ବଲାଙ୍ଗୀର:ଟିଟିଲାଗଡ ଉପକାରାଗାରରୁ ଦୁଇ ଅଭିଯୁକ୍ତ ଫେରାର ଘଟଣା । ଦିଲ୍ଲୀରୁ ଜଣେ ଗିରଫ । ଫେରାର ହେବାର 21 ଦିନ ପରେ ଜଣେ ଗିରଫ । ଆଉ ଜଣକୁ ଧରିବା ପାଇଁ ପୋଲିସର ତନାଘନା ଜାରି । ବଲାଙ୍ଗୀର ଟିଟିଲାଗଡ ସବ ଜେଲରୁ ଜେଲ ବାଡ ଡେଇଁ ଫେରାର ମାରିଥିବା ଦୁଇ ହତ୍ୟା ଅଭିଯୁକ୍ତ ମଧ୍ୟରୁ ଜଣେ ଗିରଫ । 21 ଦିନ ପରେ ଦିଲ୍ଲୀରୁ ଗିରଫ କଲା ପୋଲିସ । ସେହିପରି ଗିରଫ ପରେ ଜେଲକୁ ନେଇ ସିନ ରିକ୍ରିଏସନ୍ କରିଛି ପୋଲିସ । ଫେରାର ଥିବା ଅନ୍ୟ ଜଣେ କଏଦୀକୁ ଧରିବା ପାଇଁ ତନାଘନା ଜାରି ରଖିଛି । ତେବେ ଗତ ମାର୍ଚ୍ଚ 9 ତାରିଖର ଟିଟିଲାଗଡ ସବ ଜେଲରୁ ଦୁଇ ହତ୍ୟା ଅଭିଯୁକ୍ତ ଶୋଭବନ୍ ରଣା ଓ ସୁମିତ ବିହାରୀ ଜେଲର ବାଡ ଡେଇଁ ରାତିରେ ଫେରାର ହୋଇଥିଲେ ।
ଯାହାକୁ ନେଇ ପୋଲିସ ଓ ଜେଲ ଡିଆଇଜି ମିଳିତ ଭାବରେ ଏହାର ତଦନ୍ତ ଆରମ୍ଭ କରିଥିଲେ । ଏଥିରେ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାର ଦୁଇ ଜଣ ୱାଡ଼ରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ତେବେ ପୋଲିସର ତିନୋଟି ଟିମ୍ ଗଠନ କରାଯାଇ ଫେରାର କଏଦୀମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଥିଲା । ପୋଲିସର ଗୁଇନ୍ଦା ତଥା ଆଇଟି ଓ ସାଇବର ଟିମର ସହାୟତାରେ ପୋଲିସ ଜଣେ କଏଦୀ ସୁମିତ ବିହାରୀଙ୍କୁ ଦିଲ୍ଲୀରୁ ଗିରଫ କରିବାରେ ସଫଳ ହୋଇଛି ।
ଗତକାଲି ତାକୁ ପୋଲିସ ଜେଲକୁ ନେଇ ସିନ ରିକ୍ରିଏସନ କରିଛି । ସେହିପରି ତାକୁ କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟପଟେ ଆଜି ବି ଆଉ ଜଣେ ଫେରାର ହତ୍ୟା ଅଭିଯୁକ୍ତକୁ ପୋଲିସ ଧରିବାରେ ସଫଳ ହୋଇ ପାରି ନାହିଁ । ଏବଂ ତାକୁ ଧରିବା ପାଇଁ ପୋଲିସ ତନାଘନା ଜାରି ଥିବାର ଜଣାପଡ଼ିଛି ।