ଭୁବନେଶ୍ବର: ଆଗକୁ ରହିଛି ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା । ପରୀକ୍ଷା ପାଇଁ କିପରି ପିଲାଏ ଚାପମୁକ୍ତ ରହିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଛି ଗଣଶିକ୍ଷା ବିଭାଗ । ପିଲାଙ୍କୁ ଚାପମୁକ୍ତ କରିବାକୁ ଆରମ୍ଭ ହେବ କାଉନସେଲିଂ । ଏନେଇ "ବିଲ୍ଡିଂ ପରୀକ୍ଷଣ ସ୍ଥିରତା" (Building examination Resilience) ପ୍ରୋଜେକ୍ଟ ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ପ୍ରାଥମିକ ପର୍ଯ୍ୟାୟରେ ଲିଫଲେଟ୍, ଶିକ୍ଷାବର୍ଷ କ୍ୟାଲେଣ୍ଡର ଏବଂ ଏଫଏକ୍ୟୁ ବଣ୍ଟନ କରାଯିବ । ଏହି ସମସ୍ତ ସାମଗ୍ରୀକୁ ଦୁଇ ଦିନ ମଧ୍ୟରେ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପରୀକ୍ଷା ସମୟରେ ପିଲାମାନଙ୍କୁ ଆବେଗିକ ଓ ମାନସିକ ସହାୟତା କରିବାରେ ଅଭିଭାବକଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଘରେ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସୃଷ୍ଟି କରିବା ଆବଶ୍ୟକ । ପିଲାଙ୍କୁ ଅନ୍ୟ ପିଲାଙ୍କ ସହିତ ତୁଳନା ନକରିବା ଆବଶ୍ୟକ । ଏହାସହ କେବଳ ପିଲାଙ୍କ ଫଳାଫଳକୁ ଗୁରୁତ୍ଵ ଦିଅନ୍ତୁ ନାହିଁ । ଛାତ୍ରଛାତ୍ରୀ ସର୍ବଦା ନିଜର ସାମର୍ଥ୍ୟ ଉପରେ ବିଶ୍ୱାସ ରଖିବା ଆବଶ୍ୟକ ବୋଲି ଗଣଶିକ୍ଷା ବିଭାଗ କହିଛି । ଏକକାଳୀନ ଦୀର୍ଘ ସମୟ ଧରି ନ ପଢିବା ସହ ଏକ ଘଣ୍ଟା ବ୍ୟବଧାନରେ ୫ରୁ ୧୦ ମିନିଟ ବିରତି ନେବା ଉଚିତ୍ । ଏହି ବିରତି ସମୟରେ ନିଜ ପସନ୍ଦର କାର୍ଯ୍ୟ କରିବା ଜରୁରୀ ।