ଭୁବନେଶ୍ବର: ଜାନୁଆରୀ ମାସ ସରିନି । କିନ୍ତୁ 11ଟା ବାଜିଲେ ମାଡି ଆସୁଛି ଟାଇଁ ଟାଇଁ ଖରା । ଏବେ ଠୁ ରୌଦ୍ର ତାପ ଦେଖାଇଲେଣି ସୂର୍ଯ୍ୟ ଦେବ । ଶୀତ ଋତୁରେ ରାଜ୍ୟରେ ଅନୁଭବ ହେଲାଣି ଅସ୍ୱାଭାବିକ ଗରମ । କାରଣ ବଢିଛି ପାରଦ କମିଛି ଶୀତ। ସାରା ରାଜ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା 25 ଯାଏଁ ତାତି ଅନୁଭବ କରିବେ ରାଜ୍ୟବାସୀ । ଏନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ ।
- କାହିଁକି ବଢିଲା ତାପମାତ୍ରା ?
ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ଥିବାରୁ ଆସନ୍ତା 25 ଯାଏଁ ଏହିଭଳି ପାଗ ରହିବ । ଆହୁରି ତିନି ଦିନ ପାଗ ଶୁଷ୍କ ରହିବା ସହ ଦିନବେଳା ତାତି ଅନୁଭବ ହେବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସକ୍ରିୟ ପଶ୍ଚିମା ଝଡକୁ ନେଇ ଜଳୀୟବାଷ୍ପ ସମ୍ପୂର୍ଣ୍ଣ ଗାଏବ ହୋଇଯାଇଛି । ବାୟୁମଣ୍ଡଳ ମଧ୍ୟଭାଗରେ ଜଳୀୟବାଷ୍ପ ନଥିବାରୁ ସୂର୍ଯ୍ୟକିରଣ ସିଧା ପଡିବାରୁ ତାପମାତ୍ରା ବୃଦ୍ଧି ପାଇଛି । ପୁର୍ଣ୍ଣ ବାୟୁ ପ୍ରବେଶ ନ କରିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କହିଛି ପାଣିପାଗ ବିଭାଗ ।
- କଲବଲ କରିବ ଘନକୁହୁଡି
ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇ ଗରମ ଅନୁଭବ ହେଉଥିବା ବେଳେ କଲବଲ କରିବ ଘନ କୁହୁଡି । କୁହୁଡି ଯୋଗୁଁ ଦୃଶ୍ୟମାନ କମ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୫ ତାରିଖ ପର୍ଯ୍ୟନ୍ତ ଘନ କୁହୁଡିର ସମ୍ଭାବନା ଥିବାବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ୬ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ,ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁରରେ ଘନ କୁହୁଡି ଦୃଶ୍ୟମାନ ହେବ । ସେହିପରି ଅସନ୍ତାକାଲି ପାଇଁ ବି ସମାନ ଜିଲ୍ଲା ପାଇଁ କୁହୁଡିର ସତର୍କତା ରହିଛି । ବାଲେଶ୍ୱର, କଟକ, ପାରାଦୀପ, ଚାନ୍ଦବାଲି ଓ କେନ୍ଦ୍ରାପଡାରେ ଅତି ଘନ କୁହୁଡି ଦୃଶ୍ୟମାନ ହୋଇଛି । ଏହି ସମୟରେ ବିଶେଷ କରି ରାତି ୨ଟାରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।