ସମ୍ବଲପୁର:ପଶ୍ଚିମବଙ୍ଗ ନମ୍ବର ପ୍ଲେଟ୍ ଥିବା ଧାନ ବୋଝେଇ ଟ୍ରକକୁ ଜବତ କଲା ଜିଲ୍ଲା ଯୋଗାଣ ବିଭାଗ । ସ୍ଥାନୀୟ ଚାଷୀ ଏହି ଟ୍ରକଟି ମଣ୍ଡିକୁ ନଯାଇ ସିଧା ଧାନମିଲକୁ ଯାଉଥିବାର ଦେଖି ଅଟକାଇ ହୋହଲ୍ଲା କରିଥିଲେ । ଏଭଳି ସ୍ଥିତିରେ ଡ୍ରାଇଭର ଟ୍ରକ ଛାଡି ଫେରାର ହୋଇଯାଇଥିବାବେଳେ ସ୍ଥାନୀୟ ଚାଷୀ ଜିଲ୍ଲା ଯୋଗାଣ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ଯୋଗାଣ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରି ଅଟକ ରଖି ତଦନ୍ତ ଜାରି ରଖିଛି ।
କାହିଁକି ଆସିଥିଲା ପଶ୍ଚିମବଙ୍ଗ ଧାନ ଗାଡି?
ମିଳିଥିବା ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ଅପରାହ୍ନ 4 ଟା ସମୟରେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ସାତୁପାଲି ସ୍ଥିତ ଏକ ରାଇସ ମିଲ ସାମ୍ନାରେ ପଶ୍ଚିମବଙ୍ଗ ନମ୍ବର WB-33-B-0145 ଥିବା ଧାନ ଗାଡି ଦେଖି ସ୍ଥାନୀୟ ଚାଷୀ ଗାଡି ପାଖକୁ ଯାଇଥିଲେ ଓ ପଚରାଉଚରା କରିଥିଲେ । ଚାଷୀଙ୍କୁ ଦେଖିବା ପରେ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲେ । ତେବେ ଚାଷୀମାନେ ଏନେଇ ଯୋଗାଣ ବିଭାଗକୁ ସୂଚନା ଦେବା ପରେ ଘଟଣାସ୍ଥଳକୁ ଏସିଏସଓ ସୌଭାଗ୍ୟ ରଞ୍ଜନ ବେହେରା, ଏସିଏସଓ ମନୋଜ ବେହେରା, ଧନକଉଡ଼ା ବ୍ଲକ ଯୋଗାଣ ନିରୀକ୍ଷକ ମନୋଜ ସା, ଏସଏମସି ସିଏସଓ ବିଶ୍ୱ ରଞ୍ଜନ ସାହୁ ଗାଡିକୁ ଜବତ କରିଥିଲେ । ଗାଡିରେ 500 ପ୍ୟାକେଟ୍ ଧାନ ଥିବା ସୂଚନା ମିଳିଛି । ବର୍ତ୍ତମାନ ଓଡି଼ଶାରେ ଧାନ ପ୍ରାପ୍ୟ ବୋନସ ଦିଆଯାଉଥିବାରୁ ଏହା ବାହାର ରାଜ୍ୟରୁ ଆସିଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ଏହା ବି ପଢନ୍ତୁ...୯ ଜିଲ୍ଲାରେ ସଂଗ୍ରହ ହେଲାଣି ୧,୮୧,୧୯୬ ମେଟ୍ରିକ ଟନ ଧାନ, ଦଲାଲଙ୍କ ଉପରେ ତୀକ୍ଷ୍ମ ନଜର