ବୌଦ୍ଧ:ବୌଦ୍ଧ ଜିଲ୍ଲାରେ ଭରପୁର ରହିଛି ପର୍ଯ୍ୟଟନସ୍ଥଳୀ । ହେଲେ ପ୍ରଶାସନର ଆନ୍ତରିକତା ଅଭାବରୁ ଅଧପନ୍ତରିଆ ହୋଇ ପଡିରହିଛି ଜିଲ୍ଲାର ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ଫଳରେ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପର୍ଯ୍ୟଟନସ୍ଥଳୀ । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଅପରୂପ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ସହିତ ମହାନଦୀର ସୁବିସ୍ତ୍ରୃତ ନୀଳ ଜଳରାଶି ତଥା ବାଲୁକା ଶଯ୍ୟା ବର୍ଷ ତମାମ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାଏ । ତେଣୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କୋଡ଼ିଏରୁ ଉର୍ଦ୍ଧ୍ବ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳକୁ ଅକ୍ସି ଟୁରିଜିମ ମାଧ୍ୟମରେ ଏହାର ବିକାଶ ପାଇଁ ପ୍ରାୟ ଚାରି ବର୍ଷ ତଳେ ଉଦ୍ୟମ ଆରମ୍ଭ କରିଥଲା । ସେହିପରି ଜିଲ୍ଲାର ହରଭଙ୍ଗା ବ୍ଲକରେ ଏଭଳି ଦୁଇଟି ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ହେଲା ବୀରନରସିଂହପୁର ପଞ୍ଚାୟତ ର ନୂଆପଡ଼ା ଅଞ୍ଚଳ ଓ ବାମଣ୍ଡା ପଞ୍ଚାୟତର ନାଏକପଡା ଗୁମ୍ଫା ବନାନୀ ସମୂହ । ବୀରନରସିଂହପୁର ଓ ମଥୁରା ପଞ୍ଚାୟତର ଅନ୍ୟୁନ ପନ୍ଦର ଶହ ଏକରରୁ ଊର୍ଦ୍ଧ୍ୱ ପରିମିତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ସେଠାରେ ଓଡ଼ିଶାର ପ୍ରଥମ ପରିବେଶ ଭିତ୍ତିକ ସଫାରୀ ନନ୍ଦନବନ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ନନ୍ଦନବନ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି ।