ପାରାଦ୍ୱୀପ:ପାରାଦ୍ୱୀପରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାଫିକ ନିୟନ୍ତ୍ରଣ କରୁଥିବା ସମୟରେ ଟ୍ରାଫିକ ପୋଲିସଙ୍କ ଉପରେ ମାଡିଗଲା ଟ୍ରକ। ଫଳରେ ଘଟଣାସ୍ଥଳରେ ଟ୍ରାଫିକ ପୋଲିସଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ପାରାଦ୍ୱୀପ ଛକ ନିକଟରେ ଟ୍ରାଫିକ ପୋଲିସ ବିଭାଗର ହୋମଗାର୍ଡ ରାଜେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟରତ ଥିଲେ । ରାଜେନ୍ଦ୍ର ସବୁଦିନ ଭଳି କାର୍ଯ୍ୟରତ ଥିବାବେଳେ ହଠାତ୍ ଚଣ୍ଡିଖୋଲ-ପାରାଦ୍ୱୀପ ରାସ୍ତାରେ ଏକ ଟ୍ରକ ଦ୍ରୁତ ଗତିରେ ଆସିଥିଲା । ଆଉ ଡିଉଟି କରୁଥିବା ଟ୍ରାଫିକ ପୋଲିସଙ୍କ ଉପରେ ଚଢିଯାଇଥିଲା।
ଏହାପରେ ନିକଟରେ ଥିବା ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ଦୌଡ଼ି ଆସି ଚିତ୍କାର କରିଥିଲେ ମଧ୍ୟ ଟ୍ରକଟି ଦୁର୍ଘଟଣା ଘଟାଇ ଦ୍ରୁତ ବେଗରେ ଚାଲି ଯାଇଥିଲା । ଘଟଣାସ୍ଥଳରେ ହିଁ ଟ୍ରାଫିକ କର୍ମଚାରୀ ରାଜେନ୍ଦ୍ର ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଶହ ଶହ ଲୋକେ ଚଣ୍ଡିଖୋଲ-ପାରାଦୀପ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ଅଭିଯୁକ୍ତକୁ ଗିରଫ ଦାବି କରିଥିଲେ। ଘଟଣା ସ୍ଥଳରେ ପାରାଦ୍ୱୀପ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଉତେଜନା ଲାଗି ରହିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା ,"ପାରାଦ୍ୱୀପ ଯଦି ପୋଲିସ ସୁରକ୍ଷିତ ନୁହଁନ୍ତି ତେବେ ସାଧାରଣ ଲୋକଙ୍କ କଥା କଣ କହିବା?"