ଭୁବନେଶ୍ୱର:ନିଟ ୟୁଜି-୨୦୨୪ ପରୀକ୍ଷାରେ ଅନିୟମିତତା ଓ ଜାଲିଆତି ମାମଲା । ଭୁବନେଶ୍ୱର ମାଷ୍ଟରକ୍ୟାଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତଳିକା ମଧ୍ୟ ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଥମେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର ଉପରେ ବର୍ଷିବା ସହ ପୁନଃ ପରୀକ୍ଷା ପାଇଁ ପ୍ରଦେଶ ଛାତ୍ର କଂଗ୍ରେସର ଦାବି କରିଛି । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ନୀରବତା ଦୁର୍ଭାଗ୍ୟଜନକ ବୋଲି ଦାବି କରିଛି ଛାତ୍ର କଂଗ୍ରେସ ।
ଏନଟିଏ ଦେଶର ମେଧାବୀ ଛାତ୍ରଛାତ୍ରୀଙ୍କ ସହ ଖେଳଖେଳୁଥିଲା ବେଳେ ମୋଦି ସରକାରଙ୍କ ନିରବତା ଦୁର୍ଭାଗ୍ୟଜନକ। ସୁପ୍ରିମକୋର୍ଟ ପରୀକ୍ଷା ପରିଚାଳନାରେ ତ୍ରୁଟି ଏବଂ ସାଧୁତା ଅବଲମ୍ବନ କରାଯାଇ ନାହିଁ ବୋଲି କହିସାରିଲେଣି । ଅପରପକ୍ଷରେ ପ୍ରଶ୍ନପ୍ରତ ପ୍ରଘଟ ବାରମ୍ବାର ଘଟୁଥିବା ବେଳେ ମୋଦି ସରକାର ନିରବ ରହୁଛନ୍ତି । ରାହୁଲ ଗାନ୍ଧୀ କଂଗ୍ରେସର ଇସ୍ତାହାରରେ ପ୍ରଶ୍ନପତ୍ର ପ୍ରଘଟ କିପରି ନହେବ ସେଥିନେଇ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୋଦି ସରକାର ଅମଳରେ ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟକୁ ଛାତ୍ର କଂଗ୍ରେସ ଦୃଢ଼ ବିରୋଧ କରିବ ।
ନିଟ ସ୍କାମ ଏ ରାଷ୍ଟ୍ରର ଛାତ୍ର ସମାଜ ପାଇଁ ଏକ ସାଂଘାତିକ ବିଶ୍ଵାସଘାତକତା । ପ୍ରାୟ ୧୫ ଶହ ପରୀକ୍ଷାର୍ଥିଙ୍କୁ ପ୍ରାୟ ୭୦ରୁ ୮୦ ନମ୍ବର ଗ୍ରେସ ନମ୍ବର ଭାବରେ ଦିଆଯାଇଛି । ଏ ସଂପୂର୍ଣ୍ଣ ଦୁର୍ନୀତିରେ ଏନଟିଏ ସଂପୃକ୍ତ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରକୁ ବାହାରେ ପ୍ରଘଟ କରିବାର ପ୍ରମାଣ ରହିଛି । ଏହା ଦ୍ଵାରା ୨୪ଲକ୍ଷ ପରୀକ୍ଷାର୍ଥୀଙ୍କର ଭବିଷ୍ୟତ ସହ ଖେଳାଯାଇଛି । ଜୁନମାସ ୧୪ ତାରିଖରେ ଫଳାଫଳ ବାହାରିବା କଥା ମାତ୍ର ଯେଉଁଦିନ ସାଧାରଣ ନିର୍ବାଚନ ଅର୍ଥାତ ୧୦ ଦିନ ପୂର୍ବରୁ ନିଟ ପରୀକ୍ଷାର ଫଳାଫଳ ପ୍ରକାଶ କରାଗଲା । ଏହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । କିପରି ସମସ୍ତଙ୍କ ଦୃଷ୍ଟିରୁ ଏହି ଫଳାଫଳ ଏଡ଼େଇଯିବ ସେଥିପାଇଁ ଏହି ଷଡ଼ଯନ୍ତ୍ର କରାଯାଇଛି । ୬୭ ଜଣ ଛାତ୍ରଙ୍କୁ ପୂର୍ବସଂଖ୍ୟା ୭୨୦ ନମ୍ବର ଦିଆଯାଇଛି ।