ଖୋର୍ଦ୍ଧା: ଆମ ଲୋକକଳା ସଂସ୍କୃତି ସହ ଯୋଡି ହୋଇ ରହିଛି ଅନେକ କିମ୍ବଦନ୍ତୀ ଓ କାହାଣୀ । ସେଇଥି ପାଇଁ ତ ଆମ ସଂସ୍କୃତି ଓ ପରମ୍ପରା ବିଶ୍ୱରେ ନିଆରା । ତେବେ ଅନେକ ସଂସ୍କୃତି ଓ ପରମ୍ପରା କାଳକ୍ରମେ ଲୋପ ପାଇ ଯାଇଥିବା ବେଳେ ଆଉ କିଛି ଲୋପ ପାଇବାକୁ ବସିଛି । ସେହିଭଳି ବିଲୁପ୍ତ ପଥର ପଥିକ ହୋଇଯାଇଛି ଯୋଗୀ ପରମ୍ପରା । ତେବେ ଆଜି ମଧ୍ୟ ଖୋର୍ଦ୍ଧାର ଅନେକ ଗାଁ ଗହଳିରେ ଶୁଣାଯାଉଛି ସେହି ଯୋଗୀ ବାଦ୍ୟର ମଧୁର ଗାନ । ଲୁପ୍ତ ହେବାକୁ ବସିଥିବା ଏହି ଯୋଗୀ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା ଚଲାଇଛନ୍ତି ଲୋକେ ।
"ଭଜୁକିନା ରାମ ନାମରେ କୁମର, ଭଜୁକିନା ରାମ ନାମ, ଭଜି ନପାରିବେଳ କୂଳ ଚନ୍ଦ୍ରମାରେ ବାନ୍ଧିନେବ କାଳଯମରେ କୁମର ବାନ୍ଧିନେବ କାଳଯମ"ବୋଲି ଗାଁ ଦାଣ୍ଡରେ ବାହୁନି ଥାଏ କେନ୍ଦରା । କେନ୍ଦରାର ସୁମଧୁର ତାନ ସହ ସୁଲଳିତ କଣ୍ଠରେ ବଙ୍ଗଳାଶ୍ରୀ ରାଗର ଏହି ଗୀତ ଯିଏ ଥରେ ଶୁଣିଛି ସେ ନିଶ୍ଚିତ ଭାବେ ଆତ୍ମବିଭୋର ହୋଇଛି । ଆଧୁନିକତାର ପ୍ରବାହରେ ଏହି ନାଥଯୋଗୀ ପରମ୍ପରା ପ୍ରାୟତଃ ଲୋପ ପାଇଯାଇଛି । ଓଡ଼ିଶାରେ ଯୋଗୀ ପରମ୍ପରା ବହୁ ପୁରାତନ । ଜଗନ୍ନାଥଙ୍କ ତାନ୍ତ୍ରିକ ପୂଜା ଏହି ନାଥଯୋଗୀ ବା ଅବଧୁତ ପରମ୍ପରାର ପ୍ରଭାବ । ପ୍ରାଚୀନ ଓଡ଼ିଶାର ନାଗାର୍ଜୁନଙ୍କ ଠାରୁ ହାଡ଼ିପା, କାହ୍ନୁପା ଭଳି ମହାନ ତାନ୍ତ୍ରିକ ଓ ବୈରାଗୀ ଏହି ପରମ୍ପରାର ଏକ ଏକ ମହାନଗୁରୁ ଭାବରେ ଜଣାଶୁଣା । ସେହିଭଳି ୧୪ଶ- ୧୫ଶ ଶତାବ୍ଦୀର ଅତି ରହସ୍ୟବାଦୀ ଅରକ୍ଷିତ, ଅଚ୍ୟୁତ, ଅନନ୍ତ, ବଳରାମ ଓ ଜଗନ୍ନାଥ ଦାସ ଏହି ନାଥଯୋଗୀ ପରମ୍ପରାର ଅନୁଗାମୀ ଥିଲେ ବୋଲି ଜଣାଯାଏ । ଉତ୍ତରପୂର୍ବ ଭାରତର ଗୋରଖନାଥଙ୍କ ଠାରୁ ଏହି ଅବଧୁତ ପରମ୍ପରା ଓଡ଼ିଶାକୁ ଆସିଥିବା ଓ ଏଠାରେ ଏହା ନାଥଯୋଗୀ ପରମ୍ପରାରେ ପରିବର୍ତ୍ତନ ହୋଇଥିବା ଅନେକ ଐତିହାସିକ ମତ ଦିଅନ୍ତି ।