ଓଡିଶା

odisha

ETV Bharat / state

ଆରମ୍ଭ ହେଲା ଆଦିବାସୀ ସାଂସ୍କୃତିକ ମହୋତ୍ସବ ‘ପରବ’, ନାଚ-ଗୀତରେ ଝୁମିବ କୋରାପୁଟ

କୋରାପୁଟରେ ଶୁଭାରମ୍ଭ ହୋଇଛି ଆଦିବାସୀ ସାଂସ୍କୃତିକ ମହୋତ୍ସବ ‘ପରବ 2024’ । ଏହା ଦେଢ ମାସ ଧରି ପାଳନ ହେବାକୁ ଥିବା ବେଳେ ସେମିଳିଗୁଡାରୁ ଶୁଭାରମ୍ଭ ହୋଇଛି ।

ପରବ 2024
ପରବ 2024 (ETV Bharat Odisha)

By ETV Bharat Odisha Team

Published : 4 hours ago

କୋରାପୁଟ:ଦୁଲୁକିବ କୋରାପୁଟ । ନାଚ ଗୀତରେ ଫାଟି ପଡିବ ଗାଁଠୁ ସହର । ଲୋକ ଲୋଚନକୁ ଆସିବ ଲୁକ୍କାୟିତ ପ୍ରତିଭା । କୋରାପୁଟରେ ଜାତୀୟ ସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ‘ପରବ’ ଆସନ୍ତା ଡିସେମ୍ବର 14ରୁ ଆରମ୍ଭ ହେବାକୁ ଯାଉଛି । ଯାହାକି ଡିସେମ୍ବର 18 ପର୍ଯ୍ୟନ୍ତ ଚାଲିବ । ତେବେ ଦେଢମାସ ଧରି ପଞ୍ଚାୟତସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ‘ପରବ’ ପାଳନ ହେବାକୁ ଥିବା ବେଳେ ଆଜି (ସୋମବାର) ସେମିଳିଗୁଡା ବ୍ଲକର ଦୁଧାରୀ ସ୍ଥିତ ମାଉଳିମା ମନ୍ଦିରରୁ ଏହାର ଶୁଭାରମ୍ଭ ହୋଇଯାଇଛି ।

‘ପରବ 24’ ଉତ୍ସବର ପୋଷ୍ଟର ଓ ଷ୍ଟିକର ଉନ୍ମୋଚନ:

କୋରାପୁଟ ଜ଼ିଲ୍ଲାର କଳା ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ପରବ ହେଉଛି ଏକ ମାଧ୍ୟମ । ଆଜି ଏହାର ଶୁଭାରମ୍ଭ ସେମିଳିଗୁଡା ବ୍ଲକର ଦୁଧାରୀ ସ୍ଥିତ ମାଉଳିମା ମନ୍ଦିର ନିକଟରୁ କରାଯାଇଛି । କୋରାପୁଟର ନିଶାଣୀ ମୁଣ୍ଡାରେ ପ୍ରଥମ ପୂଜା କରାଯିବା ପରେ ଦୁଧାରୀ ସ୍ଥିତ ମାଉଳିମା ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ପରବ ଜ୍ୟୋତି ପ୍ରଜ୍ବଳନ କରାଯାଇଥିଲା । ବିଶାଳ ଶୋଭାଯାତ୍ରାରେ ଏହି ମଶାଲକୁ ଧରି ଜିଲ୍ଲାବାସୀ ଦୁଧାରୀ ଗ୍ରାମରେ ପ୍ରସ୍ତୁତ ହୋଇଥିବା ଉଦଘାଟନୀ ମଞ୍ଚ ନିକଟକୁ ଯାତ୍ରା କରିଥିଲେ । ପରବର ଇତିହାସ, କୋରାପୁଟ ଅଞ୍ଚଳର ସାଂସ୍କୃତିକ ସୁରକ୍ଷା ଦିଗରେ ଏହି ଉତ୍ସବର ଭୂମିକା ସମ୍ପର୍କରେ ଆଲୋଚନା କରାଯିବା ପରେ ‘ପରବ-24’ ଉତ୍ସବର ପୋଷ୍ଟର ଓ ଷ୍ଟିକର ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ଆସନ୍ତା ଦେଢମାସ ଧରି ପାଳନ ହେବାକୁ ଥିବା ପରବ ଉତ୍ସବରେ ଭାଇଚାରା ପ୍ରଦର୍ଶନ କରି ପରସ୍ପରକୁ ସହଯୋଗ କରିବା ପାଇଁ ଶପଥ ପାଠ କରିଥିଲେ ।

ପରବ 2024 (ETV Bharat Odisha)

ନିଜସ୍ବ ପଡିଆରେ ପାଳନ ହେବ ପରବ:

ପରବ ପାଇଁ ସ୍ଥାୟୀ ପଡିଆ ନ ଥିବା ଯୋଗୁଁ ବିଗତ ବର୍ଷ ଗୁଡିକରେ କୋରାପୁଟ ସ୍ଥିତ ଲାଣ୍ଡିଗୁଡା ଠାରେ ରହିଥିବା ସରକାରୀ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହେଉଥିଲା । ଚଳିତ ବର୍ଷ ପରବ ନିଜସ୍ୱ ପଡିଆ ପାଇଛି । ରଙ୍ଗବାଲି କୁମ୍ଭା ନିକଟସ୍ଥ ଡ଼ଙ୍ଗରରେ ଏଥିପାଇଁ 30 ଏକର ଜାଗା ଦିଆଯାଇଛି । ପରବ ତାର ନିଜସ୍ୱ ପଡିଆରେ ହେବାକୁ ଯାଉଥିବାକୁ ନେଇ କୋରାପୁଟ ବାସିନ୍ଦାଙ୍କ ସହିତ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ନେତା ଖୁସି ବ୍ୟକ୍ତ କରିଛନ୍ତି ।

ପରବ 2024 (ETV Bharat Odisha)

କଳାସଂସ୍କୃତିର ନିଆରା ଝଲକ ‘ପରବ’:

ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଜ଼ିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ 1996ରୁ ପାଳତ ହୋଇ ଆସୁଛି ଲୋକ ମହୋତ୍ସବ ପରବ । ପ୍ରତିବର୍ଷ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଜିଲ୍ଲା ସଦର ମହକୁମା କୋରାପୁଟଠାରେ ଆୟୋଜିତ ଅଦିବାସୀ ଉତ୍ସବ ପରବ ନାମରେ ପରିଚିତ । ଏହା କୋରାପୁଟ ଜିଲ୍ଲାରେ ପାଳିତ ହେଉଥିଲେ ମଧ୍ୟ ଜାତୀୟ ସ୍ତରୀୟ ଉତ୍ସବର ମାନ୍ୟତା ପାଇଛି । ଦେଢ଼ ମାସ ବ୍ୟାପୀ ପାଳିତ ହେଉଥିବା ଏହି ଉତ୍ସବରେ ଖେଳ, ନାଚ, ଗୀତ, ନୌକା ଚାଳନା, ତୀର ଚାଳନା, ପର୍ବତାରୋହଣ ତଥା କବି ସମ୍ମିଳନି ଆଦି ଅନୁଷ୍ଠିତ ହୋଇଥାଏ l

ପରବ 2024 (ETV Bharat Odisha)

ସାମିଲ ହୁଅନ୍ତି ବିଭିନ୍ନ ପ୍ରାନ୍ତର କଳାକାର:

ଜିଲ୍ଲାର ବିଭିନ୍ନ ବ୍ଳକ ତଥା ଦେଶଋ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ଏହି ଉତ୍ସବରେ ଭାଗ ନେଇଥାନ୍ତି । ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ତଥାପି ସଂସ୍କୃତି ଗବେଷକ କୃଷ୍ଣ ଚନ୍ଦ୍ର ନିଶଙ୍କଙ୍କ କହିବାନୁଯାୟୀ, ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଉତ୍ସବ ତଥାପି ପ୍ରତିଯୋଗିତାରେ ଦଶ ଲକ୍ଷ ଲୋକ ସାମିଲ ହୋଇଥାନ୍ତି ଯାହା ଜାତୀୟ ସ୍ତରରେ ଏକ ରେକର୍ଡ । ପରବ ସମାବର୍ତ୍ତନ ମୁଖ୍ୟ ଉତ୍ସବ 3 ଦିନ ପାଳିତ ହେଉଥିଲେ ମଧ୍ୟ ପଲ୍ଲୀଶ୍ରୀ ମେଳା 5 ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଏଥର ପରବରେ ସ୍ଥାନୀୟ କଳାକାରଙ୍କୁ ପ୍ରାଧାନ୍ୟ ଦିଆଯିବା ସହିତ ଦେଶିଆ ଭାଷାରେ ଉପସ୍ଥାପନା ସହିତ ଅତିଥିମାନେ ଦେଶିଆ ଭାଷାରେ ନିଜର ଅଭିଭାଷଣ ରଖିବେ ବୋଲି ନିଷ୍ପତ୍ତି ହୋଇଛି ଯାହା ସ୍ଥାନୀୟ ଅଧିବାସୀଙ୍କୁ ଅଧିକ ଉତ୍ସାହିତ କରିବ ।

ପରବ 2024 (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

କାର୍ତ୍ତିକ ବ୍ରତ; ଶାବର ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

କୋରାପୁଟର ସୌର ଗାଁ: ବିଜୁଳି ଅଛି, ନାହିଁ ବିଲ୍‌ ଟେନସନ

ଏଣିକି ଓଡ଼ିଶାରେ ୟୁରୋପର ମଜା ନେବେ ପର୍ଯ୍ୟଟକ, କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ - Koraput Singapur Road

25 ବର୍ଷ ଅପେକ୍ଷାର ଅନ୍ତ: ଲମତାପୁଟରୁ ରାଜଧାନୀକୁ ଗଡିଲା ବସ୍‌ - Government bus service starts

ପ୍ରକୃତିର ବରଦାନ କୋରାପୁଟ ସହର:

କୋରାପୁଟ କେବଳ ଗୋଟେ ଜଣାଶୁଣା ପରିଚିତ ଶବ୍ଦ ନୁହେଁ, ବରଂ ଏକ ଅସରନ୍ତି ଅନୁଭବ ଓ ସୀମାହୀନ ସ୍ମୃତିର ଅପସୋରା, ଛୋଟ ସହର । ପାହାଡ, ଡଙ୍ଗର ଘେରା ସୌନ୍ଦର୍ଯ୍ୟରେ ଭରପୂର କୋରାପୁଟ ତାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ବେଶ୍ ପରିଚିତ ଓ ପ୍ରତିଷ୍ଠିତ । କୋରାପୁଟର ଜଳବାୟୁ ଯେପରି ସ୍ଵାସ୍ଥ୍ୟପ୍ରଦ, ତାର ଭୌଗଳିକ ସ୍ଥିତି, ସେପରି ଆକର୍ଷଣୀୟ । କୋରାପୁଟ ଜ଼ିଲ୍ଲାରେ ବସବାସ କରୁଥିବା ଆଦିବାସୀଙ୍କ ମହୁରି, ଢାମ୍ପ, ତୁଙ୍ଗ ଡୁଙ୍ଗୀର ମଧୁର ସ୍ୱର କେବେ ମନକୁ ଆନ୍ଦୋଳିତ କରେ ତ କେବେ ସେମାନଙ୍କ ପାରମ୍ପରିକ ଲୋକନୃତ୍ୟ ଢେମସା ହୃଦୟରେ ରୋମାଞ୍ଚ ଆଣେ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details