ଓଡିଶା

odisha

ETV Bharat / state

କାଲି ମିଳିବ ସୁଭଦ୍ରା ଟଙ୍କା, ଯାଜପୁରରେ ଚତୁର୍ଥ ପର୍ଯ୍ୟାୟ କିସ୍ତି ଦେବେ ମୁଖ୍ୟମନ୍ତ୍ରୀ - SUBHADRA YOJANA

ଆସନ୍ତାକାଲି ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଉପକୃତ ହେବେ ୧୮ ଲକ୍ଷ ମହିଳା । ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜୋରଦାର ପ୍ରସ୍ତୁତି ।

Subhadra Scheme 4th phase money
Subhadra Scheme 4th phase money (ETV Bharat Odisha)

By ETV Bharat Odisha Team

Published : Feb 7, 2025, 7:30 PM IST

ଯାଜପୁର/ସମ୍ବଲପୁର:ମହିଳାଙ୍କ ପାଇଁ ଖୁସି ଖବର ।ଆସନ୍ତାକାଲି ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ରାଜ୍ଯର ୧୮ ଲକ୍ଷ ମହିଳାଙ୍କୁ ମିଳିବ ଏହି ଟଙ୍କା । ଏନେଇ ଆସନ୍ତାକାଲି ଯାଜପୁରଠାରେ ଏକ ଭବ୍ଯ କାର୍ଯ୍ଯକ୍ରମ ଆୟୋଜନ ହେବ l ଏହି ହିତାଧିକାରୀଙ୍କୁ ଟଙ୍କା ଦିଆଯିବା ପରେ ରାଜ୍ଯରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ l

'ସୁଭଦ୍ରା ମହିଳାଙ୍କ ପାଇଁ ବିକାଶର ମୂଳ ପିଣ୍ଡ'

ଆଜି ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ ଅବସରରେ ସୁଭଦ୍ରା ଟଙ୍କା ପ୍ରଦାନ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, "ଯେଉଁମାନେ NPCIରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡି ଦିଆଯିବ l ୩ଲକ୍ଷ ୩୮ ହଜାର NPCI ମଧ୍ଯରୁ ୫୯ ହଜାର NPCI କ୍ଲିୟର ହୋଇଛି l ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଯେପରି ବାଦ ପଡିବେନି ସେନେଇ ବ୍ୟବସ୍ଥା କରାଯାଉଛି । ସୁଭଦ୍ରା ମହିଳାଙ୍କ ପାଇଁ ବିକାଶର ମୂଳ ପିଣ୍ଡ । ସୁଭଦ୍ରା ଏକ ଫ୍ଲାଗସିପ ଯୋଜନା ନୁହେଁ ବରଂ ମହିଳାଙ୍କୁ ଉଦ୍ଯମୀ, ଉଦ୍ୟୋଗୀ ହିସାବରେ ସୁଭଦ୍ରା ଗଢି ତୋଳିବ ।

Subhadra Scheme 4th phase money (ETV Bharat Odisha)

ସୁଭଦ୍ରା ଯୋଜନା କ'ଣ:

ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବରେ ସହାୟତା କରିବା ସହ ସେମାନଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ 'ସୁଭଦ୍ରା ଯୋଜନା' ଆରମ୍ଭ କରାଯାଇଛି । ଏହି ଯୋଜନା ଅଧିନରେ ୫ ବର୍ଷ ମଧ୍ୟରେ ପ୍ରତି ମହିଳା ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଦିଆଯିବ । ପ୍ରତିବର୍ଷ ୨ଟି କିସ୍ତିରେ ୧୦ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଅନ୍ତର୍ଜାତୀୟ ମହିଳା ଦିବସ(ମାର୍ଚ୍ଚ ୮)ରେ ୫ ହଜାର ଓ ରକ୍ଷା ବନ୍ଧନରେ ୫ ହଜାର ଟଙ୍କା ମହିଳାଙ୍କ ଖାତାକୁ ଯିବ ।

ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟତା ମାପଦଣ୍ଡ:

୧. ସୁଭଦ୍ରା ଯୋଜନା ଯୋଗ୍ୟତା:ଆବେଦନକାରୀ ଓଡ଼ିଶାର ମୂଳ ବାସିନ୍ଦା ହୋଇଥିବେ

୨. ବୟସ ସୀମା:ଉଭୟ ବିବାହିତ ଓ ଅବିବାହିତ ମହିଳାଙ୍କ ବୟସ ୨୧ରୁ ୬୦ ବର୍ଷ ଭିତରେ ହୋଇଥିବ

୩. ଆୟ ସୀମା :ପରିବାରର ବାର୍ଷିକ ଆୟ ଅଢେଇ ଲକ୍ଷରୁ ଅଧିକ ହୋଇ ନଥିବ

୪. କେଉଁମାନଙ୍କୁ ମିଳିବନି ଯୋଜନାରେ ଲାଭ:ଯେଉଁ ମହିଳାମାନେ ସରକାରୀ ଚାକିରି କରିଥିବେ କିମ୍ବା ଆୟ କର ଦେଉଥିବେ ସେମାନେଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ । ସେହିପରି ଅନ୍ୟ ସରକାରୀ ଯୋଜନାରୁ ମାସିକ ୧୫ ଶହ କିମ୍ବା ତା’ଠାରୁ ଅଧିକ ଟଙ୍କା ପାଉଥିବା ମହିଳାମାନେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ନୁହନ୍ତି ।

ଯାଜପୁରରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା:

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଜପୁର ଗସ୍ତ କରିବେ । ଜିଲ୍ଲାର ବ୍ୟାସନଗରର ଚାନ୍ଦମା ପଡ଼ିଆଠାରେ ଆୟୋଜିତ ବିଶାଳ ସମାବେଶରେ ରାଜ୍ୟର ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ମହିଳାମାନଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଟଙ୍କା ପ୍ରଦାନ କରିବେ । ପ୍ରଥମେ ହେଲିପ୍ୟାଡରୁ ଅବତରଣ କରି ମୁଖ୍ୟମନ୍ତ୍ରୀ ବ୍ୟାସନଗରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକମାନେ ମଧ୍ୟ ସାମିଲ ହେବେ ।

ଯାଜପୁରର ଜିଲ୍ଲା ମହୋତ୍ସବ ''ଯଯାତି''- ୨୦୨୫ ଓ ପଲ୍ଲିଶ୍ରୀ ମେଳାର ଉଦଘାଟନଲ କରିବେ ମୁଖ୍ୟମନ୍ତ୍ରୀ:

ସୁଭଦ୍ରା ଟଙ୍କା ଆବଣ୍ଟନ ସହ ବ୍ୟାସନଗର ଓ କୋରେଇରେ ୮ରୁ ଊର୍ଦ୍ଧ୍ବ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ବ୍ୟାସନଗରର ବ୍ୟାସସରୋବର ପର୍ଯ୍ୟଟନ ସ୍ଥଳୀ ପାର୍କ, ନବନିର୍ମିତ ଟାଉନହଲର ଲୋକାର୍ପଣ ଓ ଜିଲ୍ଲା ସଦର ମହକୁମାରେ ଯଯାତି କେଶରୀ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଭବନ ପଡିଆରେ ଜିଲ୍ଲା ମହୋତ୍ସବ ''ଯଯାତି''- ୨୦୨୫ ଓ ପଲ୍ଲିଶ୍ରୀ ମେଳାର ମଧ୍ୟ ଉଦଘାଟନ କରିବେ । କାଲିଠୁ ୫ଦିନ ଧରି ଚାଲିଥିବା ଥିବା ଏହି ପଲ୍ଲିଶ୍ରୀ ମେଳାରେ ୧୫୦ଟି ଷ୍ଟଲ ଓ ଫୁଡ କୋର୍ଟରେ ୪୦ଟି ଷ୍ଟଲ ଖୋଲିବ । ପ୍ରତ୍ୟେକ ଦିନ ବଲିଉଡ୍, ଓଲିଉଡ ଏବଂ ବିଭିନ୍ନ ଜିଲ୍ଲାର ଲୋକସଙ୍ଗୀତ, ଲୋକନୃତ୍ୟ ଆଦି ନାମିଦାମୀ କଳାକାର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ଏହାମଧ୍ୟ ପଢନ୍ତୁ...

କେମିତି ପାଇବେ ସୁଭଦ୍ରା ଟଙ୍କା ? ଜାଣନ୍ତୁ ନିୟମ, ହୁଅନ୍ତୁ ଲାଭାର୍ଥୀ

8ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ସୁଭଦ୍ରାକୁ ନେଇ ବଡ ଅପଡେଟ୍‌: ଆବେଦନ କରି ମଧ୍ୟ ଟଙ୍କା ଆସିନଥିଲେ ବ୍ୟାଙ୍କ ଯିବାକୁ ଉପ-ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପ୍ରସ୍ତୁତି:

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଯାଜପୁରରେ ପ୍ରସ୍ତୁତି ଜୋରଦାର ରହିଛି ।ପ୍ରଶାସନିକ ଅଧିକାରୀଙ୍କ ଠାରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କ ମଧ୍ୟରେ ଏନେଇ ତତ୍ପରତା ଦେଖାଯାଇଛି । କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନାଙ୍କ ନେତୃତ୍ବରେ ଏବଂ ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ୩ଜଣ ଅତିରିକ୍ତ ଏସପି, ୮ଜଣ ଡିଏସପି,୨୪ଜଣ ଇନ୍ସପେକ୍ଟର, ୨୦୦ଜଣ ସବ୍ ଇନ୍ସପେକ୍ଟରଙ୍କ ସମେତ ୨୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାର ପ୍ରମୁଖ ଅଧିକାରୀମାନେ ମଧ୍ୟ ପ୍ରସ୍ତୁତିରେ ଲାଗିପଡିଛନ୍ତି । ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିବା ବେଳେ ସମାଗମ ସ୍ଥଳରେ ମଧ୍ୟ ଟିକିନିକି ଯାଞ୍ଚ କରାଯାଉଛି ।

ଇଟିଭି ଭାରତ, ଯାଜପୁର/ସମ୍ବଲପୁର

ABOUT THE AUTHOR

...view details