ଭୁବନେଶ୍ବର:ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା କ୍ଷେତ୍ରରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପୋଷ୍ଟର ମରାକୁ କେନ୍ଦ୍ର କରି ଦୁଇ ରାଜନୈତିକ ଦଳର କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହି ଭୟଙ୍କର ହିଂସା ଘଟଣାରେ ଜଣଙ୍କର ମୃତ୍ୟୁ ଓ 7ରୁ ଅଧିକ ଆହତ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
ଏହି ଘଟଣାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ କହିଛନ୍ତି । ପ୍ରାକନିର୍ବାଚନୀ ହିଂସାକୁ ଆୟତ୍ତ କରିବା ପାଇଁ ତୁରନ୍ତ ବିଧି ସମ୍ମତ ପଦକ୍ଷେପ ଗ୍ରହଣ କରି ଅତିଶୀଘ୍ର ଶାନ୍ତି ପ୍ରତିଷ୍ଠା ପାଇଁ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଅରକ୍ଷୀ ଅଧ୍ୟକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ ।
ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ ଶବ୍ଦରେ ପ୍ରକାଶ କରିଛନ୍ତି । କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଭାରତ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଶୂନ୍ୟ ସହନଶୀଳତା ନୀତି ଅତ୍ୟନ୍ତ ସ୍ପଷ୍ଟ । ଗଞ୍ଜାମ ଜିଲ୍ଲାରେ ପ୍ରାକନିର୍ବାଚନୀ ହିଂସାକୁ ଆୟତ୍ତ କରିବା ପାଇଁ ତୁରନ୍ତ ବିଧି ସମ୍ମତ ପଦକ୍ଷେପ ଗ୍ରହଣ କରି ଅତି ଶୀଘ୍ର ସେଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଅରକ୍ଷୀ ଅଧ୍ୟକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।