ସରକାର୍ କ୍ଷତିପୂରଣ ଦିଅନ୍ତୁ । ନ ହେଲେ ଚାଷୀ ମାନେ ହତାଶ ହୋଇ ଜୀବନ ହାରିବେ ।’
ମୋହନ ସରକାରଙ୍କଠୁ ଆମର ଆଶା ଅଛି:
ଫସଲ କ୍ଷତିଗ୍ରସ୍ତ (ETV Bharat Odisha) ସେ ଆହୁରି କହିଛନ୍ତି, ‘ଗତକାଲି ମୋ ବିଲକୁ ଦେଖି ମୋ ଦେହ ଅସୁସ୍ଥ ହୋଇ ପଡ଼ିଲା । ପରିବାର ଲୋକେ ମତେ ମେଡିକାଲ ନେଇ ଚିକିତ୍ସା କରାଇ ଘରକୁ ଆଣିଲେ । ଆମ ଚାଷ ସମ୍ପୂର୍ଣ୍ଣ ଡୁବି ଯାଇଛି । ସରକାର ସାହାଯ୍ୟ ନ କଲେ ଆମେ ବୁଡ଼ିଯିବୁ । ନୂଆ ମୋହନ ସରକାରଙ୍କ ଉପରେ ଆମର ବହୁତ୍ ଆଶା ରହିଛି । ସେ ଆମ ଚାଷୀଙ୍କ ପାଇଁ କିଛି ନା କିଛି ବୁଝିବେ । ଯଦି ସରକାର କିଛି ନ ବୁଝନ୍ତି ଚାଷୀଙ୍କ ଜୀବନ ଯିବା ନିଶ୍ଚିତ ।’
ନିମାପଡ଼ା ଅଞ୍ଚଳର ଆଉ ଜଣେ ଚାଷୀ ଜଗବନ୍ଧୁ ବିଶ୍ଵାଳ କହିଛନ୍ତି, ‘ମୁଁ ତିନି ଏକର ବିଲ ଚାଷ କରିଥିଲି । ଋଣ କରି ଫସଲ କରିଥିଲି । ଅଧା ଧାନ ବିଲରେ କଟା ହୋଇ ରହିଥିବା ବେଳେ ଅଧା ଧାନ କଟା ହୋଇନଥିଲା । ଅଦିନିଆ ବର୍ଷା ଯୋଗୁଁ ପାଣିରେ ତାହା ବୁଡି ରହି ନଷ୍ଟ ହୋଇଯାଇଛି । କିଛି ଧାନ ଖଳାକୁ ଆଣି ଅମଳ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଧାନ ଓଦା ହୋଇ ଯାଇଥିବାରୁ ତାହା ମେସିନରେ ଅମଳ ହୋଇ ପାରିଲାନି । ତେବେ ଚାଷୀ ମାନେ ଅଦିନିଆ ବର୍ଷା ପାଇଁ ବହୁତ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହି ଦୁର୍ଦ୍ଦିନରେ ସରକାର ଚାଷୀଙ୍କୁ କୌଣସି ସାହାଯ୍ୟ ହାତ ନ ବଢାଇଲେ ବାଧ୍ୟ ହୋଇ ଚାଷୀ ହତାଶ ହୋଇ ଆତ୍ମହତ୍ୟା କରିବେ । ଏହା ଛଡା କୌଣସି ଉପାୟ ନାହିଁ ।
ଫସଲ କ୍ଷତିଗ୍ରସ୍ତ (ETV Bharat Odisha) ସେ ଆହୁରି କହିଛନ୍ତି, ‘ଆମେ ଏବେ ଋଣ ଶୁଝି ପାରିବୁନି କି ଆମ ପିଲାଙ୍କୁ ଖାଇବାକୁ ଦାନା ବି ଦେଇ ପାରିବୁନି । କ୍ଷତିପୂରଣ କିଛି ଦେଲେ ଆମେ କରିଥିବା ଋଣ ଶୁଝି ପାରିବୁ । ସରକାର ପ୍ରଶାସନିକ ଅଧିକାରୀଙ୍କୁ ପଠାଇ ସର୍ଭେ କରନ୍ତୁ । କ୍ଷୟକ୍ଷତିକୁ ଦେଖି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ । ଆମର ନୂଆ ସରକାର ଉପରେ ସମ୍ପୂର୍ଣ ଭରସା ରହିଛି । ସରକାର ଚାଷୀଙ୍କୁ ନିଶ୍ଚିତ ସାହାଯ୍ୟ କରିବେ।’
ଅଦିନିଆ ବର୍ଷାରେ ପୁରୀରେ ୫୯ ହଜାର ୯୨୩ ହେକ୍ଟର ଫସଲ ନଷ୍ଟ:
ପୁରୀ ଜିଲ୍ଲା କୃଷି ବିଭାଗର ସୂଚନା ଅନୁଯାୟୀ ଗତ ଡ଼ିସେମ୍ବରରେ ଅଦିନିଆ ବର୍ଷା ପାଇଁ ପୁରୀ ଜିଲ୍ଲାର ସର୍ବମୋଟ ୫୯ ହଜାର ୯୨୩ ହେକ୍ଟର ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି । କିନ୍ତୁ ୩୩ ପ୍ରତିଶତ କ୍ଷୟକ୍ଷତି ତାଲିକାରେ ୪୯୧୯୩.୨୬ ହେକ୍ଟର ଚାଷ ଜମି ରହିଛି । ଏହି ଫସଲ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବ । ଏଥିରେ ୨୭୯୩୯.୦୬ ହେକ୍ଟର ଜଳ ସେଚିତ ଓ ୨୨୦୯୯.୩୫ ହେକ୍ଟର ଅଣ ଜଳସେଚିତ ଚାଷ ଜମି ରହିଛି ।
ଫସଲ କ୍ଷତିଗ୍ରସ୍ତ (ETV Bharat Odisha) ପୁରୀ ଜିଲ୍ଲାର 11ଟି ବ୍ଲକର ଚାଷୀଙ୍କ ଫସଲହାନି:
ପୁରୀ ଜିଲ୍ଲାର ମୋଟ 11ଟି ବ୍ଲକରୁ ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ୩୩ ପ୍ରତିଶତ ତଳକୁ ଫସଲ କ୍ଷୟକ୍ଷତି ହୋଇଛି । ଏଣୁ ଏହି ଅଞ୍ଚଳର ଚାଷୀ କ୍ଷତିପୂରଣ ପାଇବେ ନାହିଁ । ତେବେ ବ୍ଲକକୁ ଦେଖିଲେ ପୁରୀ ଜିଲ୍ଲାର ନିମାପଡ଼ାରେ ସର୍ବାଧିକ ୧୨ ହଜାର ୬୨୫ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି । ତେବେ ପୁରୀ ଜିଲ୍ଲାର ସବୁ ବ୍ଲକ୍ ଫସଲ କ୍ଷତି ରିପୋର୍ଟ ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ତରଫରୁ ଏହି ରିପୋର୍ଟକୁ ଏସଆରସିଙ୍କୁ ପ୍ରଦାନ ସହ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିବାକୁ ନିବେଦନ କରାଯାଇଛି ।
ଭାଗ ଚାଷୀ କିଛି ପାଇବ ନାହିଁ:
ଫସଲ କ୍ଷତିଗ୍ରସ୍ତ (ETV Bharat Odisha) ଚାଷୀ ନେତା ଶରତ ରାୟଗୁରୁ ଫସଲ କ୍ଷତି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ଓଡିଶାରେ ୪୯ ଲକ୍ଷ କ୍ଷୁଦ୍ର ଚାଷୀ ଅଛନ୍ତି । ତାହା ଭିତରୁ ୮୦ ଭାଗ ହେଉଛନ୍ତି ଭାଗ ଚାଷୀ । ଯେଉଁ କ୍ଷତି ହୋଇଛି ଜମି ମାଲିକର ଯେତିକି କ୍ଷତି ହୋଇଛି ଭାଗ ଚାଷ କରିଥିବା ଚାଷୀର ବେଶି କ୍ଷତି ହୋଇଛି । ଏବେ ଯେଉଁ ସରକାର ରିପୋର୍ଟ ପ୍ରସ୍ତୁତ କରିଛନ୍ତି କେବଳ ଜମି ମାଲିକଙ୍କୁ ନେଇ ହୋଇଛି । ତାକୁ କ୍ଷତି ପୂରଣ ମିଳିବ । ହେଲେ ଭାଗ ଚାଷୀଟି କିଛି ପାଇବ ନାହିଁ ।
ସେ ଆହୁରି କହିଛନ୍ତି, ‘ଆଜି ପର୍ଯ୍ୟନ୍ତ ଓଡ଼ିଆରେ ଭାଗ ଚାଷୀଙ୍କ ପାଇଁ ଆଇନ ହୋଇପାରିଲା ନାହିଁ । ଫଳରେ ଏବେ କେବଳ ଜମି ମାଲିକ ହିଁ କ୍ଷତି ପୂରଣ ପାଇବେ । ଏଣୁ ଭାଗଚାଷୀ ଟିଏ ଋଣ କରିକି ଚାଷ କରିଛି ସିଏ ସର୍ବସ୍ୱାନ୍ତ ହୋଇଥିବା ବେଳେ ତାକୁ କୌଣସି ସାହାଯ୍ୟ ମିଳିବ ନାହିଁ । ତେବେ ଏହି ସମୟରେ ଫସଲ ବିମା କମ୍ପାନୀ ସରକାରୀ କର୍ମଚାରୀଙ୍କୁ ପ୍ରଲୋଭନ ଦେଖାଇ ଚାଷୀଙ୍କ ଫସଲ କ୍ଷତି କମ ହୋଇଥିବା ରିପୋର୍ଟ କରାଇ ଚାଷୀଙ୍କୁ ବୀମା ଟଙ୍କା ନ ଦେବା ପାଇଁ ଚକ୍ରାନ୍ତ କରିପାରନ୍ତି ।୪୦ ପ୍ରତିଶତରୁ ଅଧିକ ଫସଲ କ୍ଷତି ହେଲେ ଫସଲ ବୀମା ଟଙ୍କା ମିଳିବାର ନିୟମ ରହିଛି ।
ଭାଗ ଚାଷୀଙ୍କ ପାଇଁ ଆଇନ ଆସୁ:
ସେ ଆହୁରି କହିଛନ୍ତି, ବୀମା କମ୍ପାନୀ ମାନେ ତଳ ସ୍ତରର ସରକାରୀ ଅଧିକାରୀଙ୍କୁ ପ୍ରଲୋଭନ ଦେଇ ଚାଷୀଙ୍କ ଫସଲ କ୍ଷତି ୪୦ପ୍ରତିଶତ ତଳକୁ ହୋଇଥିବା ରିପୋର୍ଟ କରିବାର ଆଶଙ୍କା ରହିଛି । ଏହା ଫଳରେ ଚାଷୀଙ୍କୁ ବୀମା କମ୍ପାନୀ କ୍ଷତି ପୂରଣ ରାଶି ଦେବେନି । ଏଣୁ ଏହି ଚଞ୍ଚକତା କାର୍ଯ୍ୟ ଯେଭଳି ନ୍ ହୁଏ ସେ ଦିଗରେ ସରକାର୍ ନଜର ରଖିବା ଉଚିତ୍ । ସରକାର୍ ପ୍ରକୃତ କ୍ଷତିର ଆକଳନ କରନ୍ତୁ । ଗ୍ରାମ ପଞ୍ଚାୟତ ନିକଟରେ ଭାଗ ଚାଷୀଙ୍କ ତଥ୍ୟ ରହିଛି । ପ୍ରକୃତ ଭାଗ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ । ଦରକାର ଭାଗ ଚାଷୀଙ୍କ ସୁରକ୍ଷା ପାଇଁ ତୁରନ୍ତ ଆଇନ କରନ୍ତୁ ।
ପୁରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁରୀ ଜିଲ୍ଲାରେ ଗତ ଡ଼ିସେମ୍ବରରେ ହୋଇଥିବା ଅଦିନିଆ ବର୍ଷା ଫଳରେ ଫସଲ କ୍ଷତି ହୋଇଛି । ତେବେ ଜିଲ୍ଲାର 11ଟି ବ୍ଲକରୁ ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ 33 ପ୍ରତିଶତରୁ କମ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଏହି ଦୁଇ ବ୍ଲକର ଚାଷୀ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ପାଇବେ ନାହିଁ । ତେବେ ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକରେ ସେ ସର୍ବାଧିକ 16 ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି ।
ସେ ଆହୁରି କହିଛନ୍ତି, ‘କ୍ଷୟକ୍ଷତି ଆକଳନ କରାଯିବା ପରେ ଏହାକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଏହି ରିପୋର୍ଟକୁ ଏସ ଆରସି(SRC)ଙ୍କ ନିକଟକୁ ପଠାଇ ଦେଇଛନ୍ତି । ଜଳ ସେଚିତ ଓ ଅଣ ଜଳ ସେଚିତ ଜମିରେ ଫସଲ କ୍ଷତିକୁ ନେଇ ମୋଟ 65 କୋଟି ଟଙ୍କା ଚାଷୀ ଇନପୁଟ ସବସିଡି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।
ପୁରୀରେ ୧ଲକ୍ଷ ୨୩ ହଜାର ଚାଷୀ ଫସଲ ବୀମା କରିଛନ୍ତି:
ସେ ଆହୁରି କହିଛନ୍ତି, ‘ତେବେ ଫସଲ ବୀମା ପାଇଁ ସ୍ଵତନ୍ତ୍ର ଗାଇଡ ଲାଇନ ରହିଛି । ବିଲରେ ଫସଲ କଟାଯାଇ ଫସଲ ଥିଲେ 14 ଦିନ ଭିତରେ କ୍ଷତି ହେଲେ ଚାଷୀ ବୀମା କମ୍ପାନୀକୁ ଯୋଗାଯୋଗ କରିବେ । କୃଷି ଆପରେ ନିଜ ଫଟୋ ଦେଇ ସମସ୍ତ ତଥ୍ୟ ଦେଇ ଫସଲ କ୍ଷତିର ଅଭିଯୋଗ ଦେଇ ପାରିବେ । ତେବେ ଫସଲ ବୀମା କମ୍ପାନୀ ଏବେ ସର୍ଭେ କରୁଛନ୍ତି। ତେବେ ବ୍ଲକରେ ଥିବା ତହସିଲଦାରଙ୍କ ଦ୍ଵାରା ଥିବା କମିଟି ଏନେଇ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେବେ । ପରେ ଏ ନେଇ ସରକାର ପଦକ୍ଷେପ ନେବେ । ପୁରୀ ଜିଲ୍ଲାରେ ୧ଲକ୍ଷ ୨୩ ହଜାର ଚାଷୀ ଫସଲ ବୀମା କରିଛନ୍ତି । ତେବେ ଯେଉଁ ମାନେ ପନିପରିବା ଚାଷ ତଥା ଅଣ ଧାନ ଫସଲରେ କ୍ଷତି ସହିଛନ୍ତି ସେମାନଙ୍କୁ ସରକାର୍ ଇନପୁଟ ସବସିଡି ପ୍ରଦାନ କରିବେ।
ଇଟିଭି ଭାରତ, ପୁରୀ