ଭୁବନେଶ୍ବର:ବହୁଚର୍ଚ୍ଚିତ ମହିଳା-କୈନ୍ଦ୍ରିକ ଫ୍ଲାଗସିପ ସ୍କିମ୍'ସୁଭଦ୍ରା' ଯୋଜନା ନେଇ ବଡ ଅପଡେଟ ଆସିଛି । ଦୁର୍ଗାପୂଜା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ 'ସୁଭଦ୍ରା' ଯୋଜନା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । ଆସନ୍ତାମାସ (ଅକ୍ଟୋବର) ୯ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର । ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଏହି ପ୍ରର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ହିତାଧିକାରୀ ଟଙ୍କା ପାଇବେ । ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।
- ମହିଳାଙ୍କୁ ଦଶହରା ଭେଟି:
ଏନେଇ ପ୍ରଭାତି ପରିଡା କହିଛନ୍ତି, '' ଅକ୍ଟୋବର 9 ତାରିଖରେ ମୟୂରଭଞ୍ଜର ବାରିପଦା ଜିଲ୍ଲାରେ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟଙ୍କା ସୁଭଦ୍ରା ହିତାଧୀକାରୀଙ୍କୁ ଦିଆଯିବ । ମହିଳାଙ୍କୁ ଦଶହରା ଭେଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 40 ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ପଟାଯିବ । ନିଜର ସମୃଦ୍ଧି ପାଇଁ ମହିଳା ମାନେ ଏହି ଟଙ୍କାର ଉପଯୋଗ କରିବେ ବୋଲି ଆମର ଆଶା ରହିଛି । ଆମର ଲକ୍ଷ୍ୟ ୧ କୋଟି ମହିଳା ଏହି ଯୋଜନାରେ ସାମିଲ ହେବେ । ବର୍ତ୍ତମାନ 96 ଲକ୍ଷ ମହିଳା ଆବେଦନ କରିସାରିଛନ୍ତି । ଏକ କୋଟିରେ ଯେଉଁ ମହିଳା ରହିବେ ଓ ପ୍ରଥମ କିସ୍ତି ପାଇଥିବା ମହିଳାଙ୍କୁ ସମ୍ମାନିତ କରାଯିବ । ''
- ଜନ୍ମଦିନରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ:
ଚଳିତମାସ (ସେପ୍ଟେମ୍ବର)17 ତାରିଖରେ ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତି 1250 କୋଟି ଟଙ୍କା ଟ୍ରାନ୍ସଫର ହୋଇଥିଲା । ଯେଉଁ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଯାଇନଥିଲା ସେମାନେ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ଟଙ୍କା ଆସିବ ନା ନାହିଁ ସେନେଇ ଦ୍ବନ୍ଦରେ ଥିଲେ । କିନ୍ତୁ ଟଙ୍କା ନିଶ୍ଚିତ ଆସିବ ବୋଲି ଆଶ୍ବସନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଏବେ ଦ୍ବିତୀୟ କିସ୍ତି ମଧ୍ୟ ମିଳିବାକୁ ଯାଉଛି । ଯାହାକୁ ନେଇ ମହିଳା ମାନେ ବେଶ ଖୁସି ଅଛନ୍ତି । ଅକ୍ଟୋବର 9 ତାରିଖକୁ ସମସ୍ତ ମହିଳା ଉତ୍ସାହର ସହ ଅପେକ୍ଷା କରିଛନ୍ତି । ରାଜଧାନୀରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଉତ୍ତର ଓଡିଶାର ବାରିପଦା ସହରକୁ ବାଛିଛନ୍ତି ।