ନୂଆପଡ଼ା:ବୋଝ ଉପରେ ନଳିତା ବିଡା ସାଜିଲା କାଳବୈଶାଖୀ ବର୍ଷା । ମୂର୍ତ୍ତି ତିଆରି କାରିଗରଙ୍କ ପରିଶ୍ରମର ଫଳକୁ ଧୋଇ ନେଇଛି ଅଦିନିଆ ବର୍ଷା । ମୂର୍ତ୍ତି କାରିଗର ମୁଣ୍ଡରେ ପଡିଛି ଚଡକ । ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମରେ । ନେହେନା ଗ୍ରାମର ମୂର୍ତ୍ତି କାରିଗର ଭରତ ସୁନାନୀ ଦୀର୍ଘବର୍ଷରୁ ଭଳିକି ଭଳି ଆକର୍ଷଣୀୟ ମୂର୍ତ୍ତି ଗଢି ନୂଆପଡା ଜିଲ୍ଲାରେ କ୍ଷତି ଭୋଗୁଛନ୍ତି । ମୂର୍ତ୍ତି ବିକ୍ରିକରି ଯାହା କିଛି ସ୍ବଳ୍ପ ରୋଜଗାର ହୋଇଥାଏ ତହିଁରେ କୁଟୁମ୍ବ ଚଳିଯାଏ । ହେଲେ କାଳବୈଶାଖୀ ଅଦିନିଆ ବର୍ଷା ଦାଉ ସାଧିଛି ।
ଏହା ମଧ୍ୟ ପଢନ୍ତୁ ....ଆର୍ଥିକ ସହାୟତା ଅପେକ୍ଷାରେ ଅନାଥ ନିବ୍ରତ, ପାରାଲିସିସ୍ ସହ କରୁଛନ୍ତି ସଂଘର୍ଷ - Help To Needy Man
Clay Artisan Need Help (ETV Bharat Odisha) ମୂର୍ତ୍ତି କାରିଗର ଭରତ ସୁନାନୀ ନିଜର ଦୁଃଖୀହୀନ ପରିବାର ଦୀର୍ଘବର୍ଷରୁ ମୂର୍ତ୍ତି ତିଆରି କାମକରି କୁଟୁମ୍ବ ଚଳାନ୍ତି । ଗଣେଶ, ସରସ୍ବତୀ, ଦୁର୍ଗା, ଲକ୍ଷ୍ମୀ ଭଳି ଅନେକ ଆକର୍ଷଣୀୟ ମୂର୍ତ୍ତି ତିଆରି କରନ୍ତି କାରିଗର ଭରତ ସୁନାନୀ । କାମରେ ସ୍ତ୍ରୀ ଦ୍ରୌପଦୀ ସୁନାନୀ ମଧ୍ୟ ସ୍ବାମୀ ଭରତଙ୍କୁ ସାହାଯ୍ୟ କରିଥାନ୍ତି । ଆଧୁନିକ ଯୁଗ ଉପଯୋଗିତାକୁ ଦୃଷ୍ଟି ରଖି ଆକର୍ଷଣୀୟ ମୂର୍ତ୍ତି ତିଆରି କରି ନୂଆପଡା ଜିଲ୍ଲାରେ ଖ୍ୟାତି ଅର୍ଜନ କରିଛନ୍ତି ଭାରତ । ଆଗୁଆ ମୂର୍ତ୍ତି ତିଆରି କରି ନିଜ ଚାଳ ଛପର ଘରେ ମୂର୍ତ୍ତି ସାଇତି ରଖିଥାନ୍ତି । ଗ୍ରାହକ ମଧ୍ୟ ଯେକୌଣସି ମୁହୂର୍ତ୍ତରେ ଆସି ନିଜ ମନ ପସନ୍ଦର ମୂର୍ତ୍ତି କିଣି ନେଇଥାନ୍ତି । ହେଲେ ମୂର୍ତ୍ତି କାରିଗରଙ୍କୁ ଦାଉ ସାଧିଛି କାଳବୈଶାଖୀ ବର୍ଷା ।
ପ୍ରବଳ ଘୂର୍ଣ୍ଣିଝଡ଼ ବର୍ଷାରେ ଘରଭାଙ୍ଗି ଚାଳ ପଲିଥିନ ଉଡିଯାଇଛି । ଫଳରେ ଲକ୍ଷାଧିକ ମୂଲ୍ୟର ଆକର୍ଷଣୀୟ ମୂର୍ତ୍ତି କ୍ଷତ ବିକ୍ଷତ ହୋଇ ନଷ୍ଟ ହୋଇଯାଇଛି । ତା ସହିତ ଲକ୍ଷାଧିକ ମୂଲ୍ୟର କଲର ମେସିନ, ଦାମିକା ପ୍ଲାଷ୍ଟିକ ପେଣ୍ଟ, କଞ୍ଚାମାଲ ପାଣିରେ ଭିଜି ନଷ୍ଟ ହୋଇଯାଇଛି । ଗରିବ ମୂର୍ତ୍ତି କାରିଗରଙ୍କୁ ଦାଉ ସାଜିଛି ଦଇବ । ପୁଣି ଅଣ୍ଟା ଟେକି ଠିଆ ହେବାପାଇଁ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି କାରିଗର ଭରତ ସୁନାନୀ । ସରକାର ସହାୟତାର ହାତ ବଢ଼ାଇଲେ ପୁଣି ନିଜ ବୃତ୍ତିକୁ ଫେରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି ଅସହାୟ ମୂର୍ତ୍ତି କାରିଗର । ଅପରପକ୍ଷେ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଲୋକେ ମଧ୍ୟ ସରକାର ଙ୍କୁ ଅନୁରୋଧ କରିଛନ୍ତି ।
ଇଟିଭି ଭାରତ, ନୂଆପଡା