ବୌଦ୍ଧ: ଗମନାଗମନର ସମସ୍ୟା ହେତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ସ୍ବାଧୀନତାର 77ବର୍ଷ ପରେ ମଧ୍ୟ ବଣ ପାହାଡ ଘେରା ଅଞ୍ଚଳରେ ବିକାଶ ବାଟବଣା ହୋଇ ରହିଯାଇଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଆମେ କଥା ହେଉଛୁ ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ନେଇ ଗଠିତ ଟିକରପଡା ପଞ୍ଚାୟତ ବିଷୟରେ । ସେଠାରେ ଥିବା ସାତଟି ଗ୍ରାମର ଅଧିବାସୀ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି ।
ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ନେଇ ଗଠିତ ହୋଇଛି ଟିକରପଡା ପଞ୍ଚାୟତ । ବଣ ଜଙ୍ଗଲ ଘେରା ଏହି ଟିକରପଡା ପଞ୍ଚାୟତ କନ୍ଧମାଳ ଜିଲ୍ଲାକୁ ସଂଲଗ୍ନ ରହିଥିବା ବେଳେ ଏହି ପଞ୍ଚାୟତର ସାତଟି ଗ୍ରାମ ବର୍ଷର ଅଧିକାଂଶ ସମୟ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥାଏ । ଛୋଟ ବଡ କେତେକ ପାହାଡି ଝରଣା ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ତାହା ମଧ୍ୟରୁ ଲକ୍ଷ୍ମୀ ନାଳ ବା ସ୍ଥାନୀୟ ଭାଷାରେ ଶାସନମୁଣ୍ଡା ନାଳ ମୁଖ୍ୟ ପ୍ରତିବନ୍ଧକ ହୋଇରହିଛି । ଟିକରପଡା ପଞ୍ଚାୟତର ବହଲପଡା ଛକ ନିକଟରେ ପ୍ରବାହିତ ଏହି ପାହାଡି ଝରଣାର ଅପର ପାର୍ଶ୍ବରେ ଘାଟି ପାହାଡ ତଥା ଜଙ୍ଗଲ ଅଞ୍ଚଳ ମଧ୍ୟରେ ରହିଛି ଦମଣ୍ଡା, ଗୁରୁଜୀମୁଣ୍ଡା, ଶାସନମୁଣ୍ଡା, ଲକଡପାଜୁ, ସାଲଦରଙ୍ଗା, ନିମଖୁଲି, ନୂଆସାହି, କୁଡାବାହାଲି ଭଳି ସାତରୁ ଊର୍ଦ୍ଧ୍ବ ଆଦିବାସୀ ଅଧ୍ୟୁଷିତ ଗ୍ରାମ । ଯେଉଁ ଅଞ୍ଚଳକୁ କେବଳ ପାଦଚଲା ରାସ୍ତା ତଥା ଅଳ୍ପ କେତୋଟି ଗ୍ରାମକୁ ମୋଟରସାଇକେଲ ଯୋଗେ ପହଞ୍ଚିବାର ସୁବିଧା ରହିଛି।
ପାହାଡ ଜଙ୍ଗଲ ଉପରେ ଥିବା ଲକଡପାଜୁ ଗ୍ରାମରେ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଶିକ୍ଷକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯୋଗାଯୋଗର ବିଛିନ୍ନତା ହେତୁ ଏସବୁ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ପହଞ୍ଚି ପାରିନାହିଁ । ଫଳରେ ଅତି ଜରୁରୀକାଳୀନ ପରିସ୍ଥିତିରେ ରୋଗୀକୁ ଭାର କିମ୍ବା ଖଟିଆରେ ପାହାଡ ଜଙ୍ଗଲରୁ ଓହ୍ଲାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଏ । ଅଧିକାଂଶ ସମୟରେ ସ୍ଥାନୀୟ ଅଧିବାସୀ ସ୍ବାସ୍ଥ୍ୟ ସେବା ପାଇଁ ଗୁଣିଗାରେଡି, ତନ୍ତ୍ର ମନ୍ତ୍ର ଭଳି ଅନ୍ଧବିଶ୍ୱାସର ସହାୟତା ନେବାକୁ ବାଧ୍ୟ ହୋଇଥାନ୍ତି ।