ଓଡିଶା

odisha

ETV Bharat / state

ଶିକ୍ଷକଙ୍କ ଅବସରବେଳେ ଭାବବିହ୍ୱଳ ହେଲା ଗାଁ, ସୁସଜ୍ଜିତ ଗାଡ଼ିରେ ବସାଇ ଘରେ ଛାଡ଼ିଲେ ଛାତ୍ରଛାତ୍ରୀ - ବାଲେଶ୍ବର

Unique Farewell Party to Teacher: ଭୋଗପୁର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଲେଙ୍କାଙ୍କୁ ନିଆରା ଢଙ୍ଗରେ ଦିଆଯାଇଛି ସମ୍ବର୍ଦ୍ଧନା । ସୁସଜ୍ଜିତ ଗାଡ଼ିରେ ବସାଇ ଶିକ୍ଷକଙ୍କୁ ଘରେ ଛାଡ଼ିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Unique Farewell Party
Unique Farewell Party

By ETV Bharat Odisha Team

Published : Feb 23, 2024, 2:45 PM IST

Unique Farewell Party

ବାଲେଶ୍ବର:କଥାରେ ଅଛି 'ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର'। ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ବରର ଜଣେ ଶିକ୍ଷକ । ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ବେଳର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେବଳ ସ୍କୁଲ ନୁହେଁ ବରଂ ଗାଁ ଲୋକେ ଶୋଭାଯାତ୍ରା କରି ତାଙ୍କୁ ସମ୍ମାନର ସହ ଶିକ୍ଷକଙ୍କୁ ତାଙ୍କ ଘରେ ଛାଡିଛନ୍ତି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଭୋଗପୁର ଅଞ୍ଚଳରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଶିକ୍ଷାଦାନ ପରେ ଅବସର ନେଉଥିବା ଶିକ୍ଷକମାନଙ୍କୁ ବିଦ୍ୟାଳୟ ପକ୍ଷରୁ ତ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥାଏ । ମାତ୍ର କିଛି ଶିକ୍ଷକ କେବଳ ଛାତ୍ରଛାତ୍ରୀଙ୍କ ହୃଦୟରେ ନୁହେଁ ବରଂ ଅଭିଭାବକ ତଥା ଗ୍ରାମବାସୀଙ୍କ ହୃଦୟରେ ମଧ୍ୟ ରହିଥାନ୍ତି । ପ୍ରତାପ ଚନ୍ଦ୍ର ଲେଙ୍କାଙ୍କ କ୍ଷେତ୍ରରେ ଏହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଭୋଗପୁର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଲେଙ୍କା ନିଜ ଚାକିରି ଜୀବନରୁ ଅବସର ନେଇଛନ୍ତି। ଏଥିପାଇଁ ତାଙ୍କୁ ଦିଆଯାଇଥିଲା ବିଦାୟ କାଳୀନ ସମ୍ବର୍ଦ୍ଧନା । ହେଲେ ଏ ସମ୍ବର୍ଦ୍ଧନା ଥିଲା ନିଆରା । ତାଙ୍କ ଅବସର ନେଇ ଗାଁ ଲୋକେ ମ୍ରିୟମାଣ ହୋଇ ପଡ଼ିଥିବାବେଳେ ଶିକ୍ଷକଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଅବଦାନ ଏବଂ ନିଷ୍ଠାକୁ ମନେ ପକାଇ ବିରାଟ ଆୟୋଜନ କରିଥିଲେ । ଅବସରକାଳୀନ ସମ୍ବର୍ଦ୍ଧନା ପରେ ଗାଁ ଲୋକେ ଶିକ୍ଷକଙ୍କୁ ବନ୍ଦାପନା କରିବା ସହ ଉତ୍ତରୀୟ ପ୍ରଦାନ କରି ସମ୍ମାନ ଜଣାଇଥିଲେ। ଦୀର୍ଘ ୩୨ ବର୍ଷ ଶିକ୍ଷକତା କରି ଅନେକ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ କରିଥିବାବେଳେ ଅନେକ ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଏମିତି ବି ଜଣେ ଶିକ୍ଷକ: ଆଖିକୁ ଦିଶୁନି, ପିଲାଙ୍କୁ ଭବିଷ୍ୟତର ବାଟ ଦେଖାଉଛନ୍ତି

ସେହିପରି କୁନି କୁନି ପିଲାମାନେ ଶିକ୍ଷକଙ୍କ ପାଦ ଧୋଇ ଦେଇ ନୂଆ ଜୋତା ପିନ୍ଧାଇ ଦେଇଥିଲେ । ପରେ ଗାଁ ଲୋକେ ଶିକ୍ଷକଙ୍କୁ କାନ୍ଧରେ ବସାଇ ସୁସଜ୍ଜିତ ଗାଡ଼ିରେ ପରିକ୍ରମା କରାଇଥିଲେ । ସ୍କୁଲଠାରୁ ଶିକ୍ଷକଙ୍କ ଘର ମାତ୍ର ୩ କିଲୋମିଟର ହୋଇଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଗାଁ ଲୋକେ ଘର ପର୍ଯ୍ୟନ୍ତ ବାଜା ବଜାଇ ଶୋଭାଯାତ୍ରା ମାଧ୍ୟମରେ ପ୍ରଧାନଶିକ୍ଷକଙ୍କୁ ଘରେ ଛାଡି ଆସିଥିଲେ । ପ୍ରଧାନ ଶିକ୍ଷକ ସେହି ବିଦ୍ୟାଳୟରେ ଯୋଗ ଦେବାପରେ ଅନେକ ଉନ୍ନତି ହୋଇଥିବା କହିଛନ୍ତି ଗ୍ରାମବାସୀ। ଏପରିକି ବିଦ୍ୟାଳୟକୁ ଯଦି କେହି ଛାତ୍ର ଛାତ୍ରୀ ଆସୁନଥିଲେ ତେବେ ନିଜେ ତାଙ୍କ ଘରକୁ ଯାଇ ସ୍କୁଲକୁ ନେଇଆସୁଥିଲେ ପ୍ରତାପ । ଏହାସହ ଶିକ୍ଷକଙ୍କ ବାଡ଼ି ବଗିଚାରେ ଯାହାବି ପନିପରିବା ହେଉଥିଲା ସେ ଆଣି ପିଲାଙ୍କୁ ଖାଇବାକୁ ଦେଉଥିଲେ । ଏମିତି ଶିକ୍ଷକଙ୍କ ଅବଦାନ ପାଇଁ ସେ ସବୁଦିନ ମନେ ରହିବେ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details