ଓଡିଶା

odisha

ETV Bharat / state

ଖାଲିପଡ଼ିଛି ହଜାର ହଜାର ଶିକ୍ଷକ ପଦବୀ, ସରକାର ପରିବର୍ତ୍ତନ ପରେ ତେଜିଲା ନିଯୁକ୍ତି ଦାବି - TEACHER VACANCY ISSUE - TEACHER VACANCY ISSUE

TEACHER VACANCY ISSUE: ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ପୁଣି ଉଠିଲା ଦାବି । ବିରୋଧୀ ଦଳ ଭାବେ ଶିକ୍ଷକ ସଂଘର ଦାବିକୁ ସମର୍ଥନ କରିଥିଲା ବିଜେପି । ଏବେ ଦଳ କ୍ଷମତାକୁ ଆସିବା ପରେ ଦାବି ପୂରଣ ନେଇ ଆଶା ବାନ୍ଧିଲାଣି ଶିକ୍ଷକ ସଂଘ । ଅଧିକ ପଢନ୍ତୁ

ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦବୀ, ନିଯୁକ୍ତି ଦାବି ଦୋହରାଇଲା ଶିକ୍ଷକ ସଂଘ
ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦବୀ, ନିଯୁକ୍ତି ଦାବି ଦୋହରାଇଲା ଶିକ୍ଷକ ସଂଘ (ETV Bharat Odisha)

By ETV Bharat Odisha Team

Published : Jun 30, 2024, 12:09 PM IST

ଭୁବନେଶ୍ବର:ରାଜ୍ୟରେ ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦବୀ । ଦୀର୍ଘ ବର୍ଷ ହେଲା ଏହି ପଦବୀଗୁଡିକ ପୂରଣ ହୋଇ ପାରୁନାହିଁ । ଯାହା ରାଜ୍ୟର ଶିକ୍ଷାକ୍ଷେତ୍ରରେ ଅବ୍ୟବସ୍ଥାକୁ ପ୍ରଶ୍ନଘେରକୁ ଟାଣିଛି । ପୂର୍ବରୁ ବିଭିନ୍ନ ସମୟରେ ଶିକ୍ଷକ ସଂଘ ନବୀନ ସରକାରଙ୍କ ନିକଟରେ ଖାଲି ପଦବୀ ପୂରଣ କରିବା ପାଇଁ ଦାବି କରିଆସିଛି । ଶିକ୍ଷକଙ୍କ ଏହି ଦାବିକୁ ନେଇ ମଧ୍ୟ କ୍ଷମତାକୁ ଆସିବା ପୂର୍ବରୁ ବିରୋଧୀ ଦଳ ଭୂମିକାରେ ଥିବା ଭାରତୀୟ ଜନତା ପାର୍ଟି ସମର୍ଥନ କରିଥିଲା । ଏବେ ରାଜ୍ୟରେ ବିଜେପି ଜନାଦେଶ ପାଇ ସରକାର ଗଠନ କରିବା ପରେ ଦାବି ପୂରଣ ହେବା ଆଶାରେ ଶିକ୍ଷକ ସଂଘ ।


ଖାଲି ପଦବୀ ତଥ୍ୟ:-

ବିଧାନସଭା ତଥ୍ୟ ଅନୁଯାୟୀ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୪୮ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିପରି ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୧୦ ହଜାର ଅଧିକ ପଦବୀ ଖାଲି ପଡ଼ିଥିବା ନେଇ ପୂର୍ବରୁ ଗୃହରେ ସୂଚନା ଦିଆଯାଇଥିଲା । ପୂର୍ବରୁ ଥିବା ନବୀନ ସରକାରରେ ୨୦ ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟ ଆରମ୍ଭ କରାଯାଇଥିଲା । ବର୍ତ୍ତମାନର ମୋହନ ସରକାରଙ୍କୁ ଶିକ୍ଷକ ପଦବୀ ପୂରଣ ପାଇଁ ବିଭିନ୍ନ ଶିକ୍ଷକ ସଂଘ ଦାବି କରିବା ଆରମ୍ଭ କଲେଣି । ଦୀର୍ଘ ବର୍ଷଠାରୁ ପ୍ରାଥମିକ ସ୍ତରରେ ଶିକ୍ଷକ ନିଯୁକ୍ତି କରିନାହାନ୍ତି ସରକାର । ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ମୋଟ ୬୧ ହଜାର ୮୯୧ ବିଦ୍ୟାଳୟ ରହିଛି । ସେଥିମଧ୍ୟରୁ ୪୮ ହଜାର ୬୫୮ ସରକାରୀ ବିଦ୍ୟାଳୟ ଓ ୫ ହଜାର ୮୫୦ ସ୍କୁଲ ସରକାରୀ ଅନୁଦାନ ପ୍ରାପ୍ତ ବର୍ଗରେ ରହିଛନ୍ତି । ଅନ୍ୟପଟେ ବେସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସଂଖ୍ୟା ୬ ହଜାର ୮୪ଟି ବିଦ୍ୟାଳୟ ରହିଥିବା ବିଧାନସଭାରେ ଉପସ୍ଥାପିତ ତଥ୍ୟ କହୁଛି ।


ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ମତାନୁସାରେ, ୨୦୧୮ ମସିହାରୁ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ହୋଇନାହିଁ । ଯାହାଫଳରେ କି ଉଭୟ ବିଦ୍ୟାଳୟରେ ଶିକ୍ଷକଙ୍କର ଘୋର ଅଭାବ ଦେଖାଦେଇଛି । ଯାହାଦ୍ଵାରା ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ସରକାରଙ୍କୁ ପୁଣିଥରେ ନିବେଦନ କରିଛନ୍ତି ଯେ, ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଅଷ୍ଟମ ଶ୍ରେଣୀ ବିଶିଷ୍ଟ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକଙ୍କୁ ନିଯୁକ୍ତି କରାଯାଉ । ସେହିପରି ଶ୍ରେଣୀଭିତ୍ତିକ ଓ ବିଷୟଭିତ୍ତିକ ଶିକ୍ଷକଙ୍କୁ ମିଶାଇଲେ ରାଜ୍ୟରେ ପ୍ରାୟ ୧ ଲକ୍ଷରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି ବୋଲି ବ୍ରହ୍ମାନନ୍ଦ କହିଛନ୍ତି ।

ଅନ୍ୟପଟେ ‘ଓଷ୍ଟା’ର ସହ ସମ୍ପାଦକ ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, ରାଜ୍ୟରେ ପ୍ରାୟ ୧୦ ହଜାର ଅଧିକ ଟିଜିଟି ଓ ନନ ଟିଜିଟି ଶିକ୍ଷକ ପଦବୀ ଖାଲି ପଡ଼ିଛି । ସରକାର ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଶିକ୍ଷକ ପଦବୀ ପୂରଣ କରାନଗଲେ ଗୁଣାତ୍ମକ ଶିକ୍ଷାଦାନ କଥା ଭାବିବା ଉଚିତ୍‌ ହେବନାହିଁ । ଏହା ସହ ବିଦ୍ୟାଳୟରେ ୨୦୦୦ରୁ ଅଧିକ ପ୍ରଧାନ ଶିକ୍ଷକଙ୍କ ପଦବୀ ମଧ୍ୟ ଖାଲି ପଡ଼ିଛି । ଯାହାକୁ ତୁରନ୍ତ ସରକାର ପୂରଣ କରିବା ଆବଶ୍ୟକ । ଶିକ୍ଷକମାନଙ୍କର ଅନେକ ସମସ୍ୟା ରହିଛି ଯାହା ପୂରଣ ଦାବିକୁ ପୁଣିଥରେ ଦୋହରାଇଛନ୍ତି ପ୍ରଦୀପ୍ତ ।

ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ମନ୍ତ୍ରୀ କହିଛନ୍ତି, ପିଲାମାନେ କିଭଳି ଭାବରେ ଗୁଣାତ୍ମକ ଶିକ୍ଷା ପାଇପାରିବେ ସେନେଇ ବିଶେଷ ଦୃଷ୍ଟି ଦିଆଯିବା ସହ ସେ ସଂକ୍ରାନ୍ତରେ ସମସ୍ତ ଦିଗକୁ ନେଇ ଆଲୋଚନା କରାଯାଉଛି । ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବା ନେଇ ପ୍ରୟାସ କରାଯିବ ।

ଏହା ମଧ୍ୟ ପଢନ୍ତୁ:- ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର; ଅଭିଯୋଗ ଶୁଣି ସମାଧାନ କରିବେ ମୋହନ ସରକାର - CM TO HEAR PUBLIC GRIEVANCES

ସୂଚନା ଅନୁଯାୟୀ, ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗରେ ଦାବି ନେଇ ରାଜରାସ୍ତାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏହି ପ୍ରସଙ୍ଗ ଗୃହରେ ମଧ୍ୟ ଉଠେ । ପୂର୍ବରୁ ବିରୋଧୀ ଭୂମିକାରେ ଥିବା ବେଳେ ବିଜେପି ମଧ୍ୟ ଏହି ପ୍ରସଙ୍ଗକୁ ଗୃହରେ ଉଠାଇ ନବୀନ ସରକାରଙ୍କୁ ଶାଣିତ ଟାର୍ଗେଟ କରିବାର ନଜିର ରହିଛି । ବର୍ତ୍ତମାନ ବିଜେପି କ୍ଷମତାକୁ ଆସିବା ପରେ ଶିକ୍ଷକ ସେମାନଙ୍କ ଦାବି ପୂରଣ ହେବା ନେଇ ଆଶା ବନ୍ଧିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details